/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746277015.jpg)
ramakrushna
ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍। ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁଯାୟୀ ନୋଟିସ୍ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବା ସମ୍ଭାବନା। ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ହୋଇପାରେ ପଚରାଉଚରା । ଦାରୁଗୃହର ଚାବି କାହା ପାଖରେ ଥିଲା, କେତେ ଦାରୁ ଥିଲା ପଚରାଯିବ । ଆସନ୍ତାକାଲି ପୂର୍ବାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା। ସେପଟେ ଦୀଘା ମନ୍ଦିର ସଂପର୍କରେ କାହାରି କୌଣସି ମତାମତ ଥିଲେ ସେ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଜଣାଇପାରିବେ। ଏ ନେଇ ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ଲିଖିତ ଭାବେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ନୋଟିସ ଜାରି କରିଛନ୍ତି।
ଅଧିକ ପଢ଼ନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଲେ NHRC, କମିଶନ୍ ସଦସ୍ୟ କହିଲେ ‘ଖୁବଶୀଘ୍ର ହେବ ତଦନ୍ତ’
ରାମକୃଷ୍ଣ ଦାସମହାପାତ୍ର ବେଙ୍ଗଲରେ ଥିବାବେଳେ କହିଥିଲେ, ଦୀଘା ଜଗନ୍ନାଥଙ୍କୁ ମୁଁ ଦାରୁବ୍ରହ୍ମ କାଠରେ ତିଆରି କରି ପୁରୀରୁ ଆଣିଛି । ଆଉ ପୁରୀ ଫେରିବା ପରେ ସିଧା ତାକୁ ଫାଙ୍କି ଦେଇଥିଲେ ରାମକୃଷ୍ଣ ଦାସମହାପାତ୍ର । ଏଣେ ଜଣେ ବରିଷ୍ଠ ଦଇତାପତି ସେବକଙ୍କ ମୁହଁରେ ଏଭଳି ଦୁଇ ପ୍ରକାର କଥାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ବିଭ୍ରାନ୍ତି ଓ ସେବାୟତ ମହଲ କ୍ଷୁବ୍ଧ। ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ରାମକୃଷ୍ଣ, ଅକ୍ଷୟ ତୃତୀୟା ପୂର୍ବରୁ ଏକ ବଙ୍ଗାଳୀ ଟିଭି ଚ୍ୟାନେଲକୁ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇ କହିଥିଲେ- ଶ୍ରୀମନ୍ଦିରରେ ନବକଳେବର ବେଳେ ଠାକୁରଙ୍କୁ ନିର୍ମାଣ ପରେ ବଳି ପଡ଼ିଥିବା କାଠରେ ପୁରୀରୁ ଜଗନ୍ନାଥଙ୍କୁ ତିଆରି କରି ଦୀଘା ଆଣିଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଥର ମୂର୍ତ୍ତି ସ୍ଥାପନ ପାଇଁ କହିଥିଲେ- ହେଲେ ମୁଁ ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ଲାଗି ପରାମର୍ଶ ଦେଇଥିଲି । ଯେହେତୁ ସେ ମେତେ ଠାକୁର ପୁରୀରୁ ତିଆରି କରି ଆଣିବାକୁ କହିଥିଲେ, ତେଣୁ ମୁଁ ତାହା ଧରି ଆସିଛି । ହେଲେ ପୁରୀ ଆସିବା ପରେ ପୁରା ଓଲଟା କଥା, ରାମକୃଷ୍ଣ କହୁଛନ୍ତି- ସେମିତି ମୁଁ କିଛି କହିନଥିଲି ।
ଏଣେ ରାମକୃଷ୍ଣଙ୍କ ଏଭଳି ଗୋଳ ମାଳିଆ ବକ୍ତବ୍ୟକୁ ନେଇ ଗୁଢ଼ ସନ୍ଦେହ । ପ୍ରଶ୍ନ ଉଠିଛି- ସତରେ ନବକଳେବର ଦାରୁ କାଠରେ ତିଆରି ହୋଇନାହାନ୍ତି ତ ଦୀଘା ଦିଅଁ ? ଯେହେତୁ ସେଠିକା ମନ୍ଦିରରେ ଅଢ଼େଇ ଫୁଟ ଉଚ୍ଚର ଚତୁର୍ଦ୍ଧା ମୂରତି ବସିଛନ୍ତି- ତେଣୁ ସନ୍ଦେହକୁ ଆହୁରି ବଳିଷ୍ଠ କରିଛି । ଏମିତିକି ଖୋଦ୍ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର ମଧ୍ୟ ରାମକୃଷ୍ଣଙ୍କୁ ଏ ପ୍ରସଙ୍ଗରେ ଘେରିବା ସହ ତାଙ୍କୁ ସେଠିକୁ କିଏ ପଠାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ତାସହ ଦାରୁ କାଠରେ ଦୀଘା ଜଗନ୍ନାଥଙ୍କୁ ନିର୍ମାଣ କରି ପୁରୀରୁ ନେଇଥିବା ନେଇ ଦେଇଥିବା ମନ୍ତବ୍ୟ ପରେ ଦାରୁ ଗୃହର ସୁରକ୍ଷା ନେଇ ବି ପ୍ରଶ୍ନ ଉଠିଛି।