/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746271972.jpg)
ଏଥର ଲଢେଇ ଆରପାର୍
ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଆତଙ୍କବାଦୀ ସମର୍ଥକଙ୍କୁ ଛାଡ଼ିବୁ ନାହିଁ। ତାଙ୍କ ବିରୋଧରେ ହେବ ନିର୍ଣ୍ଣାୟକ ଲଢ଼େଇ । ମାନବଜାତି ଉପରେ ଆତଙ୍କବାଦ ସବୁଠୁ ବଡ଼ ବିପଦ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ବର୍ଷିଛନ୍ତି ମୋଦି । ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ସେହିପରି ପାକସ୍ତାନ ବିରୋଧରେ ଆଜି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତ । ପାକିସ୍ତାନ ସହ ଡାକ ଓ ପାର୍ସଲ ଆଦାନ ପ୍ରଦାନ ବନ୍ଦ କରିଛି ଭାରତ । ଏନେଇ ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଉଭୟ ଆକାଶପଥ ଓ ସ୍ଥଳପଥରେ ପାର୍ସଲ ଆଦାନ ପ୍ରଦାନ ବ୍ୟାନ୍ କରାଯାଇଛି ।
ସେପଟେ ପାକିସ୍ତାନ ବିରୋଧରେ ଅଧିକ କଠୋର ହେଲା ଭାରତ । ପାକିସ୍ତାନ ଜାହାଜ ଭାରତ ଆସିବା ଉପରେ କଟକଣା ଲାଗିଛି । ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା କରାଯାଇଛି । ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା । ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବାକୁ ବାରଣ କରାଯାଇଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ: ‘ମୋଦି-ଶାହ ମୋତେ ବୋମା ଦିଅ...ମୁଁ ଦେହରେ ବାନ୍ଧି ଯିବି ପାକିସ୍ତାନ’
ସେହିପରି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନଠୁ ଭାରତ ସମସ୍ତ ପ୍ରକାର ଆମଦାନୀକୁ ନିଷେଧ କରିଛି । ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ନିକଟରେ ପାକିସ୍ତାନରୁ ଆସିବା ପାଇଁ ପ୍ରସ୍ତୁତ ଥିବା ସମସ୍ତ ପ୍ରକାର ଆମଦାନୀ ଉପରେ ଏହି କଟକଣା ଜାରି କରାଯାଇଛି ।
ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ମଧ୍ୟ ବ୍ୟାନ୍ କରାଯାଇଛି। ପାକିସ୍ତାନରୁ ଉତ୍ପାଦିତ କିମ୍ବା ପାକିସ୍ତାନରୁ ରପ୍ତାନୀ ହେଉଥିବା ପ୍ରତ୍ୟେକ ଜିନିଷ ଉପରେ ତୁରନ୍ତ ଏହି ନିୟମ ଲାଗୁ କରାଯାଇଛି । ତେବେ ଅତ୍ୟାବଶ୍ୟକ ଭିତ୍ତିରେ ଯଦି ସେଭଳି କୌଣସି ଜିନିଷର ଆମଦାନୀ ଆବଶ୍ୟକତା ଥାଏ, ତେବେ ସେ କ୍ଷେତ୍ରରେ ସରକାରଙ୍କ ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)