/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744180764.jpg)
ବିଶ୍ୱ ଦେଖୁଛି ଟ୍ରେଡ୍ ୱାର
ଟାରିଫ ୱାରକୁ ନେଇ ବିଶ୍ୱର ଅଧିକାଂଶ ଦେଶ ଥରହର । ଆମେରକାର ଦାଦାଗିରି ପାଖରେ କାହାରି ପାଟି ଖୋଲୁନି । ଏହି ଯୁଦ୍ଧ ଭିତରେ ସାହସ ଦେଖାଇଥିଲା ଚୀନ । ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ୩୪% ଟାରିଫ ଲଗାଇ କଡା ଜବାବ ଦେବାକୁ ଚେଷ୍ଟା କରିଥିଲା । ହେଲେ ଏହା ଚୀନ ଉପରେ ଭାରି ପଡ଼ିଛି । ଏହାର ପ୍ରତିଜବାବରେ ଆମେରିକା ଚୀନ ଉପରେ ପକାଇଛି ତୃତୀୟ ଟାରିଫ ବମ । ଚୀନ ଉପରେ ଲଗାଇଛି ୧୦୪% ଟାରିଫ । ଏହି ଟାରିଫ ବୁଧବାର ଅର୍ଥାତ ଆଜିଠାରୁ ଲାଗୁ ହେବ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଏକ ପ୍ରେସ କନଫରେନ୍ସ କରି ହ୍ୱାଇଟ ହାଉସର ପ୍ରେସ ସଚିବ କେରୋଲିନା ଲେବିଟ କହିଛନ୍ତି, ଚୀନ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏକ ଭୁଲ ଥିଲା । ଆମେରିକାକୁ ଚାଲେଞ୍ଜ ଦେବାର ପ୍ରତିଫଳ ସଶକ୍ତ ଏବଂ ଅଟଳ ରହିବ । ଲେବିଟ ଆହୁରି କହିଛନ୍ତି, ଯଦି ଆମେରିକା ବିରୋଧରେ କେହି କାର୍ଯ୍ୟାନୁଷ୍ଠାନ ନେବ ତେବେ ଆମେରିକା ଆହୁରି ଜୋରଦାର ଭାବେ ତାର ପ୍ରତିଜବାବ ଦେବ । ଏହି କାରଣରୁ ବୁଧବାର ରାତିରୁ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୧୦୪% ଟାରିଫ ଲାଗୁ କରାଯିବ । ଯଦି ଚୀନ କୌଣସି ବୁଝାମଣା କରିବାକୁ ଚେଷ୍ଟା କରେ ତେବେ ଆମେରିକା ବି ନରମ ମନୋଭାବ ଦେଖାଇବ ।
ଆର୍ଥିକ ଆତ୍ମସମର୍ପଣର ଯୁଗ ଶେଷ
ଲେବିଟି ଚୀନର ବାଣିଜ୍ୟିକ ନୀତିର କଡା ସମାଲୋଚନା କରିବା ସହ ଆମେରିକା ଶ୍ରମିକଙ୍କ ପାଇଁ ଏହା ଆର୍ଥିକ ସମସ୍ୟା ବଢାଇଥିବାର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କହିଛନ୍ତି, ଆମେରିକାର ଅର୍ଥନୈତିକ ଆତ୍ମସମର୍ପଣର ଯୁଗ ଶେଷ ହୋଇଯାଇଛି । ଟ୍ରମ୍ପ ଏବେ ଆମେରିକା ୱାର୍କର୍ସ ଏବଂ କମ୍ପାନୀକୁ ମୁର୍ଖତାପୂର୍ଣ୍ଣ ବ୍ୟବସାୟ ଦ୍ୱାରା ବର୍ବାଦ ହେବାକୁ ଅନୁମତି ଦେଇପାରିବେ ନାହିଁ । ଏମାନେ ହାଇ-ପେଇଙ୍ଗ ଜବ ଛଡାଇନେଉଛନ୍ତି ଅନ୍ୟପଟେ ସାରା ଦେଶରେ ଆମେରିକୀ ସଂପ୍ରଦାୟଙ୍କୁ ଖୋଳ କରି ଦେଉଛନ୍ତି ବୋଲି ଲେବିଟି ଅଭିଯୋଗ କରିଛନ୍ତି ।
ଲେବିଟି କହିଛନ୍ତି, ଚୀନ ପରି ଦେଶ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ନେଇଛି । ଆମେରିକାର ଶ୍ରମିକଙ୍କ ସହ ଦୁର୍ବ୍ୟବହାରକୁ ଦୁଇଗୁଣା କରିବା ପାଇଁ ଚେଷ୍ଟା କରୁଛି । ଏମିତି କରି ଚୀନ ଭୁଲ କରୁଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ଏକ ଦୃଢ ବ୍ୟବସ୍ଥା ରହିଛି । ଟ୍ରମ୍ପ ନଇଁବେ ନାହିଁ କିମ୍ବା ତାଙ୍କ ନେତୃତ୍ୱରେ ଆମେରିକାକୁ ନଇଁବାକୁ ଦେବେ ନାହିଁ ।
ଟ୍ରମ୍ପଙ୍କ ସହ ଯୋଗାଯୋଗରେ ଅଛନ୍ତି ୭୦ ଦେଶ
ଲେବିଟ କହିଛନ୍ତି, ଟ୍ରମ୍ପ ଟାରିଫ ବୃଦ୍ଧି କରିବା କିମ୍ବା ଏହାକୁ ହଟାଇବା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ହେଲେ ଫୋନରେ ଆଲୋଚନା କରିବା ପାଇଁ ଟ୍ରମ୍ପ ରାଜି ଅଛନ୍ତି । ପାଖାପାଖି ୭୦ ଦେଶର ପ୍ରତିନିଧିମାନେ ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ଯୋଗାଯୋଗ କଲେଣି । ଲେବିଟି ଆହୁରି କହିଛନ୍ତି, ଟ୍ରମ୍ପ ତାଙ୍କର ବାଣିଜ୍ୟିକ ପ୍ରତିନିଧିଦଳଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ପ୍ରତ୍ୟେକ ଦେଶ ସହ ବିଶେଷ ଭାବେ ବାଣିଜ୍ୟିକ ବୁଝାମଣା କରିବେ ।
ଏଠି କହିରଖିବୁ, ଏପ୍ରିଲ ୨ ତାରିଖ ଲିବରେଶନ ଡେ ଅବସରରେ ଟ୍ରମ୍ପ ରେସିପ୍ରୋକାଲ ଟାରିଫ ଘୋଷଣା ପରେ ଚୀନ ଏହାର ଜବାବରେ ୩୪% ଟାରିଫର ଘୋଷଣା କରିଥିଲା । ଏହା ପରେ ରବିବାର ଟ୍ରମ୍ପ ଚୀନ ଉପରେ ଟାରିଫରେ ଅଧିକ ୫୦ ପ୍ରତିଶତ ବୃଦ୍ଧି କରିବାକୁ ଧମକ ଦେଇଥିଲେ । ଚୀନ ବାଣିଜ୍ୟିକ ମନ୍ତ୍ରାଳୟ ପ୍ରବକ୍ତାଙ୍କ କହିବା ଅନୁସାରେ, ଆମେରିକା ପକ୍ଷରୁ ଲଗା ଯାଇଥିବା ଟାରିଫ ନିରାଧାର ଏବଂ ଏକତରଫା ଧମକପୂର୍ଣ୍ଣ ପଦକ୍ଷେପ ।
ନୂଆ ଟାରିଫ ନୀତି ଲାଗୁ ପରେ ଆମେରିକାକୁ ଜବରଦସ୍ତ ଫାଇଦା
ଯାହା ବି ହେଉ, ମଙ୍ଗଳବାରଠାରୁ ନୂଆ ଟାରିଫ ନୀତି ଘୋଷଣା କରିବା ପରେ ଆମେରିକା ପ୍ରତିଦିନ ୨ ବିଲିଅନ ଡଲାର ସଂଗ୍ରହ କରୁଥିବା ନିଜେ ଟ୍ରମ୍ପ ହ୍ୱାଇଟ ହାଉସରୁ କହିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେ ଯାହା କରୁଛୁ ବହୁତ ଭଲ କରୁଛୁ । ସୂଚନାଥାଉ କି, ଏପ୍ରିଲ ୨ ତାରିଖରୁ ଡୋନାଲ୍ଡ ଟ୍ରମ୍ପ ୧୮୫ ଦେଶର ପ୍ରଡକ୍ଟ ଉପରେ ଟାରିଫ ଲଗାଇବାର ଘୋଷଣା କରିଥିଲେ । ୧୦% ଟାରିଫ ଏପ୍ରିଲ ୫ରୁ ଲାଗୁ ହୋଇଥିବାବେଳେ ବ୍ୟକ୍ତିଗତ ଟାରିଫ ଏପ୍ରିଲ ୯ରୁ ଲାଗୁ ହୋଇଛି ।
ଭାରତର ସାହାଯ୍ୟ ମାଗିଲା ଚୀନ
ଏମିତି ସଙ୍କଟଜନକ ସ୍ଥିତିରେ ଚୀନ ଭାରତଠାରୁ ସାହାଯ୍ୟର ଆଶା ରଖିଛି । ଭାରତରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ କହିଛନ୍ତି, ଚୀନ୍ ଏବଂ ଭାରତ ଉଭୟ ବିକାଶଶୀଳ ରାଷ୍ଟ୍ର । ଆମେରିକାର ଏପରି ଟାରିଫ ପଦକ୍ଷେପ ବିଶ୍ୱର ଦକ୍ଷିଣ ଦେଶଗୁଡ଼ିକର ବିକାଶର ଅଧିକାରକୁ ଛଡ଼ାଇ ନେବାର ଏକ ପ୍ରୟାସ। ସେ କହିଥିଲେ ଯେ ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଭାରତ ଏବଂ ଚୀନ୍ ଏକତ୍ରିତ ହେବା ଉଚିତ ।
କ’ଣ ରହିଛି ଭାରତର ରଣନୀତି
ଟ୍ରମ୍ପଙ୍କ ନୂଆ ଟାରିଫ ନୀତିକୁ ନେଇ ଚୀନ ଆମେରିକା ସହ ମୁହାଁମୁହିଁ ହୋଇଥିବାବେଳେ ଭାରତର ରଣନୀତି ଅଲଗା ରହିଛି । କହିବାକୁ ଗଲେ, ଟାରିଫର ଜବାବ ଟାରିଫରେ ଦେବା ସପକ୍ଷରେ ନାହିଁ ଭାରତ । ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟାବସାୟିକ ବୁଝାମଣା କରିବା ନେଇ ଆଲୋଚନା ଚାଲିଛି ଯାହା ଉଭୟ ଦେଶ ପାଇଁ ବେଶ ଲାଭଦାୟକ ହୋଇ ପାରିବ ।
ଚୀନ ପକାଇଲା ଆଉ ଏକ ଟ୍ରେଡ ବମ; ବନ୍ଦ କଲା ୭ ଦୁର୍ଲଭ ଧାତୁର ରପ୍ତାନୀ
ଆମେରିକା-ଚୀନ ମଧ୍ୟରେ ଲାଗିଥିବା ଟ୍ରେଡ ୱାର ବିସ୍ଫୋରକ ସ୍ଥିତିରେ ଥିବାବେଳେ ଚୀନ ଏକ ବଡ ପଦକ୍ଷେପ ନେଇଛି । ୭ଟି ଦୁର୍ଲଭ ଧାତୁର ରତ୍ପାନୀ ଉପରେ ରୋକ ଲଗାଇ ଦେଇଛି । ଖାଲି ଆମେରିକା ନୁହେଁ, ସବୁଦେଶ ପାଇଁ ଏହାର ରପ୍ତାନି ବନ୍ଦ କରି ଦେଇଛି ଚୀନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଧାତୁ ଖାଲି ଦୁର୍ଲଭ ନୁହେଁ, ଆଜିର ଦିନରେ ବହୁତ ଜରୁରୀ ମଧ୍ୟ । ନୂଆ ଟେକନିକ, ଔଷଧ, ହତିଆର ଆଦି ନିର୍ମାଣ ପାଇଁ ଏହାର ଆବଶ୍ୟକତା ବହୁତ ଅଧିକ ରହିଛି । ଏହି ୭ଧାତୁ ଖାଲି ଆମେରିକା ପାଇଁ ନୁହେଁ ବିଶ୍ୱର ସବୁ ଦେଶ ପାଇଁ ଜରୁରୀ । ଏହି ଧାତୁଗୁଡିକ ହେଉଛି, ସ୍ୟେମେରିୟମ, ଗ୍ୟେଡୋଲିନିୟମ, ଟର୍ବିୟମ, ଡିସ୍ପ୍ରୋସିୟମ, ଲ୍ୟୁଟେଶିୟମ, ସ୍କେଡିୟମ ଏବଂ ୟେଟ୍ରିୟମ ।
ସାଧାରଣ ଜୀବନରେ ଏହି ଧାତୁର ବହୁତ ବଡ ଭୂମିକା ରହିଛି । ଏହିସବୁ ଧାତୁରେ ତାର, ଛଡ, ପାଉଡର, ପ୍ଲେଟ, ଟ୍ୟୁବ, ମ୍ୟାଗନେଟ ଇତ୍ୟାଦି ତିଆରି କରାଯାଏ । ବଡ ବଡ କମ୍ପାନୀ ଯେମିତି ଆପଲ, ସୋନୀ, ସାମସଙ୍ଗ, ଟେସଲା, ଲକହିଡ ମାର୍ଟିନ ଆଦି ଏହି ଧାତୁ ଉପରେ ନିର୍ଭର କରିଥାନ୍ତି । ଯଦି ଏହି ଧାତୁର ରପ୍ତାନୀ ଚୀନ ବନ୍ଦ କରିଦେବ ତେବେ ଏହିସବୁ ବଡ ବଡ କମ୍ପାନୀମାନେ କ୍ଷତିର ସମ୍ମୁଖୀନ ହେବେ ।
ଟ୍ରମ୍ପ ସଜାଡୁଛନ୍ତି ଫାର୍ମା ଟାରିଫ ବମ
ଏମିତି ଉତ୍ତେଜନା ପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଝଟକା ଦେଇଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ଉପରେ ବଡ ଧରଣର ଟାରିଫ ଲାଗୁ କରାଯିବ । ସେ ଆହୁରି କହିଛନ୍ତି, ମୋର କାମ ହେଉଛି ଆମେରିକାର ସ୍ୱପ୍ନକୁ ପୂରଣ କରିବା । ଆମେରିକା ନାଗରିକଙ୍କ ସୁରକ୍ଷା ମୋର ଦାୟିତ୍ୱ । ଟ୍ରମ୍ପ ଯଦି ଏହି ଫାର୍ମା ଟାରିଫ ଘୋଷଣା କରନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ । କାରଣ ଭାରତ ଆମେରିକାକୁ ଯେତିକି ରପ୍ତାନୀ କରିଥାଏ ତାର ୧୧ ପ୍ରତିଶତ ହେଉଛି ଫାର୍ମା ସାମଗ୍ରୀ । ଭାରତ ବର୍ଷକୁ ୭୬ ହଜାର କୋଟି ଟଙ୍କାର ଫାର୍ମା ଆମେରିକାକୁ ରପ୍ତାନୀ କରିଥାଏ । ଭାରତର ଫାର୍ମା କମ୍ପାନୀ ଗ୍ଲାଣ୍ଡ ଫାର୍ମାର ଲାଭାଂଶର ପାଖାପାଖି ୫୦% ଆୟ ଆମେରିକାରୁ ମିଳିଥାଏ । ସେହିପରି ଅରବିନ୍ଦ ଫାର୍ମାର ୪୮%, ରେଡିଜ ଲାବ ୪୭% ଲାଭ ଆମେରିକାରୁ ମିଳିଥାଏ ।
ଯାହା ବି ହେଉ, ଏହି ଟ୍ରେଡ ୱାର ଯୋଗୁ ବିଶ୍ୱର ସବୁ ଦେଶ ବଡ ଧରଣର ସମସ୍ୟାର ସମ୍ମୁଖୀନ ହେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)