• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡିର ନଜର ଯୁବ ଭୋଟରଙ୍କ ଉପରେ । ପ୍ରଥମେ କଲେଜରେ କରାଗଲା କ୍ୟାମ୍ପସ କମିଟି । ତା’ପରେ ଭୋଟର ଲିଷ୍ଟରେ ନାଁ ଚଢାଇବାକୁ ସଚେତନତା ଶିବିର । ଆଉ ଏବେ ସରକାରଙ୍କ ଶିକ୍ଷା ଯୋଜନା ସମ୍ବଳିତ ହୋର୍ଡିଂ ଲାଗିବ କ୍ୟାମ୍ପସରେ । ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରି ପ୍ରତିବାଦ ଲାଗି ପ୍ରସ୍ତୁତ ହେଲେଣି । ବିଜେଡି କହିଛି ଏହା ପଛରେ କୌଣସି ରାଜନୀତି ନାହିଁ ।

ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ ସରକାରୀ ଯୋଜନା ହୋର୍ଡିଂ । ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସମ୍ପର୍କରେ କ୍ୟାମ୍ପସରେ ପିଲାଙ୍କୁ କରାଯିବ ଅବଗତ । ଅଧିକରୁ ଅଧିକ ମାତ୍ରାରେ କିପରି ଛାତ୍ରଛାତ୍ରୀ ଉପକୃତ ହେବେ ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ନେଇଛି ପଦକ୍ଷେପ । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଯେଉଁଥିରେ ଉଲ୍ଲେଖ ଅଛି ଯେ, ଛାତ୍ର ଯୋଜନା ଓ ଛାତ୍ର ବୃତ୍ତି ସମ୍ୱଳିତ ୧୬ ବାଇ ୮ ସ୍କୋୟାର ଫୁଟ୍ ର ହୋର୍ଡିଂ ଓ ବ୍ୟାନର କର୍ତ୍ତୃପକ୍ଷମାନେ କ୍ୟାମ୍ପସରେ ଲଗାଇବେ । ହୋର୍ଡିଂ ଲାଗିବା ପରେ ଲୋକେସନ୍ ସହ ଫଟୋ ଉଠାଇ ବିଭାଗକୁ ଜଣାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗର ଏ ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି । ଅନ୍ୟପଟେ ନିଜେ ସରକାରୀ ଯୋଜନାର ପ୍ରଚାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଏହାକୁ ତୀବ୍ର ବିରୋଧ କରାଯିବ । ସେହିପରି ଏଆଇଏସ୍ଏଫ୍ ମଧ୍ୟ ଏହାକୁ ନିର୍ବାଚନୀ ଚାଲ୍ ବୋଲି କହିଛି । କ୍ୟାମ୍ପସରେ ସରକାର ଯେଉଁଦିନ ନିଜ ଶିକ୍ଷା ଯୋଜନା ସମ୍ବଳିତ ହୋର୍ଡିଂ ଲଗାଇବେ ସେଦିନ ସରକାରୀ ବିଫଳତା ସଂକ୍ରାନ୍ତୀୟ ହୋର୍ଡିଂ ଲଗାଇ ସଂଗଠନ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି । ଜବାବରେ ବିଜେଡି କହିଛି ଏଥିରେ କୌଣସି ରାଜନୀତି ନାହିଁଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ହୋର୍ଡିଂ ଲଗାଯିବ । ଶିକ୍ଷାବିତ୍ ମାନେ ମଧ୍ୟ ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖଉଛି, କଲେଜ କ୍ୟାମ୍ପସ୍ ରାଜନୀତି ସେତିକି ସରଗରମ ହେଉଛି । ୨୪ ନିର୍ବାଚନରେ ପାଖାପାଖି ୨୫ ଲକ୍ଷ ନୂଆ ଭୋଟର ଆସିବାକୁ ଥିବାରୁ, କଳେ ବଳେ କୌଶଳେ ସମର୍ଥନ ହାସଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

  • Reported by:
  • JAGDISH DAS