• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୋଇଛି ସ୍ୱାସ୍ଥ୍ୟ ବିଭାଗ । ଜନତା ଛଟପଟ । ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଣାୟାତ୍ତ ହଇଜା, ମୃତ୍ୟୁସଂଖ୍ୟା ୧୦ ଛୁଇଁଲା । ଗଜପତି ଜିଲ୍ଲାରେ ବସୁଧା ପ୍ରକଳ୍ପ ପାଇପ୍ ପାଣିରୁ କୋଲିଫର୍ମ ବ୍ୟାକ୍ଟେରିଆ ଚିହ୍ନଟ, ବ୍ୟାପୁଛି ଝାଡ଼ାବାନ୍ତି । କଟକ ଏସ୍‌ସିବି ମେଡିକାଲ କଲେଜରେ ବିନା କ୍ୟାନ୍‌ସରରେ ରୋଗୀଙ୍କୁ କ୍ୟାନ୍‌ସର୍ ଟ୍ରିଟମେଣ୍ଟ, ଅଙ୍ଗ ହରାଇଲେ ରୋଗୀ ।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଭୁଲ୍ ଇଞ୍ଜେକ୍ସନ୍ ଯୋଗୁ ୨୧ ରୋଗୀ ଗୁରୁତର । ଆଉ ରାଜଧାନୀ ଭୁବନେଶ୍ୱରର ସ୍ୱାସ୍ଥ୍ୟ ପ୍ରାଣକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲରେ ଭୁଲ୍ ଇଞ୍ଜେକ୍ସନ୍ ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ । ଏସବୁ ଚିତ୍ର ହିଁ ବୟାନ କରୁଛି କେତେ ରସାତଳଗାମୀ ହୋଇଛି ରାଜ୍ୟର ସ୍ୱାସ୍ଥ୍ୟସେବା । 

ମହାମାରୀ ପରିଚାଳନାରେ ବାହାବା ନେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ତ୍ରୁଟି ହେଉଛି କିଭଳି ? ଏଥିପାଇଁ ଦାୟୀ କିଏ ? କାହିଁକି ଚୁପ୍ ବସିଛି ସ୍ୱାସ୍ଥ୍ୟ ବିଭାଗ ? ଚୁପ୍ ରହି ନିଜ ଅପାରଗ ପଣିଆକୁ ଘୋଡ଼ାଇବାକୁ ଚେଷ୍ଟା କରୁନି ତ ସ୍ୱାସ୍ଥ୍ୟ ବିଭାଗ ? ଆଉ ସ୍ୱାସ୍ଥ୍ୟ ବିଭାଗର ଏ ବେପରୁଆ ନୀତି ରାଜ୍ୟ ସରକାରଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଏମିତିକି ସ୍ୱାସ୍ଥ୍ୟ ବିଭାଗର ଏଭଳି ଦୁଃସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମାଜିକ କର୍ମୀ । ତେଣେ ହଇଜା ସ୍ଥିତି ଗୁରୁତର ହୋଇଥିବା ମାନିଛନ୍ତି ମନ୍ତ୍ରୀ ।

ଏପଟେ ସ୍ୱାସ୍ଥ୍ୟସେବା ଯୋଗାଣରେ ସ୍ୱାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି, ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଫେଲ ମାରିଛି । ବିପଯର୍ୟସ୍ତ ସ୍ୱାସ୍ଥ୍ୟସେବାର ଯେଉଁସବୁ ଚିତ୍ର ସ୍ୱାସୁଛି, ସରକାରଙ୍କୁ ଯେତେ ନିନ୍ଦା କଲେ ବି କମ୍ ପଡ଼ିବ । କଂଗ୍ରେସ କହିଛି, ପ୍ରଶାସନ ଢିଲା, ଶାସନ ପୂରା ଦୁର୍ବଳ । ଯେଉଁଥିଲାଗି କେଉଁଠି ମ୍ୟାଲେରିଆ, ହଇଜା ବ୍ୟାପିଗଲାଣି ତ ଆଉ କେଉଁଠି ବିନା ରୋଗରେ ରୋଗୀର ଅଙ୍ଗ କାଟିଦିଆଯାଉଛି । ତେବେ ବିଜେଡିର ଜବାବ, ରାଜ୍ୟର ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠିକ୍ ଅଛି । ଏସ୍‌ସିବିକୁ ବିଶ୍ୱସ୍ତରୀୟ ଏମ୍‌ସ ପ୍ଲସ୍ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗୁ ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେଉଛନ୍ତି ।

 

ରାଜ୍ୟର ଭୁଷୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବାକୁ ତୁରନ୍ତ ସୁଧାରିବା ଲାଗି କି ପଦକ୍ଷେପ ନେଉଛନ୍ତି ସରକାର ? ବିଭିନ୍ନ ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ ? ତାହା ଏବେ ଦେଖିବାକୁ ବାକି ରହିଲା ।