• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାନ୍ଦ ବୋବାଳିରେ ଦାଣ୍ତ ଫାଟି ପଡ଼ୁଛି । ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ । ଆଉ ସମସ୍ତଙ୍କର ମୁହଁରେ ଗୋଟିଏ କଥା, ହାଏରେ ବିଧାତା ତୁ ଏ କଣ କଲୁ? ୧୦ ଦିନରେ ସ୍ୱାମୀ-ସ୍ତ୍ରୀଙ୍କୁ ନେଇଗଲୁ? ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ୧୦ ଦିନରେ ହେଲା କଣ ?

୧୦ ଦିନ ତଳେ ଜଣଙ୍କ ଘର ସାମ୍ନାରୁ ଉଠିଥିଲା କୋକେଇ, ବାଉଁଶ ବନ୍ଧାଯାଇଥିଲା, କୋକେଇରେ ଶବ ବି ବନ୍ଧା ଯାଇଥିଲା । ଆଉ ଡାକ ପଡୁଥିଲା ରାମ ରାମ ସତ୍ୟ ହେ…ହରିନାମ ସତ୍ୟ ହେ । ମାଆକୁ ହରାଇ କାନ୍ଦି କାନ୍ଦି ଅସ୍ଥିର ହୋଇଯାଉଥିଲେ ପିଲା । ମାଆ ଚାଲିଯିବାର ଦୁଃଖ ମନରୁ ଯାଇନଥିଲା,ହେଲେ ଆଉ ଏକ ଦୁଃଖ ମାଡ଼ି ଆସିଲା । ୧୦ ଦିନ ଖିଅର ହେଉଥିଲେ ପରିବାର ଓ ବନ୍ଧୁ ପରିଜନ। ଆଉ ଏତିକି ବେଳେ ଘାଟ ମୁଣ୍ଡକୁ ଖବର ଗଲା,  ବାପାଙ୍କର ଦେହାନ୍ତ ହୋଇଗଲା। ଆଉ ଏ ଖବର ଶୁଣିବା ପରେ ଘାଟରୁ ଘରକୁ ଦୌଡିଥିଲେ ପିଲା, ପରିବାର ଓ ବନ୍ଧୁବାନ୍ଧବ।

୧୦ ଦିନ ତଳେ ମାଆକୁ ହରାଇଥିବା ପିଲା ପୁଣି  ବାପାଙ୍କୁ ହରାଇବା କଷ୍ଟ ଯେ କେତେ ତାହାକୁ କେଉଁ ଶବ୍ଦରେ ଆମେ ବର୍ଣ୍ଣନା ବା କରିବୁ? ସେହି ଦୃଶ୍ୟ ଦେଖିଲେ ଆପଣ ବି ଧୈର୍ଯ୍ୟହରା ହୋଇଯିବେ । ଆଖିରୁ ଲୁହ ଝରାଇବେ । ଯେଉଁ ବୟସରେ ବାପା-ମାଆଙ୍କ ସ୍ନେହ ଆଉ ଆଦରରେ ପିଲା ଦୁହେଁ ବଢିବା କଥା, ସେହି ସମୟରେ ଏତେ ବଡ଼ ଦୁନିଆରେ ପିଲାମାନେ ଅନାଥ ହୋଇଗଲେ ।

୫ ବର୍ଷର ଝିଅ ପ୍ରଭାତୀ ସିନା ବାପାଙ୍କ ମୃତ୍ୟୁକୁ ବୁଝିପାରୁଛି ହେଲେ ୨ ବର୍ଷର ପୁଅ ପ୍ରେମ୍ କିଛି ବୁଝିପାରୁନି କିନ୍ତୁ କାନ୍ଦୁଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ପେଡାସାହିର । ଗାଁ ଲୋକଙ୍କ କହିବା ଅନୁସାରେ ନରହରି ଅନେକ ଦିନ ହେଲାଣି ରୋଗରେ ପଡ଼ିଥିଲେ । ତେଣୁ ପରିବାର ଚଳିବା ଅତ୍ୟନ୍ତ କଷ୍ଟକର ଥିଲା । ଆଉ ସ୍ୱାମୀଙ୍କୁ ଭଲ କରିବା ପାଇଁ ସ୍ତ୍ରୀ ଇତିଶ୍ରୀ କଟକ ମେଡିକାଲରେ ସ୍ୱାମୀଙ୍କୁ ଭର୍ତ୍ତି କରିଥିଲେ। ହେଲେ ନରହରିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କହି ଘରକୁ ଫେରାଇ ଦେଲେ ଡାକ୍ତର । ଆଉ ସ୍ୱାମୀଙ୍କ ଚିନ୍ତାରେ ଆଖି ବୁଜିଲେ ଇତିଶ୍ରୀ ।

ସ୍ତ୍ରୀ ଯିବାର ୧୦ ଦିନ ପରେ ଆଖି ବୁଜିଦେଲେ ସ୍ୱାମୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ପରିବାର ଏତେ ଅସହାୟ ଅବସ୍ଥାରେ ଥିବା ପରେ ବି ଖଣ୍ଡେ ଘର ବି ଦେଇନି ପ୍ରଶାସନ। କେବଳ ସହାୟତା କହିଲେ ମିଳିଛି ରାସନ କାର୍ଡ । କଥାରେ ଅଛି ବିଧିର ବିଧାନ କିଏ ବା କରିବ ଆନ । ହେଲେ ଦୁଇ ଦୁଇ ପିଲାଙ୍କୁ ଛାଡ଼ି ବାପା-ମାଆ ଚାଲିଯିବା ପରେ ଏବେ କେମିତି ଏହି ପିଲାଙ୍କ ଲାଳନପାଳନ ହେବ? କେମିତି ପିଲା ପାଠ ପଢିବେ? ଏମାନଙ୍କର ଭବିଷ୍ୟତ କଣ ହେବ? ସେଇ ଚିନ୍ତାରେ ବନ୍ଧୁବାନ୍ଧବ । ଏମିତି ଦୁଃସ୍ଥିତିରେ ସରକାରୀ ସହାୟତା ହିଁ ପିଲା ଦୁହିଁଙ୍କର ବଂଚିବାର ଆସ୍ଥା ବୋଲି କହିଛନ୍ତି ଗାଁ ଲୋକେ ।

(ରିପୋର୍ଟ- ପାର୍ଥସାରଥୀ ନାୟକ, ଭଦ୍ରକ)