Advertisment

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସମରସଜ୍ଜା: ଗାଁ ଜଗିବାକୁ ବିଜେଡିର ରଣନୀତି

ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ବିଜେପି ଓ କଂଗ୍ରେସ

author-image
Prangyan Parimita
ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda Bypoll

ଝାରସୁଗୁଡ଼ା ଦଖଲ ପାଇଁ ଦଳୀୟ ସମରସଜ୍ଜାକୁ ଜୋରଦାର କରିଛି ବିଜେଡି । ଆରମ୍ଭ କରିଛି ଗ୍ରାଉଣ୍ଡୱାର୍କ । ପୂର୍ବରୁ ଉପ ନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଦଳ ଆଜି ୪ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳ ପାଇଁ ୧୨ ହେଭିୱେଟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି। ଅର୍ଥାତ ପୂର୍ବ ଉପନିର୍ବାଚନ ଗୁଡ଼ିକରେ ଯେଭଳି ଲଢ଼ିଥିଲା ବିଜେଡି, ଝାରସୁଗୁଡ଼ା ଉପ ନିର୍ବାଚନରେ ବି ସମାନ ଷ୍ଟାଇଲରେ ଲଢ଼ିବ ବୋଲି କୁହାଯାଉଛି । ଆଉ ଏପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ବିଜେପି ଓ କଂଗ୍ରେସ ଚଳାଇଛନ୍ତି ରଣନୀତି।

Advertisment

ପ୍ରଥମେ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା, ପରେ ୩ ବରିଷ୍ଠ ନେତୃତ୍ୱଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ । ଆଉ ଏବେ ବ୍ଲକ ଓ ମ୍ୟୁନିସିପାଲିଟି ସ୍ତର ପାଇଁ ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା । ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡିର ଗୋଟିଏ ପରେ ଗୋଟିଏ ରଣନୀତି। ଗାଁକୁ ଗାଁ ଏବଂ ବ୍ଲକକୁ ବ୍ଲକ୍ ଯେଭଳି ଦଳୀୟ ନେତା ଜଗିବେ, ସେଥିପାଇଁ ଗ୍ରାଉଣ୍ଡ ୱାର୍କ ଆରମ୍ଭ କରିଥିବା ବିଜେଡି, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିବା ପରେ ଆଜି ୪ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳ ପାଇଁ ମୋଟ ୧୨ ଜଣ ହେଭିୱେଟ୍ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି।

Advertisment

କିରିମିରା ବ୍ଲକ ପାଇଁ ଅତନୁ ସବ୍ୟସାଚୀ ଓ ଟୁକୁନି ସାହୁ, କୋଲାବିରା ବ୍ଲକ ପାଇଁ ନିରଂଜନ ପୁଜାରୀ ଓ ସରୋଜ ମେହେର, ଝାରସୁଗୁଡ଼ା ପାଇଁ ପଦ୍ମନାଭ ବେହେରା ଏବଂ ଅରୁଣ ସାହୁ, ଲଇକେରା ପାଇଁ ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ର ଏବଂ ଝାରସୁଗୁଡ଼ା ମ୍ୟୁନିସିପାଲଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରିତା ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେଡି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ରଣନୀତି ପ୍ରସ୍ତୁତ କରିଛି ଦଳ । ପରବର୍ତ୍ତୀ ସମୟରେ ଅନ୍ୟ ବିଧାୟକ ମାନଙ୍କୁ ବି ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି ।

ଏପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ବିଜେପି ବି ଚଳାଇଛି ତା’ର ଗୋଟି ଚାଳନା । ଟିକଟ ଆଶାୟୀ ରେସରେ ଆଗୁଆ ଥିବା ଟଙ୍କଧର ତ୍ରିପାଠୀଙ୍କ ସମେତ ଦଳର ଅନ୍ୟାନ୍ୟ ନେତା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ କର୍ମୀଙ୍କୁ ସକ୍ରିୟ କରୁଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଝାରସୁଗୁଡ଼ାରେ କ୍ୟାମ୍ପ କରିବେ ବୋଲି କୁହାଯାଉଛି। ଧାମନଗର ଉପ ନିର୍ବାଚନରେ ଯେଭଳି ଦଳୀୟ ଷ୍ଟ୍ରାଟେଜୀ ହୋଇଥିଲା, ସେଭଳି ଗ୍ରାଉଣ୍ଡୱାର୍କ କରିବ ବିଜେପି । ତେବେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି । ସେପଟେ ରାଜ୍ୟ କଂଗ୍ରେସ ପକ୍ଷରୁ ଗ୍ରାଉଣ୍ଡ ଜିରୋରୁ ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଯାଇଛି । ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛି କଂଗ୍ରେସ।

୧୯ ସାଧାରଣ ନିର୍ବାଚନ ପରେ ପରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ତିନି ତିନିଟି ଉପ ନିର୍ବାଚନ ସରିଛି । ବିଜେପୁର, ବ୍ରଜରାଜନଗର ଓ ପଦମପୁର ପାଇଁ ଉପନିର୍ବାଚନ ହୋଇଥିବାବେଳେ ଏବେ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ା ପାଳି ପଡ଼ିଛି । ଏଭଳି ସ୍ଥିତିରେ କାମ ଦେବ କି ଅନୁକମ୍ପା ନା ଆଇନ୍ ଶୃଙ୍ଖଳା ମୁଦ୍ଦା ସପକ୍ଷରେ ଯିବେ ଭୋଟର, ତା‘ଉପରେ ନଜର।...

Bypoll
Advertisment
Advertisment