• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠୁ ସାରା ଦେଶରେ ନିଷେଧ ହୋଇଛି ସିଙ୍ଗଲ୍ ୟୁଜ ପ୍ଳାଷ୍ଟିକ ଉତ୍ପାଦନ । ଏହାର ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ପୂର୍ଣ୍ଣ କଟକଣା ଲଗାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ବ୍ୟାନ୍ ଲଗାଯାଇଛି । ତେବେ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟ ସରକାର ଓଡ଼ିଶାରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରିଥିଲେ ମାତ୍ର ଦୋକାନୀ ହୁଅନ୍ତୁ କି ଗ୍ରାହକ, ସମସ୍ତେ ନିୟମକୁ ଫୁରେ ଉଡାଇ ଦେଇଥିଲେ । ତେବେ ଏଥର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିବା ବେଳେ ଏନେଇ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଗଠନ ହୋଇଛି । ତେଣୁ ସିଙ୍ଗଲ୍ ୟୁଜ ପ୍ଳାଷ୍ଟିକ ବ୍ୟବହାର ଉପରେ ଅଂକୁଶ ଲାଗିବା ଆଶା କରାଯାଉଛି ।

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରେ ପ୍ରଥମ ଦିନରେ ହିଁ ଚଡ଼ାଉ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ କେନ୍ଦ୍ର ଲଗାଇଥିବା ନିଷିଦ୍ଧ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ପଲିଥିନ୍, ପ୍ଲାଷ୍ଟିକ୍‌ରେ ତିଆରି ଇଅର ବଡ୍ , ବେଲୁନ୍ ପାଇଁ ବ୍ୟବହାର ପ୍ଲାଷ୍ଟିକ୍ , ପ୍ଲାଷ୍ଟିକ୍ ପତାକା , ଷ୍ଟିକର ପ୍ଲେଟ୍ , କପ୍ , ଗ୍ଲାସ୍ , ଚାମଚ , ଛୁରି , ଷ୍ଟ୍ର, ଟ୍ରେ ଆଦି । 

୧୦୦ ମାଇକ୍ରନରୁ କମ୍ ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର, ଷ୍ଟିକର ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଚିହ୍ନଟ ହୋଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀଗୁଡ଼ିକର କଡ଼ାକଡ଼ି ଯାଞ୍ଚ ଲାଗି ଜାତୀୟ ଓ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ ଗଠନ କରାଯିବା ସହ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ରହିବ । ନିଷିଦ୍ଧ ହୋଇଥିବା ଯେକୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକର ଆନ୍ତଃରାଜ୍ୟ ଚାଲାଣ ବନ୍ଦ କରିବା ନିମନ୍ତେ ସୀମା ଚେକ୍ ପଏଣ୍ଟ ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡିସେମ୍ବର ୩୧ରୁ ୧୨୦ ମାଇକ୍ରନରୁ କମ ପ୍ଲାଷ୍ଟିକ୍ ବ୍ୟବହାରକୁ ବି ନିଷେଧ କରାଯିବ ବୋଲି ପରିବେଶ ମନ୍ତ୍ରାଳୟ କହିଛି ।

 

ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ପରେ ରେଷ୍ଟୁରାଣ୍ଟ ଓ ହୋଟେଲ ଶିଳ୍ପ ଉପରେ ତୁରନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପଲିଥିନ୍ ବଦଳରେ ସିଲଭର ଫଏଲରେ ଖାଦ୍ୟ ପାର୍ସଲ କରାଯାଉଛି । ପଲିଥିନ ପ୍ରସ୍ତୁତକାରୀ ଫାକ୍ଟ୍ରିରେ ବି ସମାନ ସ୍ଥିତି । ପଲିଥିନ୍ ବଦଳରେ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ତେବେ ତରବରିଆ ଭାବେ ପଲିଥିନ୍ ନିଷେଧ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବାକୁ ବିରୋଧ କରିଛି ରାଜ୍ୟ ବ୍ୟବସାୟୀ ସଂଘ । ଯେପର୍ଯ୍ୟନ୍ତ କୌଣସି ବିକଳ୍ପ ଆସିନାହିଁ, ସେଯାଏଁ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ କିଛି ମାସ କଟକଣାକୁ କୋହଳ କରିବାକୁ ଦାବି କରିଛି ସଂଘ । ଫ୍ୟାକ୍ଟ୍ରି ମାଲିକଙ୍କ କହିବା କଥା ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ କିନ୍ତୁ ଏହାଦ୍ୱାରା ବହୁ ଲୋକ ରୋଜଗାର ହରାଇବେ । ତେବେ ନିର୍ଦ୍ଦେଷ କଡ଼ାକଡି କାର୍ଯ୍ୟକାରୀ ଉପରେ ଗୁରୁତ୍ତ୍ୱ ଦେଇଛନ୍ତି ପରିବେଶବିତ ।

୩ ବର୍ଷ ତଳେ ରାଜ୍ୟ ସରକାର ପଲିଥନ୍ ବ୍ୟବହାର ଉପରେ କଟକଣା ଲଗାଇଥିଲେ । ତେବେ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇନଥିବାରୁ ଏହାର ସୁଫଳ ଦେଖିବାକୁ ମିଳିନଥିଲା । ତେବେ ଏଥର କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ଏହାର ପ୍ରଭାବ କଣ ରହୁଛି, ତାହା ଦେଖିବାକୁ ରହିଲା ।

ରିପୋର୍ଟର- ଦେବାଶିଷ ମହାନ୍ତି, ବିବର୍ତ୍ତନ ପଣ୍ଡା, ଜଗଦୀଶ ଦାସ