Advertisment

ଭୋଟ୍ ଲୋଭରେ ଭଣ୍ଡାର ଖୋଲା ! ଆଗତ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍

ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୦୮୩କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୨କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Odisha Assembly

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ନିର୍ବାଚନୀ ବର୍ଷ ପାଇଁ ବିଧାନସଭାରେ ଆଗତ ହେଲା ୨୮ ହଜାର ୨ ଶହ କୋଟିର ଅତିରିକ୍ତ ବଜେଟ୍ । ଭୋଟ୍ ଲୋଭରେ ଏକାଧିକ ଲୋଭାଣିଆ ଯୋଜନା ପାଇଁ ଯେମିତି ଭଣ୍ଡାର ଖୋଲି ଦିଆଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଓ ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ତେବେ ରାଜ୍ୟରେ ଏବେ ବି ୧୯ ହଜାର ଟଙ୍କା ଉପରେ ରହିଛି ମୁଣ୍ଡପିଛା ଋଣଭାର । ଆଉ ସେପଟେ ଏଇ ଅଧିବେଶନ ହିଁ ଆଗାମୀ ନିର୍ବାଚନ ଲାଗି ରଣନୀତିର ଭିତ୍ତି ପକାଉଥିବାରୁ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗର ଅସ୍ତ୍ର ସହ ପ୍ରସ୍ତୁତ ବିରୋଧୀ ।

Advertisment

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ସରକାରଙ୍କୁ ଅକଳରେ ପକାଇବାକୁ ବିରୋଧୀ ପ୍ରସ୍ତୁତ, କାଉଣ୍ଟର ପାଇଁ ଶାସକ ଦଳ ବି ତୟାର । ଅଧିବେଶନ ସାରା ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ଷ୍ଟ୍ରାଟେଜି କରିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ନିଅଣ୍ଟିଆ ବର୍ଷା ପାଇଁ ଚାଷ ନଷ୍ଟ, ଶିକ୍ଷକ ଆନ୍ଦୋଳନ, ଛାତ୍ର ସଂସଦ ନିର୍ବାଚନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ସହ 5T ସଚିବଙ୍କ ହେଲିକପ୍ଟର ଗସ୍ତ, ରତ୍ନଭଣ୍ଡାର, ନବ ଦାସ ହତ୍ୟାକାଣ୍ଡ, ଭୁବନେଶ୍ୱର ଉପକଣ୍ଠ ଜମି ହଡ଼ପ ଭଳି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବାକୁ ନିଷ୍ପତ୍ତି ନେଇଛି ଦଳ ।

ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା, ନାରୀ ନିର୍ଯାତନା, ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ ଆଦି ପ୍ରସଙ୍ଗରେ ବି ବିଜେପି ରାଜ୍ୟ ସରକାରଙ୍କୁ କାଠଗଡାରେ ଛିଡ଼ା କରିବ । ସେପଟେ କଂଗ୍ରେସ ବି ଶାସକ ଦଳକୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଦଳ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଘେରିବାକୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି । ଅପରପକ୍ଷେ ବିରୋଧୀଙ୍କୁ ସାମ୍ନା କରିବାକୁ ସରକାରୀ ଦଳ ବି କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି । ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ବିଜେଡି ଦୁଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରିଥିବାରୁ ଚଳିତ ଅଧିବେଶନଟି ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

Advertisment

ଅନ୍ୟପକ୍ଷରେ ଏହି ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍‌କୁ ପାରିତ କରାଯିବ । ଏଥିପାଇଁ ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୦୮୩କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୨କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଅତିରିକ୍ତ ବଜେଟରେ ନୂଆ ଯୋଜନା ମଧ୍ୟରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି, ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି, ମେଟ୍ରୋ ପ୍ରକଳ୍ପ ପାଇଁ ୨୧୦ କୋଟି, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୧୫୩ କୋଟି ଟଙ୍କାର ବ୍ୟୟ ଅଟକଳ । ଏହି ଅର୍ଥରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ବଳକା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଅପରପକ୍ଷେ ୨୦୨୩ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ଋଣଭାର ମୋଟ୍ ଘରୋଇ ଉତ୍ପାଦର ୧୦.୩ ପ୍ରତିଶତ ବା ୮୮ ହଜାର ୪୮୭ କୋଟି ଟଙ୍କା ରହିଛି । ଫଳରେ ରାଜ୍ୟର ମୁଣ୍ଡପିଛା ଋଣଭାର ୧୯ ହଜାର ୧୭୧ ଟଙ୍କାରେ ପହଞ୍ଚିଛି । ନିର୍ବାଚନୀ ବର୍ଷ ଥିବାରୁ ଏଥର ବିଧାନସଭାରେ ଶାସକ- ବିରୋଧୀଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିପାରେ । କାରଣ ଭୋଟ୍ ପାଇଁ ଜନତାଙ୍କ ପାଖକୁ ଯିବାକୁ ହାତରେ ଆଉ ବେଶି ସମୟ ନଥିବାରୁ ଏଇଠୁ ହିଁ ବିରୋଧୀଙ୍କ ରଣନୀତି ଆଗାମୀ ଦିନ ଲାଗି ଲଢ଼େଇର କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କୁହାଯାଉଛି ।

Odisha Assembly
Advertisment
Advertisment