Advertisment

Summer Breakfast Tips: ଖରାଦିନେ କେଉଁ ଜଳଖିଆ ଦେହ ପାଇଁ ଭଲ...ଜାଣନ୍ତୁ କ’ଣ ଖାଇବେ...

ଆମର ପିଲାଦିନର ମୁଖ୍ୟ ଜଳଖିଆ ଥିଲା ଚୁଡ଼ା କଦଳୀ ସହ ଦହି ମିଶାଇ ପ୍ରସ୍ତୁତ ଏକ ଚକଟା। ଲୋକମୁଖରେ ବ୍ରାହ୍ମଣ ଭୋଜନ ଭାବେ ଆଦୃତ ଏହି ଚୁଡ଼ା ପାଗ କିନ୍ତୁ ଖରାଦିନେ ପେଟ ଥଣ୍ଡା ରଖିବାର ଏକ ବଢ଼ିଆ ଉପାୟ। ଚୁଡ଼ା, ଦହି, ଛେନା, କଦଳୀ ମିଶାଇ, ସ୍ୱାଦ ପାଇଁ ଅଳ୍ପ ଗୁଡ଼ ଓ ଲୁଣ ଦେଇ ଖାଇଲେ ଆମକୁ ଏକ ସନ୍ତୁଳିତ ଆହାର ମିଳେ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ଖରାଦିନିଆ ଜଳଖିଆ

ଖରାଦିନିଆ ଜଳଖିଆ

ଖରାଦିନ ଆସିଗଲେ ଦିନର ତାପମାତ୍ରା ବଢ଼ିବା ସହ ଥଣ୍ଡା ଜିନିଷ ଖାଇବାକୁ ମନ କରେ। ଏହି ସମୟରେ ଦେହକୁ ଯଥାସମ୍ଭବ ଡିହାଇଡ୍ରେସନ୍‌ରୁ ବଞ୍ଚାଇବା ପାଇଁ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ। ଦିନ ଭିତରେ ଆମେ ଖାଉଥିବା ବିଭିନ୍ନ ଖାଦ୍ୟ ମଧ୍ୟରୁ ସକାଳ ଜଳଖିଆ ଖୁବ୍ ମହତ୍ତ୍ୱ ରଖେ। ସେ ପୁଣି ଯଦି ଖରାଦିନ ହୋଇଛି, ତେବେ ପେଟ ଓ ଦେହ ଥଣ୍ଡା ରଖିବା ପରି ଖାଦ୍ୟ ଟିକେ ନିହାତି ଜରୁରୀ। ଆସନ୍ତୁ ଆଜି କେତୋଟି ସେହିଭଳି ଖାଦ୍ୟ ବିଷୟରେ ଜାଣିବା ଯାହା ସକାଳ ଜଳଖିଆ ଭାବେ ଆମକୁ ଖରାଦିନେ ତୃପ୍ତି ଦେବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

Advertisment

ଆମ ଓଡ଼ିଆରେ ଗୋଟେ କଥା ଅଛି। ସକାଳ ଭୋଜନ ରାଜା ପରି ଖାଇବ। ଆମ ମହାପ୍ରଭୁ ଜଗନ୍ନାଥ ବି ସକାଳ ଭୋଜନରେ ସୁଆଦିଆ ପିଠା, ଖେଚୁଡ଼ି ଆଦି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି। ପୋଷଣ ବିଜ୍ଞାନ କୁହେ, ସକାଳ ଜଳଖିଆ ପ୍ରୋଟିନ୍ ଓ ଫାଇବରରେ ପରିପୁଷ୍ଟ ଏବଂ ଆବଶ୍ୟକ ମୁତାବକ ସ୍ନେହସାରଯୁକ୍ତ ହେବା ଆବଶ୍ୟକ। ଯେହେତୁ ଖରାଦିନେ ଆମ ଚାରିପାଖର ତାପମାତ୍ରା ଅଧିକ ରୁହେ, ଆମ ପାଚନ କ୍ରିୟା ମଧ୍ୟ ସେହି ଅନୁସାରେ ପ୍ରଭାବିତ ହୁଏ।. ସେଥିପାଇଁ ଅତ୍ୟଧିକ ଛଣାଖାଦ୍ୟ, ତେଲଯୁକ୍ତ ଖାଦ୍ୟ ଓ ମିଠା ଖାଦ୍ୟ ଖାଇବା ଉଚିତ୍ ନୁହେଁ। ସକାଳ ସମୟରେ ହାଲକା ଓ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଖାଇଲେ ଠିକ୍ ହଜମ ହେବା ସହ ଦେହ ଅତ୍ୟନ୍ତ ଗରମ ଲାଗିବ ନାହିଁ। ଆମ ଓଡ଼ିଆ ଘରେ ସହଜରେ ମିଳୁଥିବା ଏପରି କିଛି ସ୍ୱାସ୍ଥ୍ୟକର ଉପାଦେୟ ଖରାଦିନିଆ ଜଳଖିଆ ଉପରେ ଏବେ ନଜର ପକାଇବା।

ଚୁଡ଼ା କଦଳୀ- ଆମର ପିଲାଦିନର ମୁଖ୍ୟ ଜଳଖିଆ ଥିଲା ଚୁଡ଼ା କଦଳୀ ସହ ଦହି ମିଶାଇ ପ୍ରସ୍ତୁତ ଏକ ଚକଟା। ଲୋକମୁଖରେ ବ୍ରାହ୍ମଣ ଭୋଜନ ଭାବେ ଆଦୃତ ଏହି ଚୁଡ଼ା ପାଗ କିନ୍ତୁ ଖରାଦିନେ ପେଟ ଥଣ୍ଡା ରଖିବାର ଏକ ବଢ଼ିଆ ଉପାୟ। ଚୁଡ଼ା, ଦହି, ଛେନା, କଦଳୀ ମିଶାଇ, ସ୍ୱାଦ ପାଇଁ ଅଳ୍ପ ଗୁଡ଼ ଓ ଲୁଣ ଦେଇ ଖାଇଲେ ଆମକୁ ଏକ ସନ୍ତୁଳିତ ଆହାର ମିଳେ। ଚୁଡ଼ାରେ ଶ୍ୱେତସାର, ଛେନାରୁ ପୁଷ୍ଟିସାର, ରିଫାଇନ୍ଡ ଚିନି ବଦଳରେ ଗୁଡ଼, ଯାହା ମିନେରାଲ୍ସରେ ପରିପୂର୍ଣ୍ଣ ଏବଂ ଦହି ସ୍ନେହସାର ଓ ପ୍ରେବାୟୋଟିକ୍‌ର ଏକ ଭଲ ଉତ୍ସ, ଏ ସବୁକୁ ମିଶାଇ ହୋଇଥିବା ଜଳଖିଆ ଆପଣଙ୍କ ଦେହର ଜଳୀୟ ଅଂଶ ନିୟନ୍ତ୍ରଣରେ ରଖିବା ସହ ହାଲିଆ ଲାଗିବାରୁ ବଞ୍ଚାଏ।

Advertisment

ଚକୁଳି ପିଠା- ଓଡ଼ିଆ ଘରେ ଚକୁଳି ଓ ଇଟିଲିର ମହତ୍ୱ କଣ ଆପଣ ଭଲରେ ଜାଣନ୍ତି। ପୂର୍ବରୁ ପ୍ରସ୍ତୁତ ଚାଉଳ ଓ ବିରି ଘୋଳରେ ପ୍ରସ୍ତୁତ ଚକୁଳି ତଥା ଇଟିଲି ସହ ଡାଲି ଓ ଅନ୍ୟ ପରିବାରେ ପ୍ରସ୍ତୁତ ଡାଲମା କିମ୍ୱା ମୁଗ ସନ୍ତୁଳା ଏକ ଉତ୍ତମ ଜଳଖିଆ। ଏହା ସହ କାକୁଡ଼ି ଓ ଚମାଟୋ ମିଶା ସାଲାଡ୍ ନେବା ଜରୁରୀ। ଏହା ଆବଶ୍ୟକ ଫାଇବର୍, ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ୍‌ର ଉତ୍ସ। ସାଲାଡ୍ ସହ ଏହା ଖାଇବା ଦ୍ୱାରା ଆବଶ୍ୟକ ଜଳୀୟ ଅଂଶ ମଧ୍ୟ ଶରୀରକୁ ମିଳେ ଯାହା ପ୍ରବଳ ଖରାରେ ମଧ୍ୟ ଆପଣଙ୍କୁ ଫିଟ୍ ରଖେ।

ପଖାଳ ଭାତ- ଓଡ଼ିଆଟିଏ ପାଇଁ ଖରାଦିନେ ପଖାଳ ଭାତରୁ ଉପଯୁକ୍ତ ତଥା ସ୍ୱାସ୍ଥ୍ୟକର ଜଳଖିଆ ଆଉ କିଛି ହୋଇନପାରେ। ପ୍ରୋବାୟୋଟିକ୍ ଓ ଖାଦ୍ୟନଳୀ ଅନୁକୁଳ ବ୍ୟାକ୍ଟେରିଆ ରହିଥିବା ପଖାଳ ଭାତ ସହ କୌଣସି ପରିବା କିମ୍ୱା ଶାଗ ଭଜା ନିଶ୍ଚିତ ଭାବେ ଆବଶ୍ୟକ କ୍ୟାଲୋରୀ ଭରମ କରିବା ସହ ଦେହକୁ ଥଣ୍ଡା ରଖିବ। ଆପଣ ଯଦି କୌଣସି ଶାରୀରିକ ପରିଶ୍ରମ ଜନିତ ବୃତ୍ତିଧାରୀ ତେବେ ଏହା ଆପଣଙ୍କ ପାଇଁ ଉତ୍ତମ ଖାଦ୍ୟ। ପଖାଳ ତୋରାଣିକୁ ଆପଣ ଦିନସାରା ମଧ୍ୟ ଥଣ୍ଡା ପାନୀୟ ଭାବେ ପିଇପାରିବେ। ଏଥିସହିତ ପେଜ ଓ ତୋରାଣିରୁ ପ୍ରସ୍ତୁତ କାଞ୍ଜି ମଧ୍ୟ ଦେହର ଜଳୀୟ ଅଂଶ ଠିକ୍ ରଖିବା ସହ ଆବଶ୍ୟ ମିନେରାଲ୍ସ ଯୋଗାଇଥାଏ।

ଛତୁଆ ପଣା- ବୁଟ, ଗହମ, ଚୁଡ଼ା, ଆଦି ବିଭିନ୍ନ ଶସ୍ୟ ଗୁଣ୍ଡରୁ ପ୍ରସ୍ତୁତ ଛତୁଆ ଏକ ଅତ୍ୟନ୍ତ ପୁଷ୍ଟିକର ଜଳଖିଆ। ଏଥିରେ ପୁଷ୍ଟିସାର, ଶ୍ୱେତସାର ତଥା ମିନେରାଲ୍ସ ଆବଶ୍ୟକ ପରିମାଣରେ ଥିବା ବେଳେ ଏହାକୁ ପଣା ଭାବେ କଦଳୀ, ଛେନା ଆଦି ପକାଇ ପ୍ରସ୍ତୁତ କରି ଖରାଦିନେ ସକାଳେ ପିଇଲେ ଏହା ଆବଶ୍ୟକ କାଲୋରୀ ଯୋଗାଇଥାଏ। ଏସିଡିଟି ପରି ପାଚନ ଜନିତ ସମସ୍ୟାରୁ ମୁକ୍ତି ଦିଏ ଏବଂ ଫାଇବର୍‌ଯୁକ୍ତ ହୋଇଥିବାରୁ ପେଟକୁ ହାଲକା ଲାଗେ। ଏପ୍ରିଲ୍‌ର ପ୍ରଚଣ୍ଡ ଖରାରେ ଆମର ପାଳିତ ନୂଆବର୍ଷ ପଣାସଂକ୍ରାନ୍ତିରେ ଛତୁଆ ପଣା ଏହି କାରଣରୁ ଠାକୁରଙ୍କ ପାଖରେ ସମର୍ପିତ ହୁଏ। ଏଥିସହିତ ବିଭିନ୍ନ ପ୍ରକାର ପଣା ଯେପରିକି ବେଲ, କ୍ଷୀର ଓ ଛେନା ପଣା, ଦହି ସରବତ, ପାନମଧୁରୀ ସରବତ ଆଦି ମଧ୍ୟ ଆପଣ ସେବନ କରିପାରିବେ।

ଓଟସ୍ ସହ ଫଳ- ଏସବୁ ବ୍ୟତୀତ ଯଦି ଆପଣଙ୍କ ପାଖରେ ଓଟ୍ସ ଭଳି ହୋଲ୍ ଗ୍ରେନ୍ ଅଛି, ତେବେ ରାତିରେ ଏହାକୁ କ୍ଷୀର କିମ୍ୱା ପାଣିରେ ଭିଜାଇ ସକାଳେ ସେଓ, ଅଙ୍ଗୁର, ଡ୍ରାଏ ଫ୍ରୁଟ୍ସ, ଇତ୍ୟାଦି ବିଭିନ୍ନ ପ୍ରକାର ଫଳ ସହ ଖାଇପାରିବେ। କ୍ଷୀର ବଦଳରେ ସକାଳେ ଦହି ପକାଇ ମଧ୍ୟ ଆପଣ ଖାଇପାରିବେ। ଓଟ୍ସ ପସନ୍ଦ ନଥିଲେ ଅଧିକ ଜଳୀୟ ଅଂଶ ଥିବା ଫଳ ଯେପରି ତରଭୁଜ, କମଳା, ଅଁଳା ଆଦିର ଜୁସ୍ ମଧ୍ୟ ଆପଣ ଉପମା କିମ୍ୱା ଚକୁଳି ସହ ନେଇପାରିବେ।

ବିଭିନ୍ନ ପ୍ରକାର ଖାଦ୍ୟର ବିକଳ୍ପ ଆଜିକାଲି ଖାଦ୍ୟ ବିଶେଷଜ୍ଞମାନେ ଉପଲବ୍ଧ କରାଉଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆମେ ନିଜ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହୋଇ ପ୍ରଚୁର ଜଳୀୟ ଅଂଶ ଥିବା ଖାଦ୍ୟ ଖାଇବା ଆବଶ୍ୟକ। ଆଇସ୍କ୍ରିମ୍ ତଥା କୋଲ୍ଡଡ୍ରିଙ୍କ୍ସ ପରି ଖାଦ୍ୟ ପାଟିକୁ ଥଣ୍ଡା ଲାଗୁଥିଲେ ମଧ୍ୟ ଏହା ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଣୁ ଆମେ ନିଜେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି ପୋଷଣଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରିବା।

Summer Fruit Basket Summer Heat Eating Breakfast
Advertisment
Advertisment