• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳିଆର ଦିବ୍ୟଲୀଳା । ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀ ଦୀର୍ଘ ଦୁଇବର୍ଷ ପରେ ପୁଣି ଭକ୍ତ ଗହଣରେ ବଡ଼ଦାଣ୍ଡରେ ଗଡ଼ିଲା ଭାବର ଠାକୁରଙ୍କ ଦିବ୍ୟରଥ । ସଅଳ ନୀତିକାନ୍ତିରୁ ନିର୍ଧାରିତ ସମୟର ଢେର ଆଗରୁ ରଥ ଟଣା ହୋଇ ସଂଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଯାଇଛି ତିନି ରଥ ।

ଦୀର୍ଘ ଦୁଇ ବର୍ଷ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ । ଅନ୍ୟପଟେ ବେଏଗି ବେଏଗି ଭକ୍ତସାଗରରେ ମିଶିବାକୁ ଯେମିତି ଉଚ୍ଛନ୍ନ ହେଉଥିଲେ ଭାବଗ୍ରାହୀ । ବୋଧେ ସେଇଥିପାଇଁ ଏଥର ନିର୍ଦ୍ଧାରିତ ସମୟର ଢେର ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର । ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମାଆ ସୁଭଦ୍ରା । ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରାପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ସୁନା ଝାଡ଼ୁରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି ।

ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଚାରମାଳ ଫିଟାଯାଇ ନିର୍ଦ୍ଧାରିତ ସମୟ ୪ଟା ପରିବର୍ତ୍ତେ ଦିନ ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍‌ଘର୍‌ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।

ସଅଳ ନୀତିକାନ୍ତି ଓ ରଥଟଣା ପାଇଁ ସଂଧ୍ୟା ପୂର୍ବରୁ ଶରଧାବାଲିରେ ଗୋଟି ଗୋଟି ହୋଇ ଲାଗି ଯାଇଛି ତିନି ରଥ । ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର ।