• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ବିଜେଡିରେ ଘଡିକେ ଘୋଡା ଛୁଟୁଛି । ୱକଫ ସଂଶୋଧନ ବିଲକୁ ନେଇ ବିଜେଡି ରାଜନୀତି ଉଠୁଛି ପଡୁଛି । ହେଲେ ସାଂସଦ ଦେବାଶିଷ ସାମନ୍ତରାୟ ଏହି ପ୍ରସଙ୍ଗରେ ସିଧାସଳଖ ଟାର୍ଗେଟ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତାଙ୍କୁ । ସେ ନାଁ ନେଇ ନଥିଲେ ମଧ୍ୟ ପାଣ୍ଡିଆନଙ୍କ ଆଡକୁ ଇଙ୍ଗୀତ କରିଛନ୍ତି । ଏହି ପରାମର୍ଶଦାତା ସଂତୃପ୍ତ ମିଶ୍ର ନୁହଁନ୍ତି ବୋଲି କହିବା ସହ ଏହି ପରାମର୍ଶଦାତା ଚାକିରିରୁ ଭିଆରଏସ୍ ନେଇଥିବା ସେ କହିଛନ୍ତି ।

ବିଜେଡିରେ ଏହି ଝଡ଼ ଭିତରେ ଗୋଟିଏ ବଡ଼ ଯୋଜନା ପଣ୍ଡ ହୋଇଯାଇଥିବା କହିଛନ୍ତି ବିଜେଡିର ଜଣେ ବରିଷ୍ଠ ନେତା । ନିଜ ନାଁ ପ୍ରକାଶ ନକରି ଏହି ନେତା ଜଣକ କହିଛନ୍ତି, ନିର୍ବାଚନ ପରେ ରାଜନୀତିରୁ ନିଜକୁ ଦୂରେଇ ରଖୁଛନ୍ତି ବୋଲି ଘୋଷଣା କରିଥିଲେ ଭି କେ ପାଣ୍ଡିଆନ୍ । କିନ୍ତୁ ନିର୍ବାଚନ ପରେ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ରହୁଛନ୍ତି । ପାଣ୍ଡିଆନ କେଉଁଠି ରହୁଛନ୍ତି ବୋଲି ଯେତେବେଳେ ଚର୍ଚ୍ଚା ଚାଲୁଥିଲା, ସେତେବେଳେ ବିଜେଡିର ଅନେକ ନେତା ତାଙ୍କୁ ନବୀନ ନିବାସରେ ଦେଖିଥିବା କହିଥିଲେ । ଅର୍ଥାତ ପାଣ୍ଡିଆନ ଯେ ନବୀନଙ୍କ ପାଖେ ପାଖେ ରହୁଥିଲେ, ତାହା ସ୍ପଷ୍ଟ ହୋଇଥିଲା । କିଛି ଦିନ ତଳେ ନବୀନ ଓ ପାଣ୍ଡିଆନଙ୍କୁ କୋଏମ୍ୱାଟୁର୍ ବିମାନ ବନ୍ଦରରେ ଏକାଠି ଯାଉଥିବାର ଦେଖାଯାଇଥିଲା ।

ନିର୍ବାଚନ ପରେ ବିଜେଡିର ଅନେକ ନେତା ଦଳର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ । କିନ୍ତୁ ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରିନଥିଲେ । ତେଣୁ ପାଣ୍ଡିଆନଙ୍କ ପ୍ରତି ତାଙ୍କର କୋହଳ ମନୋଭାବ ଥିବାର ବିଜେଡିର ଅନେକ ନେତା ଧରିନେଇଥିଲେ ।

ଅଧିକ ପଢ଼ନ୍ତୁ : ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି 

ଜଣେ ବିଜେଡି ନେତାଙ୍କ କହିବା ଅନୁଯାୟୀ, ପାଣ୍ଡିଆନ ପଛରେ ରହି ଏବେ ବି ଦଳକୁ ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ପୁଣି ସାମନାକୁ ଆସି ଦଳର ମଙ୍ଗ ଧରିବାକୁ ଯୋଜନା କରିଥିଲେ । ଆସିକା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡିର ଜଣେ ଯୁବନେତ୍ରୀ ଗତକାଲି ନବୀନ ନିବାସ ଆସିଥିଲେ । ତାଙ୍କ ସହ ତାଙ୍କର ଅନେକ କର୍ମୀ ମଧ୍ୟ ଆସିଥିଲେ । ଯୋଜନା ମୁତାବକ ସେମାନେ ପାଣ୍ଡିଆନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ସଭାପତିଙ୍କୁ ଅନୁରୋଧ କରିଥାଆନ୍ତେ । କିନ୍ତୁ ସେହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କର ଏକ ଟିମ୍ ଆସି ପହଞ୍ଚିଥିଲେ ନବୀନ ନିବାସରେ । ରାଜ୍ୟସଭାରେ ୱକଫ ସଂଶୋଧନ ବିଲ୍ ନେଇ ଦଳର ଅଭିମୁଖ୍ୟ କାହିଁକି ବଦଳିଗଲା, ସେ ନେଇ ଦଳର ସଭାପତିଙ୍କ ସହ ଆଲୋଚନା କରିଥିଲେ ।

ଏହି ନେତାଜଣକ ପୁଣି କହଛନ୍ତି, ସବୁ ଜିଲ୍ଲାରୁ ଯୁବନେତା ଓ କର୍ମୀମାନେ ଆସି ପର୍ଯ୍ୟାୟକ୍ରମେ ଦଳ ସଭାପତିଙ୍କୁ ଭେଟି ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢିଥାଆନ୍ତେ । ଭୁବନେଶ୍ୱରର ଜଣେ ବରିଷ୍ଠ ନେତା ଭୁବନେଶ୍ୱରର କିଛି ଯୁବକର୍ମୀଙ୍କୁ ସାଙ୍ଗରେ ନେଇ ଭେଟିଥାଆନ୍ତେ । ଏହା ପରେ କଟକ, ଯାଜପୁର ଓ ପୁରୀରୁ ବରିଷ୍ଠ ନେତାଙ୍କ ନେତୃତ୍ୱରେ ମଧ୍ୟ ଆସିଥାଆନ୍ତେ ଯୁବନେତା । ବାର୍ତ୍ତା ଦେଇଥାଆନ୍ତେ ଯୁବକମାନେ ଚାହୁଁଛନ୍ତି ପାଣ୍ଡିଆନ ରାଜନୀତିକୁ ଫେରନ୍ତୁ । କିନ୍ତୁ ୱକଫ୍ ପ୍ରସଙ୍ଗ ମାଡ଼ରେ ସବୁ ଫସର ଫାଟିଗଲା ।

ଜଣେ ରାଜନୀତି ସମୀକ୍ଷକ କହିଛନ୍ତି, ପାଣ୍ଡିଆନଙ୍କୁ ଦଳରେ ନେବା ପାଇଁ ବହୁ ନେତା ଚାହୁଁନାହାନ୍ତି । ତେଣୁ ନେତାମାନେ ଏବେ ଧୀରେ ଧୀରେ ମୁହଁ ଖୋଲିବା ଆରମ୍ଭ କଲେଣି ।

ଏ ସଂପର୍କରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ବା ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ : ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କଲେ ବଦ୍ରି; କହିଲେ, ସେ ଏତେ ବଡ଼ ସାହସ କଲେ କେମିତି ?

  • Reported by:
  • JAGDISH DAS