• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଏକ ଛାତି ଥରା ଘଟଣା । ଆଉ ଜଣେ ପୋଲିସ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା । ଏଭଳି ଏକ ଜଘଣ୍ୟ କାଣ୍ଡ ଘଟିଛି, ଗୁଜରାଟର ଆନନ୍ଦ ଜିଲ୍ଲା ବୋରସାଦ ଅଞ୍ଚଳରେ । ଜଣେ କନଷ୍ଟେବଲଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା କରାଯାଇଛି । ୨୪ ଘଣ୍ଟା ଭିତରେ ସମାନ ଢ଼ଙ୍ଗରେ ଦେଶରେ ୩ ପୋଲିସଙ୍କୁ ବର୍ବର ହତ୍ୟା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଏଭଳି ଘଟଣା ଶୁଣି ସମସ୍ତଙ୍କ ଛାତି ଥରି ଉଠିଛି । ହରିୟାଣାରେ DSP, ଝାଡ଼ଖଣ୍ଡରେ ମହିଳା SIଙ୍କ ପରେ ଗୁଜରାଟରେ କନଷ୍ଟେବଲଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି ।

 

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ହରିୟାଣାରେ ଦେଖିବାକୁ ମିଳିଥିଲା ଖଣି ମାଫିଆଙ୍କ ଦୌରାତ୍ମ୍ୟ । ଜଣେ ଡିଏସ୍‌ପିଙ୍କୁ ଡମ୍ପର ଚଢାଇ ହତ୍ୟା କରିଥିଲେ ଖଣି ମାଫିଆ । ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା । ହରିୟାଣା ନୁହ ଜିଲ୍ଲାର ପଛଗାଁଓ । ଆରାବଳୀ ପର୍ବତରେ ବେଆଇନ୍ ଖନନ ଏବଂ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇ ।

ସେହି ସମୟରେ ବେଆଇନ୍ ଭାବେ ଡମ୍ପରରେ ପଥର ଚାଲାଣ କରୁଥିଲେ ମାଫିଅ । ଡିଏସପି ବିଷ୍ଣୋଇ ଗାଡି ଅଟକାଇବାକୁ ଉଦ୍ୟମ କରିଥିଲେ । ଏପରିକି ସାହସର ସହ ଗାଡି ଆଗକୁ ଆସି ଡ୍ରାଇଭରକୁ ରୋକିବାକୁ କହିଥିଲେ । ହେଲେ ରୋକିବା ବଦଳରେ ସୁରେନ୍ଦ୍ରଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲା ଡ୍ରାଇଭର । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏଥି ସହିତ ପଥର ଗାଡି ଧରି ଚମ୍ପଟ ମାରିଥିଲେ ମାଫିଆ । 

ସେହିଭଳି ଆଉ ଏକ ଘଟଣା ହେଉଛି, ଝାଡଖଣ୍ଡ ରାଞ୍ଚିରେ ଗାଡି ଯାଞ୍ଚ ସମୟରେ ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଜାଣିଶୁଣି ଗାଡ଼ି ଚଢ଼ାଇ ଦେଇଛି ପିକଅପ୍ ଭ୍ୟାନ୍ ଡ୍ରାଇଭର । ଗାଡ଼ିଟି ଏତେ ଜୋରରେ ସବ୍ ଇନ୍ସପେକ୍ଟର ସାନ୍ଧ୍ୟା ଟପ୍ନୋଙ୍କୁ ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅପରାଧ ଘଟାଇ ଅଭିଯୁକ୍ତ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଏବେ ଅଭିଯୁକ୍ତକୁ ଖୋଜୁଛି । ରାଞ୍ଚି ଜିଲ୍ଲାର ତୁପୁଦାନା ଅଞ୍ଚଳର ଏହି ଘଟଣା ଘଟିଛି । ୨୦୧୮ ବ୍ୟାଚର ପୋଲିସ୍ SI Sandhya Topno ଆଜି ସକାଳ ୩ଟାରେ ଗାଡି ଯାଞ୍ଚ କରୁଥିଲେ ।