• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନଡ୍ଡା ବନାମ ନବୀନ । ବିଜେପି ବନାମ ବିଜେଡି । ଦୁଇଦିନ ପରେ ରାଜଧାନୀରେ ହେବ ପଦ୍ମ ଓ ଶଙ୍ଖ ଦଳର ପାଓ୍ୱାର ସୋ । ବିଜେପି ଜନତା ମୈଦାନରେ କରିବ କାର୍ଯ୍ୟକର୍ତ୍ତା ସମ୍ମିଳନୀ । ଆଉ ବିଜେଡି ଆୟୋଜନ କରିଛି ପ୍ରତିନିଧି ସମ୍ମିଳନୀ । ୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ଓ ବିଜେଡିର ଏଭଳି ପ୍ରତିଯୋଗିତାମୂଳକ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଙ୍କ ଦୁଇଦନିଆ ଗସ୍ତକୁ ନେଇ ଜୋରସୋରରେ ପ୍ରସ୍ତୁତି କରୁଛି ବିଜେପି । ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମକୁ ନେଇ ଦଳ ପକ୍ଷରୁ ପ୍ରଚାର କରାଯାଉଛି ।

ସେପଟେ ବିଜେଡିର ଛାତ୍ର, ଯୁବ ଓ ମହିଳା ସଙ୍ଗଠନ ପକ୍ଷରୁ ପ୍ରତିନିଧି ସମ୍ମିଳନୀ ଲାଗି ଆଜି ଆୟୋଜିତ ହୋଇଛି ପ୍ରସ୍ତୁତି ବୈଠକ । ନିର୍ବାଚନ ପୂର୍ବରୁ ଛାମୁଆ ସଂଗଠନକୁ କିଭଳି ଅଧିକ କ୍ରିୟାଶୀଳ କରାଯିବ ସେଥିଲାଗି ପ୍ରସ୍ତୁତ ହୋଇଛି ରୂପରେଖ । ନଡ୍ଡାଙ୍କ କାର୍ଯ୍ୟକ୍ରମରେ ବିଜେପି ତାର ଶକ୍ତି କେନ୍ଦ୍ରରୁ କାର୍ଯ୍ୟକର୍ତ୍ତାକୁ ଆଣିବ । ସେମାନଙ୍କୁ ୨୪ ନିର୍ବାଚନ ପ୍ରସ୍ତୁତିର ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ୩୦ ତାରିଖରେ ଦଳର ବିଭିନ୍ନ ମୋର୍ଚ୍ଚା ସହିତ ଆଲୋଚନା କରିବେ ନଡ୍ଡା । ଆଉ ଠିକ୍ ସେହି ୩୦ରେ ହିଁ ବିଜେଡି ପଂଚୟାତ ଓ ପୌର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରୁଥିବା ଜଣାପଡ଼ିଛି ।

ସେହିପରି ଅକ୍ଚୋବର ୨ରୁ ବିଜେଡି ଆରମ୍ଭ କରୁଥିବା ପଦଯାତ୍ରା, ୨୫ ବର୍ଷ ଧରି ନବୀନଙ୍କ ଓଡ଼ିଶା ପ୍ରତି ସେବା ସଂପର୍କରେ ଲୋକଙ୍କୁ କିପରି ଅବଗତ କରାଯିବ ସେନେଇ ହେବ ମାନସ ମନ୍ଥନ । ସେପଟେ ୨୯ରେ କଂଗ୍ରେସ ମଧ୍ୟ ଭାରତ ଜୋଡୋ ଯାତ୍ରାର ପ୍ରସ୍ତୁତି ବୈଠକ ଖୋର୍ଦ୍ଧାର ବରୁଣେଇ ପାଦଦେଶରେ କରିବ । ଅକ୍ଟୋବର ୩୧ରୁ କଂଗ୍ରେସ୍ କରିବ ପଦଯାତ୍ରା ।

ତେବେ ବିଜେପି-ବିଜେଡି ଭିତରେ ମଧୁର ସଂପର୍କ ରହିଥିବା ଚର୍ଚ୍ଚା ହେଉଛି । ଯଦିଓ ରାଜ୍ୟ ବିଜେପି ଓ ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି, ହେଲେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନ ସରକାରଙ୍କୁ ଯେମିତି ଟାର୍ଗେଟ କରିବା କଥା ତାହା କରୁନଥିବା କୁହାଯାଉଛି । ବିଜେଡି ମଧ୍ୟ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ କଡା ସମାଲୋଚନା କରୁନି । ତେଣୁ ନଡ୍ଡାଙ୍କ ଗସ୍ତ ବେଳେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସର ରାଜନୈତିକ ଗତିବିଧି ବଢ଼ିବାରେ ଲାଗିଛି । ତେବେ ପୂଜା ପରେ ଅସଲ ଲଢ଼େଇ ଆରମ୍ଭ ହେବ ବୋଲି କୁହାଯାଉଛି ।