/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648828111.jpg)
Odia Language
ଓଡ଼ିଶା ବାହାରେ ଓଡ଼ିଆଭାଷୀ ଅଞ୍ଚଳରେ କେମିତି ଅଛନ୍ତି ଓଡ଼ିଆ, କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା । ଆଜି ଉତ୍କଳ ଦିବସ ଅବସରରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ସ୍ଥିତିକୁ ନେଇ ଆସନ୍ତୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।
ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ । ନା ପିଲାଙ୍କ ପାଇଁ ଓଡ଼ିଆ ବହି ଅଛି, ନା ଓଡ଼ିଆରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ । ଏଇ ଯେମିତି ଷଢ଼େଇକଳା ନଗରପାଳିକା ସ୍କୁଲ କେବଳ ଉତ୍କଳ ସମ୍ମିଳନୀ ପକ୍ଷରୁ ଅତ୍ୟନ୍ତ ସ୍ୱଳ୍ପ ଦରମାରେ ନିଯୁକ୍ତ ଦୁଇ ଜଣ ଶିକ୍ଷକଙ୍କ ସହୟାତରେ ଯହିତାହି ଚାଲିଛି ଓଡ଼ିଆ ବିଷୟରେ ପାଠପଢ଼ା ।
ସେମିତି ଓଡ଼ିଶା ପଶ୍ଚିମବଙ୍ଗ ସୀମା ଭେଟିଆ ଓ ସୋଲପଟା ଗାଁରେ ବି ସମାନ ଅବସ୍ଥା । ସୀମାନ୍ତରେ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ୨୦୦୯ରେ ଯେଉଁ କେତୋଟି ଓଡ଼ିଆ ଚାଟଶାଳୀ ତିଆରି କରାଯାଇଥିଲା, ବାସ୍ ସେତିକି । ଓଡ଼ିଶା ସରକାରଙ୍କ ଅନୁଦାନ ଅଭାବରୁ ଆଉ ଆଗକୁ କିଛି ବଢ଼ିପାରିନି । ଇଚ୍ଛାଥିଲେ ମଧ୍ୟ କେତେବେଳେ ବହି ଅଭାବ, ତ କେତେବେଳେ ଶିକ୍ଷକ ଅଭାବରୁ, ଓଡ଼ିଆ ସ୍କୁଲ ପରିବର୍ତ୍ତେ ବେଙ୍ଗଲି ସ୍କୁଲ ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି ଓଡ଼ିଆ ପିଲା । ଆଉ ଇଏ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ଥିବା ଏକ ଓଡ଼ିଆ ସ୍କୁଲ ଏଠି ବି ନିଜ ଭାଷାକୁ ବଞ୍ଚାଇବାର ସଂଘର୍ଷରେ ଦହଗଞ୍ଜ ଓଡ଼ିଆଭାଷୀ ।
ପଶ୍ଚିମବଙ୍ଗ ହେଉକି ଝାଡ଼ଖଣ୍ଡ ଅବା ଆନ୍ଧ୍ରପ୍ରଦେଶ, ଆପଣଙ୍କ ସାମ୍ନାରେ ଏ ତ ଥିଲା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଭାଷୀଙ୍କ ବର୍ତ୍ତମାନର ବାସ୍ତବତା । ହେଲେ ରାଜ୍ୟ ସରକାରଙ୍କ କହିବା କଥା, ଉତ୍କଳ ସମ୍ମିଳନୀ ମାଧ୍ୟମରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଚାଲିଛି। ଶିକ୍ଷକ ନିଯୁକ୍ତି ସାଙ୍ଗକୁ ବହିପତ୍ର ବି ଯୋଗାଇ ଦିଆଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ରିପୋର୍ଟର- ଆଦର୍ଶ ଦାସ, ରଶ୍ମୀରଞ୍ଜନ ଦାସ, ରାଜେଶ ଶର୍ମା ଓ ଜଗଦୀଶ ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)