• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

RTE କୋଟାରେ ପାଠପଢାରୁ ବଞ୍ଚିତ ରାଜ୍ୟର ଶହ ଶହ ଆର୍ଥିକ ଅନଗ୍ରସର ପିଲା । ସବୁ ପ୍ରମାଣପତ୍ର ସତ୍ତ୍ୱେ ପାରଦର୍ଶୀ ପୋର୍ଟାଲରୁ କଟିଛି ହଜାର ହଜାର ପିଲାଙ୍କ ନାଁ । ଫଳରେ ନାମୀଦାମୀ ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବା ଲାଗି ସ୍ୱପ୍ନ ଦେଖିଥିବା ବହୁ ଗରିବ ପରିବାର ବଞ୍ଚିତ ହୋଇଛନ୍ତି । ଏଥର ପ୍ରାୟ ୮ ହଜାର ଫର୍ମ ନାକଚ ହେବା ଏବଂ ପରେ ୫ ହଜାରରୁ ଅଧିକ ପିଲାଙ୍କୁ ସିଟ୍ ଆଲଟ୍ କରାଯାଇନଥିବାରୁ ଏହା ପଛରେ ଘୋଟାଲା ଅଭିଯୋଗ ଆଣି ଓସେପା ଅଫିସ୍ ଘେରିଛନ୍ତି ଅଭିଭାବକ ଓ ଅଭିଭାବକ ମହାସଂଘ । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଅଭିଯୋଗର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭୁବନେଶ୍ୱର ଖଣ୍ଡଗିରି ବସ୍ତିରେ ରହୁଥିବା ଆର୍ଥିକ ଅନଗ୍ରସର ସୁଚିସ୍ମିତା ରାଉତରାୟ ୪ ବର୍ଷ ହେଲା ପୁଅର ପାଠପଢା ପାଇଁ ରାଇଟ୍ ଟୁ ଏଜୁକେସନ ବା RTE-ପାରଦର୍ଶୀ ପୋର୍ଟାଲରେ ଆବେଦନ କରିଆସୁଛନ୍ତି । ମାତ୍ର ସବୁ ପ୍ରମାଣପତ୍ର ଦେଇଥିବା ସତ୍ତ୍ବେ କାହିଁକି ତାଙ୍କ ପୁଅର ଆଡମିଶନ୍ ହୋଇପାରୁନି, ସେ କଥା ଜାଣିପାରୁ ନାହାନ୍ତି । ଗରିବ ପିଲାଙ୍କୁ ଶିକ୍ଷା ଅଧିକାରରେ ସାମିଲ କରିବା ପାଇଁ ରାଜ୍ୟରେ ମୋଟ୍ ୩ ହଜାର ୯୯୩ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟ୍ ଅର୍ଥାତ ପ୍ରାୟ ସାଢ଼େ ୧୨ ହଜାର ସିଟ୍ ସଂରକ୍ଷିତ ଥିବା ସତ୍ତ୍ୱେ ହଜାର ହଜାର ପିଲା ଆଡମିଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ:ମେ' ୨ରୁ ଓଜେଇଇ ପରୀକ୍ଷା; ଜାଣନ୍ତୁ ସମୟ ସୂଚୀ...

ଯାହାର ପ୍ରତିବାଦରେ ଗତକାଲି ଓସେପା ଅଫିସ୍ ଘେରାଉ କରିବା ସହ ଧାରଣାରେ ବସିଥିଲେ ଅଭିଭାବକ ଏବଂ ଅଭିଭାବକ ମହାସଂଘ । ପ୍ରଶ୍ନ କରିଥିଲେ ଅନଲାଇନରେ ଆବେଦନ ପରେ ବି କେଉଁ ପରିସ୍ଥିତିରେ ୮ ହଜାର ୧୦୧ ଫର୍ମ ନାକଚ ହୋଇଛି? ସବୁ ଠିକ୍ ଥିବା ସତ୍ତ୍ବେ ୫ ହଜାର ୨୩୪ ପିଲାଙ୍କୁ ସିଟ୍ ଆଲଟମେଣ୍ଟ କାହିଁକି କରାଗଲାନି? ଏମିତିକି କିଛି ଆବେଦନକାରୀ ଅଭିଯୋଗ କରିଛନ୍ତି, ବ୍ଲକ୍ ଏଜୁକେସନ ଅଫିସରେ ଜାଲିଆତି କରାଯାଇଛି । 


ଚଳିତ ଶିକ୍ଷାବର୍ଷରେ RTE-ପାରଦର୍ଶୀ ପୋର୍ଟାଲରେ ଆବେଦନ ସମୟ ସୀମାକୁ ନେଇ ଦେଖାଦେଇଥିଲା ବିବାଦ । ମାର୍ଚ୍ଚ ୧ ପରିବର୍ତ୍ତେ ଏପ୍ରିଲକୁ ଆବେଦନ ତାରିଖ ବଢାଯିବା ନେଇ ବିବାଦ ଦେଖା ଦେବାପରେ ଥରେ ମାର୍ଚ୍ଚ ୧୮କୁ କମାଇଥିଲେ ସରକାର । ଏଣେ RTEରେ ମୋଟ୍ ୩୬ ହଜାର ୬୯୫ ଆବେଦନକାରୀ ପଞ୍ଜୀକରଣ କରିଥିବା ସତ୍ତ୍ବେ ହାରାହାରି ୨୫ ପ୍ରତିଶତ ଫର୍ମ ନାକଚ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଭାବକ ମହାସଂଘର ସଭାପତି ଅଭିଯୋଗ କରିଛନ୍ତି, ଘରୋଇ ସ୍କୁଲକୁ ଅହେତୁକ ଅନୁକମ୍ପା ଦେଖାଇ ବଳକା ସିଟକୁ ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ମସୁଧା କରାଯାଉଛି ।

ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସମସ୍ତ ଅଭିଯୋଗର ଅନୁଧ୍ୟାନ କରାଯିବ । କାହିଁକି ଓ କେଉଁ କାରଣପାଇଁ ଆବେଦନକାରୀ ପିଲାଙ୍କ ନାଁ ବାଦ୍ ପଡିଲା ସେ ନେଇ ବିଭାଗ ତର୍ଜମା କରିବ। ଏପରିକି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ବିରୁଦ୍ଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । 

ଅଧିକ ପଢ଼ନ୍ତୁ:କାହା ହାତରେ ଅଛି ପାକିସ୍ତାନ ପରମାଣୁ ବୋମାର ରିମୋଟ୍