ଭ୍ୟାକ୍ସିନ୍ ନିଅନ୍ତୁ, ଖାଆନ୍ତୁ ମାଗଣା ଖାଦ୍ୟ । ଲୋକଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଦେବା ଉଦ୍ଦେଶ୍ୟରେ ଏହିପରି ବ୍ୟବସ୍ଥା କରାଯାଇଛି । ଯେଉଁଠି ଭ୍ୟାକ୍ସିନ୍ ନେଲେ ମିଳୁଛି ମାଗଣା ଖାଦ୍ୟ । ଏହା କେଉଁ ଧନୀ ବ୍ୟକ୍ତି କିମ୍ୱା ସରକାରୀ ସ୍କିମ୍ ନୁହେଁ ବରଂ ଜଣେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ଏହି ନିଆରା ଉପାୟ ଆପଣାଇଛନ୍ତି । ଫଳରେ ଲୋକେ ଭ୍ୟାକ୍ସିନ୍ ନେବାକୁ ଆଗ୍ରହୀ ହେବେ ।
ଚଣ୍ଡିଗଡ଼ର ଜଣେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା COVID-19 ଟିକା ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ଛୋଲେ ଭଟୁରେ ବାଣ୍ଟୁଛନ୍ତି । ଏମିତିକି ପ୍ରାୟ ଏକ ବର୍ଷ ହେବ ସେ ଏହିପରି ଟିକା ନେବା ବ୍ୟକ୍ତିଙ୍କୁ ମାଗଣା ଛୋଲେ ଭଟୁରେ ଦେଇଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ ।
ତୃତୀୟ ଡୋଜ୍ କୋଭିଡ ଟୀକାକରଣର ମନ୍ଥର ଗତିରେ ହେଉଥିବାରୁ ଏହାକୁ ନେଇ ସେ ଚିନ୍ତିତ ତେଣୁ ୪୫ ବର୍ଷିୟ ସଞ୍ଜୟ ରାଣା ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ପାଇଁ ମାଗଣା ଛୋଲେ ଭଟୁରେ ବାଣ୍ଟୁଛନ୍ତି । ଯାହାକୁ ନେଇ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।
ଷ୍ଟ୍ରିଟ୍ ଫୁଡ୍ ବିକେତ୍ରାଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଯେ, ସଞ୍ଜୟ ରାଣାଙ୍କ ଛୋଲେ ଭଟୁରେକୁ ମାଗଣାରେ ଖାଇବାକୁ ହେଲେ ଆପଣଙ୍କୁ ଟିକାନେବା ପ୍ରମାଣପତ୍ର ଦେଖାଇବାକୁ ପଡିବ । ତାଙ୍କୁ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଦେଖାଇବା ମାତ୍ରେ ସେ ତୁମକୁ ମାଗଣାରେ ସୁସ୍ୱାଦୁ ଛୋଲେ ଭଟୁରେ ଖାଇବାକୁ ଦେବେ ।
Also Read
ଦୀର୍ଘ ୧୫ ବର୍ଷ ଧରି ଷ୍ଟଲ୍ ଚଳାଉଥିଲେ ରାଣା :-
ତାଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ହେଲେ ସେବା ଭାବନା ଆବଶ୍ୟକ ରହିବା ନିହାତି ବୋଲି କୁହାଯାଇଥାଏ । ଯାହାକୁ ଆମ ଭାଇ ସଞ୍ଜୟ ବାସ୍ତବରେ ପ୍ରମାଣିତ କରି ଦେଖାଇଛନ୍ତି ।’ ତେବେ ରାଣା ସାଇକେଲରେ ଏକ ଷ୍ଟଲ୍ ସ୍ଥାପନ କରି ଛୋଲେ ଭଟୁରେ ବିକ୍ରି କରନ୍ତି । ସେ ଗତ ୧୫ ବର୍ଷ ଧରି ଏହି ଷ୍ଟଲ୍ ଚଳାଉଛନ୍ତି ବୋଲି କହିଛନ୍ତି ସଞ୍ଜୟ ।
ନ୍ୟୁଜ୍ ଏଜେନ୍ସି PTIର ରିପୋର୍ଟ ଅନୁଯାୟୀ, ସଞ୍ଜୟ କହିଛନ୍ତି, ‘ଯେଉଁମାନେ ତୃତୀୟ ଡୋଜ୍ ଟିକା ନେଇଛନ୍ତି ସେମାନେ ପ୍ରମାଣ ଦେଖାଇଲେ ତାଙ୍କୁ ମୁଁ ମାଗଣାରେ ଛୋଲେ ଭଟୁରେ ଦେଉଛି । ଟିକା ନେଇଥିବା ବ୍ୟକ୍ତି ବିନା କୌଣସି ସଂକୋଚରେ ଏହି ଷ୍ଟଲ୍କୁ ଆସନ୍ତୁ । ଦେଶର ଅନେକ ସ୍ଥାନରେ ସଂକ୍ରମଣର ସାମାନ୍ୟ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି । ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଆମେ କାହିଁକି ଅପେକ୍ଷା କରିବା ? ଏପ୍ରିଲ୍-ମେ ୨୦୨୧ ରେ ଯେଉଁ ପରିସ୍ଥିତି ଉପୁଜିଥିଲା, ସେଥିରୁ ଆମେ ଏକ ଶିକ୍ଷା ଗ୍ରହଣ କରିବା ଉଚିତ୍ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଯେତେବେଳେ ପ୍ରଧାନମନ୍ତ୍ରୀ 'ମନ କି ବାତ୍' ରେ ମୋର ନାମ ଉଲ୍ଲେଖ କରିଥିଲେ ସେତେବେଳେ ଏହା ମୋ ପାଇଁ ଗୌରବର ବିଷୟ ହୋଇଥିଲା’ ।