• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଜ ହକ୍ ପାଇଁ ଜିଦରେ ଅଟଳ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ । ସେପଟେ ନିଜ ଅଧିକାରରୁ ବଞ୍ଚିତ ହୋଇ ଅନ୍ଧାରକୁ ଯାଉଛି ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ସୁନେଲି ଭବିଷ୍ୟତ । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନକୁ ୟା ଭିତରେ ୯ ଦିନ ବିତିଥିଲେ ବି ଏଯାଏଁ ବାହାରି ପାରିନି ସମାଧାନର ବାଟ । ଫଳରେ ବିଦ୍ୟାଳୟରେ ବିଗିଡ଼ି ଗଲାଣି ପାଠପଢ଼ା ପରିବେଶ । ପିଲାଏ ଭୁଲିଗଲେଣି ଦୈନିକ ବିଦ୍ୟାଭ୍ୟାସ ।

ରାୟଗଡ଼ା ଜିଲ୍ଲାରେ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ୮ ଦିନ ହେବ ସ୍କୁଲ ବନ୍ଦ । ଫଳରେ ଅନେକ ପିଲା ଆଉ ସ୍କୁଲ ନଆସି ଖେଳକୁଦରେ ମାତିଲେଣି । ଗଜପତି ଜିଲ୍ଲା ମୋହନାରେ ପିଲାଏ ଆସୁଛନ୍ତି କିନ୍ତୁ ଶିକ୍ଷକ, ଶିକ୍ଷୟିତ୍ରୀ ଆସୁନାହାନ୍ତି । ଶ୍ରେଣୀଗୃହରେ ସବୁଦିନ ଏମିତି ତାଲା ଝୁଲୁଥିବା ଦେଖି ନିରାଶରେ ଫେରୁଛନ୍ତି ଛାତ୍ରଛାତ୍ରୀ । ଖୋର୍ଦ୍ଧା ଅରାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ପଢୁଥିବା ପିଲାଙ୍କ ସଂଖ୍ୟା ୧୨୦ । ହେଲେ ସେମାନଙ୍କୁ ସମ୍ଭାଳିବାକୁ ଜଣେ ମାତ୍ର ଶିକ୍ଷକ । ତେଣୁ ପାଠପଢ଼ା ଛାଡ଼ନ୍ତୁ, ଖାଲି ଆକଟ କରିବାକୁ ବି ନାକେଦମ୍ ହୋଇ ପଡୁଛନ୍ତି ଶିକ୍ଷକ ।

୩ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରାଥମିକଙ୍କ ଶିକ୍ଷକ ଆନ୍ଦୋଳନ ପାଇଁ ଅନିଶ୍ଚିତତା ଭିତରେ ପିଲାଙ୍କ ପାଠପଢ଼ା । ନୟାଗଡ଼ରେ ସପ୍ତାହେ ଧରି ଅଚଳାବସ୍ଥା ପରେ ଏବେ କିଛି କିଛି ସ୍ଥାନରେ ହାତରେ ଚକ୍ ଆଉ ଡଷ୍ଟର ଧରିଛନ୍ତି ଅଭିଭାବକ । ଆଜି ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ମୟୂରଭଞ୍ଜର ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।

ଏଣେ ବାଲେଶ୍ୱରରେ ଜିଲ୍ଲାରେ ଯେଉଁସବୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି, ସେଠାକାର ଅଙ୍ଗନୱାଡିକର୍ମୀମାନେ ସ୍କୁଲ କଥା ବୁଝିବା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଡିଇଓ । ସେପଟେ ଶିକ୍ଷକଙ୍କ ଦାବି ସଂପର୍କରେ ବିଚାର କରୁଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖୁବଶୀଘ୍ର ୩ଟି ଦାବି ପୂରଣ କରିବାକୁ ଯାଉଥିବା କଥା ରାୟଗଡ଼ା କଲ୍ୟାଣସିଂପୁରରେ ଆନ୍ଦୋଳନ ଶିକ୍ଷକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କମିଟି ସଦସ୍ୟ ତଥା ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ।

ଶିକ୍ଷକମାନଙ୍କ ଦାବିକୁ ସରକାର ଏଯାଏଁ କର୍ଣ୍ଣପାତ କରୁନଥିବାରୁ ରାଇରଙ୍ଗପୁରର ଅନେକ ସ୍ଥାନରେ ଗୀତ ଆଉ ଅଭିନୟ ମାଧ୍ୟମରେ ଗୁହାରି କରୁଛନ୍ତି ପ୍ରାଥମିକ ଶିକ୍ଷକ ।