• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷା ଋତୁରେ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶିବା ବଦଳରେ ଥୁଣ୍ଟା ଓ ଲଣ୍ଡା ଚେହେରା । ବର୍ଷ ତମାମ ସବୁଜ, ସୁନ୍ଦର ଓ ସତେଜ ଦେଖାଯାଉଥିବା କଳ୍ପବୃକ୍ଷ ଏବେ ଶୁସ୍କ ଓ ବିବର୍ଣ୍ଣ । ଆମେ କହୁଛୁ କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମହାକଳ୍ପବୃକ୍ଷ କଥା । ଏପୀଠକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧା ଭାବନାରେ ଗଭୀର ସଂଶୟ ଆଣିଛି ବିଶାଳ ବରଗଛର ଏଭଳି ପତ୍ରଝଡ଼ା ରୂପ । ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି । ୩/୪ ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି। ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

ସେପଟେ ନେମାଳ ପୀଠରେ ଏ ବହୁ ପୁରୁଣା ବରଗଛର ଏଭଳି ଅବସ୍ଥା ପାଇଁ ଏକ ସଂବାଳୁଆ ପ୍ରଜାତିର ପୋକ ଦାୟୀ ବୋଲି କହିଛନ୍ତି ଉଦ୍ୟାନ ବିଭାଗର ଅଧିକାରୀ । ତେଣୁ ଏ ପୋକ ନିପାତ ଲାଗି ସ୍ଥାନୀୟ ପ୍ରଶାସନ ସହାୟତାରେ ଆରମ୍ଭ ହୋଇଛି ଉପଚାର । ଗତକାଲିଠୁ ଗଛରେ ଔଷଧ ସିଂଚନ ସହ ଶ୍ରଦ୍ଧାଳୁଙ୍କ ଆତଯାତ ଉପରେ ବାରଣ କରାଯାଇଛି । ମହାପୁରୁଷଙ୍କ ଗାଦିରେ କେବଳ ନୀତି ବ୍ୟତୀତ ପ୍ରସାଦ ବ୍ୟବସ୍ଥା ବି ବନ୍ଦ ରହିଛି । ପୋକ ବଂଶ ନାଶ ହେଲେ, ବରଗଛଟି ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବ ବୋଲି କିହଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଏକାଧିକ ବରଗଛ ଥିବା ବେଳେ କେବଳ ଗାଦି ସମ୍ମୁଖରେ ଥିବା ଏହି ମୁଖ୍ୟ ଗଛ କାହିଁକି ପତ୍ରଝ଼ଡ଼ା ଦେଲା । ଅଚ୍ୟୁତାନନ୍ଦ ପୀଠର ମହନ୍ତଙ୍କ ମତରେ ଏହା ଆଦୌ ଶୁଭ ସୂଚନା ନୁହେଁ ।