• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

ଗୃହ ନିର୍ମାଣ ପାଇଁ ଯେଉଁ ବିଦ୍ୟାକୁ ବ୍ୟବହାର କରାଯାଏ ତାହାକୁ ବାସ୍ତୁଶାସ୍ତ୍ର କୁହାଯାଏ। ଏହା ଦୁଇ ଭାଗରେ ବିଭକ୍ତ ହୋଇଥିଲେ ବି ସାଧାରଣ ଭାବରେ ବାସ୍ତୁଶାସ୍ତ୍ରର ଜ୍ଞାନ ଥିବା ବ୍ୟକ୍ତିମାନେ ଏହାକୁ ଗୋଟିଏ ବୋଲି ବିବେଚନା କରନ୍ତି। ବାସ୍ତୁଶାସ୍ତ୍ରର ଏହି ଦୁଇଟି ଭାଗରୁ ଗୋଟିଏ ହେଉଛି ସ୍ଥାପତ୍ୟ ବିଦ୍ୟା (Architectures) ଓ ଅନ୍ୟଟି ହେଉଛି ବାସ୍ତୁ୍ବିଦ୍ୟା (Vastu Shastra)।

ସ୍ଥାପତ୍ୟ ବିଦ୍ୟାର ଜ୍ଞାନ ବଳରେ ଗୃହର ବିଜ୍ଞାନଭିତିକ ନକ୍ସାଟିଏ ପ୍ରସ୍ତୁତ କରାଯାଇଥାଏ। ଯେଉଁଠାରେ ଗୃହକର୍ତ୍ତାଙ୍କର ଆବଶ୍ୟକତାକୁ ନେଇ କେତୋଟି ଶୟନ କକ୍ଷ, କେତୋଟି ଶୌଚାଳୟ, ଯାନ ବାହନ ରଖିବାର ସ୍ଥାନ(parking place), ବାଲ୍‌କୋନୀ ଇତ୍ୟାଦିକୁ ବିଚାରକୁ ନିଆଯାଏ। ଏହା କେବଳ ଭୂମି ଉପରେ ଗୃହର ନକ୍ସାଟିଏ କରିଦିଏ।

ତେବେ ନକ୍ସାର ଆଧାରରେ ନିର୍ମାଣ ଘର ଆମକୁ ସୁଖ, ଶାନ୍ତି, ସମୃଦ୍ଧି ଦେବ କି ନାହିଁ ତାହାର ବ୍ୟବସ୍ଥା ସେହି ନକ୍ସାରେ ନଥାଏ। ତେଣୁ ଏନେଇ ବାସ୍ତୁଶାସ୍ତ୍ରର ସାହାଯ୍ୟ ନିଆଯାଏ। ନକ୍ସା ପ୍ରସ୍ତୁତି ସହ ବାସ୍ତୁନିୟମକୁ ପ୍ରୟୋଗ କରାଯାଇଥାଏ। ଏହା କେବଳ ବାସ୍ତୁଶାସ୍ତ୍ରରେ ସବିଶେଷ ଧାରଣା ଥିବା ବ୍ୟକ୍ତିଙ୍କ ଦ୍ୱାରା ସମ୍ଭବ ହୋଇଥାଏ।

ବାସ୍ତୁଶାସ୍ତ୍ରକୁ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ଦୃଷ୍ଟିରେ ବାସ୍ତୁଶାସ୍ତ୍ର ନିୟମ ବିନା ନିର୍ମିତ ଗୃହ ମୂଲ୍ୟହୀନ। କିନ୍ତୁ କେତେକ ବାସ୍ତୁଶାସ୍ତ୍ରକୁ ମୂଲ୍ୟହୀନ ଏବଂ ଭିତ୍ତିହୀନ ବୋଲି ବିଚାର କରି ଏହାର ନୀତି ନିୟମକୁ ମାନନ୍ତି ନାହିଁ। ଏସବୁ ଅଯଥା ବା ଅପବ୍ୟୟ ବୋଲି ସେମାନେ ବିଚାର କରନ୍ତି।

ସେମାନେ କିନ୍ତୁ ଗୃହ ନିର୍ମାଣ ପରେ ନାମକୁ ମାତ୍ର ପୂଜା କରି ଗୃହ ପ୍ରବେଶ କରନ୍ତି। ପରେ ଯେତେବେଳେ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହୁଅନ୍ତି ସେତେବେଳେ ବାସ୍ତୁ କଥା ମନେପଡେ। ଯଦି ଏତେ ବ୍ୟୟ କରି ଗୃହଟିଏ ନିର୍ମାଣ କରୁଛେ ତେବେ ବାସ୍ତୁବିଦ୍ୟାର ପ୍ରୟୋଗରେ କିଛି ଅର୍ଥ୍ୟ ବ୍ୟୟ କଲେ କ୍ଷତି କ’ଣ। ସୁଖ, ଶାନ୍ତି ପାଇଁ ବାସ୍ତୁବିଦ୍ୟା ଏବେ ବହୁଳ ମାତ୍ରାରେ ପ୍ରୟୋଗ କରାଯାଉଛି।

ବେଳେ ବେଳେ ଏମିତି ମଧ୍ୟ ହୁଏ ପାଖରେ ପର୍ଯ୍ୟାପ୍ତ ଧନ ଥିବ ଆଉ ଭୂମି ଉପରେ ଘର ମଧ୍ୟ ନିର୍ମାଣ ହେଉଥିବ। କିନ୍ତୁ ଘର ଅଧାରେ ଏମିତି ଅସୁବିଧା ଦେଖାଯାଏ ଯେ ନିର୍ମାଣ କାମକୁ ଅଧାରେ ରଖିବାକୁ ପଡେ। ଅନେକ ସମୟରେ ଏହା କାରଣ ଦେଖାଯାଇଛି ଯେ ଘର ପାଇଁ ରଖାଯାଇଥିବା ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହୋଇଯିବାର। ତେବେ ଏହା ପରେ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ ଆସନ୍ତୁ ଜାଣିନେବା।

  • ଭୂମି ଶୁଦ୍ଧ ନ କରି, ଗୃହ ନିର୍ମାଣ କଲେ ଏପରି ସ୍ଥିତି ଉପୁଜି ଥାଏ।
  • ଗୃହକର୍ତ୍ତାଙ୍କର ଚନ୍ଦ୍ର, ରବି, ଗୁରୁ, ନକ୍ଷତ୍ର ଆଦି ଶୁଦ୍ଧ ନିର୍ଣ୍ଣୟ ନକରି ଗୃହ ଆରମ୍ଭ ଦ୍ୱାରା ଅନେକ ବାଧାବିଘ୍ନ ଉପୁଜି ଥାଏ ।
  • ଗୃହ ଆରମ୍ଭ ସମୟରେ ଯଦି ନିଅଁ ଖୋଳା କାର୍ଯ୍ୟରେ ନାଗ ଶୁଦ୍ଧି ବିଚାର ନ କରି ଭୂମିର ଯେକୌଣସି ସ୍ଥାନରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥାଏ ତେବେ ଏହି ପରିସ୍ଥିତି ଆସେ।
  • ଯଦି ଭୂମିରେ କୌଣସି ଶଲ୍ୟ ଦୋଷ ଥାଏ ତେବେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅନେକ ବାଧା ଉପୁଜିଥାଏ।

ପ୍ରତିକାର:

ଏହିସବୁ ଦୋଷ ଖଣ୍ଡନ ପାଇଁ ଶାସ୍ତ୍ରରେ ପ୍ରତିକାରର ବ୍ୟବସ୍ଥା ଅଛି। ପଲାସ କାଠକୁ ଅଭିମନ୍ତ୍ରିତ କରି ପ୍ରତ୍ୟେକ ଦିଗ ଏବଂ କୋଣରେ ପୋତିବା ସହିତ ବ୍ରହ୍ମ ସ୍ଥାନରେ ମଧ୍ୟ ପୋତି ବାସ୍ତୁ ଶାନ୍ତି ହୋମ କରିବେ। ଏହା କରିବା ଦ୍ୱାରା ଏହି ଦୋଷର ଖଣ୍ଡନ ହୋଇ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଥାଏ । ଏହି ଅନେକ ଥର ପ୍ରମାଣିତ ହୋଇଛି।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now