ପହଲଗାମର ବୈସରନ ଘାଟିରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ବର୍ବରତାର ସହିତ ହତ୍ୟା କରିବା ପରେ ଭାରତ ଯେଉଁଭଳି ଭାବେ ପ୍ରତିଶୋଧ ନେଉଛି ତାକୁ ପ୍ରଶଂସା କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ‘ଅପରେସନ ସିନ୍ଦୂର’ ଅଧିନରେ ଭାରତର ଆକ୍ରମଣକୁ ସମର୍ଥନ ଜଣାଇଛି ଆରଏସଏସ । ଭାରତ ସରକାର ଓ ଭାରତୀୟ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ଆରଏସଏସ ।
ପହଲଗାମରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ପ୍ରାୟୋଜିତ ଭାବେ ହତ୍ୟା କରିଥିବା ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ‘‘ଅପରେସନ ସିନ୍ଦୂର’’ ଆରମ୍ଭ କରିଥିବାରୁ ଆମେ ଭାରତ ସରକାର ଓ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଉଛୁ । ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଓ ସମଗ୍ର ଦେଶକୁ ନ୍ୟାୟ ପ୍ରଦାନ ଦିଗରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହା ସମଗ୍ର ଦେଶରେ ପ୍ରତ୍ୟେକ ନାଗରିକଙ୍କ ଆତ୍ମବିଶ୍ୱାସ ଓ ମନୋବଳ ବଢାଇଛି । ଆମେ ସମ୍ପୂର୍ଣ୍ଣ ସହମତ ଯେ, ଆମ ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନରେ ସେମାନଙ୍କ ସମର୍ଥନ ଓ ଭିତ୍ତିଭୂମି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଅତ୍ୟନ୍ତ ଅନିବାର୍ଯ୍ୟ । ଏହି ଜାତୀୟ ସଙ୍କଟ ସମୟରେ ଭାରତ ସରକାର ଏବଂ ସଶସ୍ତ୍ର ବାହିନୀ ସହ ସମ୍ପୂର୍ଣ୍ଣ ଦେଶ ଅଛି ।
Also Read
ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍
ନିକଟରେ ଦେଶର ସୀମା ନିକଟରେ ଥିବା ଧାର୍ମିକ ସ୍ଥଳୀ ଓ ବେସାମରିକ ସ୍ଥାନ ଉପରେ ଟାର୍ଗେଟ କରି ପାକିସ୍ତାନର ଆକ୍ରମଣକୁ କଡା ନିନ୍ଦା କରିଛି ଆରଏସଏସ । ଆରଏସଏସ କହିଛି ଯେ, ସୀମା ନିକଟରେ ଧାର୍ମିକ ସ୍ଥଳୀ ଓ ବେସାମରିକ ସ୍ଥାନ ଉପରେ ହେଉଥିବା ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହି ବର୍ବର ଓ ଅମାନୁଷିକ କାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆମେ ସମବେଦନା ଜଣାଉଛୁ । ରାଷ୍ଟ୍ରୀୟ ଏକତାର ସହ ସରକାରଙ୍କ ପ୍ରମୁଖ ନିର୍ଦ୍ଦେଶାବଳୀକୁ ମାନିବା ସହ ଦେଶ ବିଭାଜନକାରୀ ମନ୍ତବ୍ୟରୁ କ୍ଷାନ୍ତ ରହିବା ପାଇଁ ଆରଏସଏସ ଅନୁରୋଧ କରିଛି । ଏହା ସହିତ ଆବଶ୍ୟକ ସ୍ଥଳେ ଜାତୀୟ ସୁରକ୍ଷା ପାଇଁ ଦେଶଭକ୍ତି ପ୍ରଦର୍ଶନ କରନ୍ତୁ ଏବଂ ଦେଶ ବିରୋଧୀ ଶକ୍ତିକୁ ଆମ ଦେଶରେ ପ୍ରବେଶ ନ କରାଇ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ନ କରାଇବା ପାଇଁ ଅନୁରୋଧ କରିଛନ୍ତି ।
ସେନାର କାର୍ଯ୍ୟକୁ ବୈଜୟନ୍ତଙ୍କ ପ୍ରଶଂସା
ସେହିପରି ଅପରେସନ ସିନ୍ଦୂର ୨.୦କୁ ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଏକ୍ସରେ ୩ ସେନା ସ୍ଥଳ ସେନା, ନୌସେନା ଓ ବାୟୁ ସେନାର ଫଟୋ ପୋଷ୍ଟ କରି ସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୈଜୟନ୍ତ ପଣ୍ଡା । ଜୟ ହିନ୍ଦ ଓ ଜୟ ଭାରତ ଲେଖି ଭାରତୀୟ ସେନାର ମନୋବଳ ବଢାଇଛନ୍ତି ।