/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664178282.jpg)
Achyutananda Peeth
ଅଦିନରେ ପତ୍ରଝଡା ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ମହା-କଳ୍ପବଟ। ଖାଲି ସେତିକି ନୁହେଁ ଅତି ଆଶ୍ଚର୍ଯ୍ୟଜନକ ଭାବରେ ମହା-କଳ୍ପବଟ ସମେତ କେଵଳ ପୀଠରେ ଥିବା ବଟବୃକ୍ଷମାନଙ୍କରୁ ହିଁ ପତ୍ର ସବୁ ଝଡିଚାଲିଛି। କଞ୍ଚା ପତ୍ରସବୁ ଝଡ଼ିଯିବାରୁ ଖାଁ ଖାଁ ଦେଖାଯାଉଛି ବଟ ବୃକ୍ଷ ଓ ପୀଠ। ପୂର୍ବରୁ ଏଭଳି କେବେ ବି ହୋଇନଥିଲା। ଏ ସବୁ ଦେଖି ହତବାକ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ଶଙ୍କା ଓ ସଂଶୟ ଭିତରେ କେହି କେହି ଏହାକୁ କଳିର ଶେଷ ସମୟ କହୁଥିବା ବେଳେ କେହି ଏହାକୁ ମହାପୁରୁଷଙ୍କ ଲୀଳା ବୋଲି କହୁଛନ୍ତି।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ। ନା ଭଜନ ସଂକୀର୍ତ୍ତନ ଅଛି ନା ଭକ୍ତମାନଙ୍କ ଭିଡ଼। ଭୋଗ ଦୋକାନ ସବୁ ବି ବନ୍ଦ। ନନାମାନଙ୍କର ଡାକ ଆଉ ଶୁଭୁନି। ଚାରିଆଡ଼େ ଖାଁ ଖାଁ। ମହାକଳ୍ପବଟ ସମେତ ପୀଠରେ ଥିବା ଅନ୍ୟ ବଟବୃକ୍ଷରେ ଆଉ ପତ୍ରଟିଏ ବି ନାହିଁ। ଖବର ପାଇ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉଦ୍ୟାନ ବିଭାଗର ଅଧିକାରୀ ସମସ୍ତେ ଆସିଛନ୍ତି। କ‘ଣ ପାଇଁ ଏଭଳି ବ୍ୟତିକ୍ରମ ହେଉଛି, ସମସ୍ତେ ଚିନ୍ତିତ। ବୃକ୍ଷମାନଙ୍କରେ ଔଷଧ ସିଞ୍ଚନ କରାଯାଉଛି। ଆଉ ସେଥିପାଇଁ ମହାପୁରୁଷଙ୍କ ଦର୍ଶନ ବନ୍ଦ ରହିଛି। ବ୍ୟାରିକେଡ୍ ବାହାରୁ ଦର୍ଶନ କରୁଛନ୍ତି ଦୂରଦୁରାନ୍ତରୁ ଆସିଥିବା ଭକ୍ତମାନେ। ଆଉ ପୀଠର ଏଭଳି ଅବସ୍ଥା ଦେଖି ଭକ୍ତମାନେ ହତବାକ ହେବା ସହ ମହାପୁରୁଷଙ୍କର ଇଏ କି ଲୀଳା ବୋଲି ପ୍ରଶ୍ନ କରୁଛନ୍ତି।
ଆଗରୁ କେବେବି ପୀଠରେ ଥିବା ବଟବୃକ୍ଷମାନଙ୍କର ଏଭଳି ଅବସ୍ଥା ହୋଇନଥିଲା। ହଠାତ ଏଭଳି ହେବା ଶୁଭ ସୂଚନା ନୁହେଁ ବୋଲି ମହନ୍ତ ଗଗନାନନ୍ଦ କହିଛନ୍ତି। ଉଦ୍ୟାନ ବିଭାଗର ଅଧିକାରୀ କହିଛନ୍ତି ଯେ, ଭୟ କରିବାର କିଛି ନାହିଁ । ପୀଠରେ ଥିବା ବଟବୃକ୍ଷମାନଙ୍କରେ ଏକ ପ୍ରକାରର ପୋକ ସଂକ୍ରମଣ ହୋଇଛି। ଯାହା ଫଳରେ କଞ୍ଚା ପତ୍ର ସବୁ ଝଡି ପଡିଛି। ଏବେ ବିଷ ଔଷଧ ପ୍ରୟୋଗ କରାଯାଉଛି। ଏହି ପ୍ରକ୍ରିୟା ଆହୁରି କିଛି ଥର ମଧ୍ୟ ଦୋହରାଯିବ। ଯାହା ଫଳରେ ପୁଣି ବଟ ବୃକ୍ଷମାନେ ସ୍ୱାଭାବିକ ସ୍ତରକୁ ଫେରିବେ।
(ରିପୋର୍ଟ: ମନୋଜ ଆଚାର୍ଯ୍ୟ, ସାଲେପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)