• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁଢି ହେଉଛି ଆମ ସମସ୍ତଙ୍କ ପ୍ରିୟ ଖାଦ୍ୟ । ସନ୍ଧ୍ୟା ହେଉ କି ସକାଳ ଚା’ ସାଙ୍ଗରେ ଏହାର ଯୋଡ଼ି ପୂରା ନମ୍ବର ୱାନ। ରାଜ୍ୟର ପ୍ରାୟ ସବୁ ଗାଁରେ ମୁଢି ଭଜା ଯାଏ । ଗରିବ ହେଉ କି ଧନି ସମସ୍ତେ ମୁଢି ଖାଇବାକୁ ବି ପସନ୍ଦ କରନ୍ତି । ହେଲେ ଏବେ ମୁଢିରେ ଯେଉଁ ଜିଏସଟି ଲାଗିଛି ତାହାକୁ ନେଇ ଚିନ୍ତାରେ ମୁଢି ଭାଜୁଥିବା ଜଣେ ବୁଢୀ ମାଉସୀ । କାରଣ ଜିଏସଟି କଣ ଗାଁର ସେହି ବୁଢୀ ମାଉସୀ ଜାଣିବ ବା କେମିତି?

ବାଲେଶ୍ଵର ଔପଦାର ଜଣେ ବୁଢ଼ୀ ମାଉସୀ ହେଉଛନ୍ତି ଅନୁସୟା ଦାସ । ସକାଳ ହେଲା ମାତ୍ରେ ମୁଢି ଭଜାରେ ବ୍ୟସ୍ତ ଥାନ୍ତି ବୁଢୀ ମାଉସୀ । ମୁଢି ଭାଜିବା ପୂର୍ବରୁ ତାହାର ପ୍ରସ୍ତୁତିରେ ଲାଗିପଡ଼ିଥାନ୍ତି ଅନୁସୟା । ମୁଢି ଚାଉଳକୁ ବାଉଁଶ ପାଛିଆରେ ରଖି ପୋଖରୀରେ ଧୁଅନ୍ତି । ପରେ ସେଇ ଚାଉଳରେ ଲୁଣ ଗୋଳାଇ ଟିକିଏ ଶୁଖାଇ ଦିଅନ୍ତି । ପରେ ଚୁଲି ଉପରେ ବସିଥିବା ତତଲା ମାଟି ପଲମରେ ମୁଢି ଭାଜନ୍ତି ଅନୁସୟା । ଆଉ ଏହି ମୁଢିକୁ ବିକ୍ରି କରି ଦୁଇ ପଇସା ରୋଜଗାର ବି କରନ୍ତି ।

ଏହି ମୁଢି ବେପାର ଆଜି କି କାଲିର ନୁହେଁ ବରଂ ୪୦ ବର୍ଷର । ଆଉ ତାଙ୍କ ମୁଢି ଖାଇବାକୁ ଲୋକଙ୍କର ପ୍ରବଳ ଭିଡ ଲାଗେ । କିନ୍ତୁ ଏବେ ମୁଢି ଉପରେ ସରକାର ଜିଏସଟି ଲଗାଇବା ପରେ ଚିନ୍ତାରେ ପୂରା ପରିବାର । କାରଣ ମୁଢି ଭାଜୁଥିବା ବୁଢୀ ମାଉସୀ ଜିଏସଟି ବିଷୟରେ କିଛି ଜାଣିନାହାନ୍ତି। ସୂଚନା ଅନୁସାରେ ଗାଁକୁ ଗାଁ ବୁଲି ମୁଢି ବେପାର କରୁଥିବା ବେପାରୀଙ୍କୁ ଜିଏସଟି ଦେବାକୁ ପଡ଼ିବନି । ହେଲେ ଏବେ ତ ଘରୁ ଆସି ବେପାରୀମାନେ ମୁଢି କିଣିନେଉଛନ୍ତି। ଆଉ ତାକୁ ପ୍ୟାକେଜ୍‌ କରି ବଜାରରେ ବିକ୍ରି କରୁଛନ୍ତି । ତେଣୁ ପ୍ୟାକଟ୍‌ ଉପରେ ଜିଏସଟି ଲାଗୁ ହେବା ନେଇ ଏବେ ପୂରା ବ୍ୟବସାୟୀମାନେ ଚିନ୍ତାରେ।/

ସାଧାରଣତଃ ଉତ୍ତର ଓଡ଼ିଶାରେ ମୁଢିର ଚାହିଦା ବହୁ ଅଧିକ । ତେଣୁ ସକାଳ ହେଲା ମାତ୍ରେ ଲୋକେ ମୁଢି ଘୁଘୁନି ହିଁ ଖାଆନ୍ତି । ବ୍ରିଟିଶ ସରକାର ଯେମିତି ଲୁଣ ଉପରେ କର ଲଗାଇଥିଲା, ଠିକ୍‌ ସେହିପରି ଏ ସରକାର ମୁଢି ଉପରେ ଜିଏସଟି ଲଗାଇଥିବା ଲୋକମାନେ କହିବାକୁ ଲାଗିଲେଣି । କିନ୍ତୁ ମୁଢି ବିକ୍ରି କରୁଥିବା ଦୋକାନୀଙ୍କ ଚିନ୍ତା ଏବେ ବଢିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଢି ଉପରେ ଜିଏସଟି ଲାଗିବା ପରେ ଏବେ ପୂର୍ବପରି ଆଉ ଦୋକାନରେ ମୁଢି ବି ମିଳୁନି । କାରଣ ଏବେ ଅଧିକ ଦରରେ ମୁଢି ବିକ୍ରି ହେଉଥିବା କାରଣରୁ ଦୋକାନୀମାନେ ବି ଆଉ ମୁଢି ବିକ୍ରି କରିବାକୁ ରାଜି ହେଉନାହାନ୍ତି । ତେବେ ମୋଟ୍‌ ଉପରେ ମୁଢି ଉପରେ ଜିଏସଟି ଲାଗିବା ଘଟଣାକୁ ନେଇ ଅସନ୍ତୋଷ ହେଉଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।

ରିପୋର୍ଟର- ବିଶ୍ୱମ୍ବର ଦାସ