• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୋଟିଏ ପଟେ ତୀବ୍ର ବିରୋଧ । ଆରପଟେ ଲୋକାର୍ପଣର ପର୍ବ । କଟକବାସୀଙ୍କ ଆପତ୍ତି, ଅସନ୍ତୋଷ ଆଉ ଅଭିଯୋଗର ଲମ୍ବା ତାଲିକା ଭିତରେ  ଖାନନଗରରେ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ- CNBTର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ବସ୍ ଟର୍ମିନାଲ ସହ କଟକ ସହର ପାଇଁ ୧୨ଟି ନୂଆ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ବି କରିଛନ୍ତି ।

୧୫ ଏକର ଜାଗା ଉପରେ ତିଆରି ହୋଇଥିବା ରାଜ୍ୟର ଏହି ବୃହତ ବସ୍ ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୯୦ କୋଟି । ୫ ଶହ ବସର ଯା’ଆସ ସୁବିଧା ସହ ରହିଛି ୧୯୨ଟି ବସ୍ ର ରହଣୀ ବ୍ୟବସ୍ଥା । ସେହିପରି ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର, ଶୌଚାଳୟ, ATM କାଉଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଆହାର କେନ୍ଦ୍ର, ମୋବାଇଲ ଚାର୍ଜିଂ ପଏଣ୍ଟ ଆଦି ରହିଛି । ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନୂଆ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି ସତ, କିନ୍ତୁ ଏବେ ବି ସଂଯୋଗ କରୁଥିବା ରାସ୍ତା ଓ ଆପ୍ରୋଚ ରୋଡ୍ ଅସମ୍ପୂର୍ଣ୍ଣ । ମଲାଚଣ୍ଡିଆ ଛକର ଯେଉଁଠି ସବୁଜ ରଙ୍ଗର ପାଲ ଢଙ୍କାଯାଇଛି, ତା’ ତଳେ ରହିଛି କାଦୁଅ । ଅର୍ଥାତ ଅଧପନ୍ତରିଆ ରହିଛି କାମ । ଏଭଳି ସ୍ଥିତିରେ ୬ ଲେନ୍ ରାସ୍ତା କାର୍ଯ୍ୟ ସମାପ୍ତ ନହେବା ଓ ଅନ୍ୟ ପ୍ରକଳ୍ପ କାମ ନସରିବା ନେଇ ପ୍ରଶ୍ନ ଉଠାଇବା ସହ ଉଦଘାଟନ କାହା ସ୍ୱାର୍ଥରେ ବୋଲି କହି ଆନ୍ଦୋଳନ କରିଛି କଟକ ନଗର କଂଗ୍ରେସ ।

କେବଳ ଏତିକି ନୁହେଁ, ଥଇଥାନ ଦାବିରେ ସ୍ଥାନୀୟ ବ୍ୟବସାୟୀ ଓ ଉଠାଦୋକାନୀ ବି ଆନ୍ଦୋଳନ କରିଥିଲେ । ଅଥଚ ସମସ୍ତ ଦାବି, ଆପତ୍ତି ଆଉ ଅଭିଯୋଗକୁ ଅଣଦେଖା କରି ଉଦଘାଟନ କରାଯାଇଛି ବୋଲି କହିବା ସହ ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ । ଅପରପକ୍ଷେ ବିଜେପି ବି ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଛି। ଖାନନଗର ପଟୁ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ରାଲିରେ ଯାଉଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ବିଜେପି କର୍ମୀ । ସେହିପରି ହିନ୍ଦୁସେନା କଳା ବେଲୁନ୍ ଉଡ଼ାଇ ବିରୋଧ କରିଛି ।

କେବଳ ନେତା ନୁହଁନ୍ତି, କଟକର ସାଧାରଣ ଜନତା ବି ବସଷ୍ଟାଣ୍ଡର ରୂପ ରେଖ ଏବଂ ରାସ୍ତା ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆବଶ୍ୟକତା ଅନୁଯାୟୀ, ଟର୍ମିନାଲ ପାଇଁ ରାସ୍ତା ଚଉଡ଼ା ନଥିବାରୁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣାର ଆଶଙ୍କା ଥିବା କହିଛନ୍ତି । ତେଣେ ସିଡିଏ ଅଧ୍ୟକ୍ଷ କହିଛନ୍ତି, ଯାତ୍ରୀ ଓ ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ ।

ଏବେ ଅପେକ୍ଷା, ବାଦାମବାଡ଼ି ବସଷ୍ଟାଣ୍ଡକୁ ସବୁଦିନ ପାଇଁ ଇତିହାସକୁ ଠେଲି ଦେଇ ୯୦ କୋଟି ଟଙ୍କାରେ ନବ ନିର୍ମିତ ନେତାଜୀ ବସ୍ ଟର୍ମିନାଲ ବାସ୍ତବରେ ଯାତ୍ରୀଙ୍କୁ କେତେ ସୁବିଧା ଯୋଗାଉଛି ।

  • Reported by:
  • PRAVAT BISOI , DEBASHISH MOHANTY