• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀକ୍ଷେତ୍ର ପୁରୀ ଭଳି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ମହାଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ସବୁଠି ଦେଉଳ ବାହାରକୁ ଆସି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ଼ ଦିଅଁ ।

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ସାବର ଶ୍ରୀକ୍ଷେତ୍ର କୋରାପୁଟ, ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର । ସବୁଠି ବିଧି ବିଧାନ ଓ ପରମ୍ପରା ସହ ଘୋଷଯାତ୍ରା ସାଙ୍ଗକୁ ଦେଉଳ ବାହାରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ଼ ଦିଅଁ । ମହାମାରୀ କରୋନା ପାଇଁ ୨ ବର୍ଷ ଧରି ଗଡ଼ିନଥିଲା ରଥ । ତେଣୁ ଆଜିର ଦିନକୁ ଅପେକ୍ଷା କରିଥିଲେ ଅସଂଖ୍ୟ ଭକ୍ତଗଣ । ସାବର ଶ୍ରୀକ୍ଷେତ୍ର କୋରାପୁଟରେ ସକାଳୁ ସମସ୍ତ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ ତିନି ଠାକୁର ।ପରେ ୩ ରଥରେ ୩ ଆଦିବାସୀ ଗାଁ ମୁଖିଆଙ୍କ ଛେରା ପହଁରା ଓ ଅନ୍ୟ ନୀତିି ପରେ ଆରମ୍ଭ ହୋଇଥିଲା ରଥଟଣା ।

ରଥଯାତ୍ରା ଲାଗି ପ୍ରତ୍ୟୁଷରୁ ଲୋକାରଣ୍ୟ ହୋଇସାରିଥିଲା କେନ୍ଦ୍ରାପଡ଼ାର ବଳଦେବଜୀଉ ପୀଠ । ପହଣ୍ଡି, ଛେରାପହଁରା ଓ ଠାକୁରଙ୍କ ରଥବିଜେ ନୀତି ଦେଖିବାକୁ ଅପେକ୍ଷା କରିଥିଲେ ହଜାର ହଜାର ଭକ୍ତ । ସେହିଭଳି ରଥଯାତ୍ରା ଅବସରରେ ଭକ୍ତି ଭାବରେ ବୁଡ଼ିଥିଲା କେନ୍ଦୁଝର ସହର । ଅସଂଖ୍ୟ ଭକ୍ତଙ୍କ ଗହଣରେ ତିନି ବିଶାଳ ରଥରେ ବିଜେ କରିଥିଲେ ତିନି ଠାକୁର । ଏଠାରେ ସଂଧ୍ୟା ପର୍ଯ୍ୟନ୍ତ ରଥ ଟାଣିବାକୁ ଭକ୍ତଙ୍କ ଭିତରେ ଲାଗି ରହିଥିଲା ପ୍ରବଳ ଉତ୍ସାହ । ବାରିପଦା ସହରରେ ଆଜି ଠାକୁରମାନେ ପହଣ୍ଡି ବିଜେ ସହ ରଥାରୁଢ଼ ହୋଇଥିଲେ ବି ପରଂପରା ଅନୁସାରେ ଏଠାରେ ଆସନ୍ତା ଦୁଇ ଦିନ ଧରି ହେବ ରଥଟଣା । ସେପେଟ ପୁରୀ କୃଷ୍ଣପ୍ରସାଦ ଚିଲିକା ଭିତରେ ଥିବା ଛୋଟିଆ ଟାପୁ କାଙ୍କଣ ଶିଖିରୀରେ ନୌକା ଉପରେ ନିର୍ମିତ ରଥରେ ଠାକୁରମାନଙ୍କ ଜଳଯାତ୍ରାର ଦୃଶ୍ୟ ଥିଲା ଅତିବ ମନୋରମ ।

ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ବି ବେଶ୍ ଜାକଜମକରେ ପାଳିତ ହୋଇଛି ରଥଯାତ୍ରା ଉତ୍ସବ । ସବୁବର୍ଷ ଭଳି ଏ ବର୍ଷ ବି ରାଜଧାନୀ ଦିଲ୍ଲୀର ହଜଖାସ୍ ଓ ପୁରାତନ ତ୍ୟାଗରାଜନ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସୁଦୃଶ୍ୟ ରଥ ସାଙ୍ଗକୁ ଶୃଙ୍ଖଳିତ ଯାତ୍ରାର ଆୟୋଜନ କରାଯାଇଥିଲା । ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିଭଳି ଏଥର ପ୍ରଥମ ଥର ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରଥଯାତ୍ରାର ଆୟୋଜନ କରାଯାଇଛି । ରଥଯାତ୍ରା ଲାଗି ଗୁଜରାଟ ଅହମ୍ମଦାବାଦ ସ୍ଥିତ ଜଗନ୍ନାଥ ମନ୍ଦିରରେ ସକାଳୁ ସୃଷ୍ଟି ହୋଇଥିବା ଭକ୍ତିମୟ ପରିବେଶ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କ ଉପସ୍ଥିତିରେ ଏଠାରେ ରଥ ଟାଣିଥିଲେ ଅଗଣିତ ଭକ୍ତ । ତା’ପୂର୍ବରୁ ଜଗନ୍ନାଥ ମନ୍ଦିର ଯାଇ ଆଳତି କରିଥିଲେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ।

ସେପଟେ ହାଇଦ୍ରାବାଦ ବୋଲାରାମ୍ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଥିଲା ଭକ୍ତଙ୍କ ଅସମ୍ଭବ ଭିଡ଼ । ଏଠାରେ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେପଟେ ମହାରାଷ୍ଟ୍ରର ନଭି ମୁମ୍ବାଇ ଓ ଗୁଜରାଟର ସୁରତ ସହରରେ ମଧ୍ୟ ରଥଯାତ୍ରାର ଧୂମ ଦେଖିବାକୁ ମିଳିଥିଲା ।

ଭାରତ ବାହାରେ ମଧ୍ୟ ବିଭିନ୍ନ ଓଡ଼ିଶା ସମାଜ ଓ ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ମହାସମାରୋହରେ ରଥଯାତ୍ରାର ଆୟୋଜନ କରାଯାଇଛି । ଦେଶ ଓ ଦେଶ ବାହାରେ ଇସ୍କନ ସଂଗଠନ ପକ୍ଷରୁ ମଧ୍ୟ ରଥଯାତ୍ରା ପାଳିତ ହୋଇଛି ।