• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ । ତା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ସାଙ୍ଗକୁ ଦେଶର ଟପ୍ ସୁରକ୍ଷା ବଳ ମୁଖିଆଙ୍କୁ ନେଇ ଗୃହ ବିଭାଗର ବୈଠକ କରାଯାଇଥିବାରୁ ଆଗକୁ ଭାରତ ବଦଲା ଜୋରଦାର ହେବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ପହଲଗାମ୍ ହମଲାରେ ସାମିଲ ଥିବା ହାସିମ୍ ମୂଷା ସଂପର୍କରେ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ସେ ପାକ୍ ମିଲିଟାରୀ ଦ୍ବାରା ତାଲିମପ୍ରାପ୍ତ ଟେରରିଷ୍ଟ ବୋଲି ସୂଚନା ମିଳିଛି ।

ପାକିସ୍ତାନକୁ କେମିତି ଦିଆଯିବ ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ? ପଡ଼ୋଶୀ ଶତ୍ରୁକୁ ଉଚିତ୍ ଶିକ୍ଷା ଦେବାକୁ କିଭଳି ରହିବ ରଣନୀତି ? ଏ ସଂପର୍କରେ ଆସନ୍ତାକାଲିର CCS ବୈଠକ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସବଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ ଓ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ସରିଲା ପାକିସ୍ତାନୀଙ୍କ ଡେଡ୍‌ଲାଇନ, ଜାଣନ୍ତୁ ଭାରତ ନ ଛାଡିଲେ କ'ଣ ହେବ ?

ସେପଟେ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ପ୍ରମୁଖ ସୁରକ୍ଷା ବଳ ମୁଖିଆଙ୍କୁ ନେଇ ବସିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ କେନ୍ଦ୍ର ଗୃହ ସଚିବ, ବିଏସଏଫ୍ ଡିଜି, ଆସାମ ରାଇଫଲ୍ସ, ଏନଏସଜିର ମୁଖ୍ୟ, ସିଆରପିଏଫ୍ ଏବଂ ସିଆଇଏସଏଫର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

ଏପଟେ ପହଲଗାମ ନରସଂହାର ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ଥର ପାଇଁ ବସୁଛି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଭାରତର ପରବର୍ତ୍ତୀ ଆଭିମୁଖ୍ୟ ନେଇ ଏହି ବୈଠକରେ କିଛି ଠୋସ୍ ନିଷ୍ପତ୍ତି ଉପରେ ମୋହର ବାଜିପାରେ। ଏହା ପୂର୍ବରୁ ଗତ ୨୩ରେ ଅନୁଷ୍ଠିତ CCS ବୈଠକରେ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବା ଭଳ ଏକାଧିକ ବଡ଼ ନିଷ୍ପତ୍ତି ନେଇଥିଲା ଭାରତ । ସିନ୍ଧୁ ନଦୀ ଚୁକ୍ତି ବାତିଲ, ପାକିସ୍ତାନୀଙ୍କ ଭିସା ରଦ୍ଦ, ଓ୍ୱାଘା -ଆଟାରୀ ସୀମା ବନ୍ଦ ଏବଂ ଉଚ୍ଚାୟୁକ୍ତରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରି ଇସାଲାମାବାକୁ ଚେକ୍ ଦେଇ ସାରିଛି ନୂଆଦିଲ୍ଲୀ।

ପହଲଗାମ ହମଲା ପଛରେ ଯେ ପାକିସ୍ତାନ, ସେ ଦିଗରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ହାସିମ୍ ମୂଷା ଓରଫ ସୁଲେମାନ ପାକ୍ ମିଲିଟାରୀ ଦ୍ବାରା ତାଲିମପ୍ରାପ୍ତ ଟେରରିଷ୍ଟ ବୋଲି ସୂଚନା ମିଳିଛି। ଏହି ହାର୍ଡକୋର ଆତଙ୍କବାଦୀ ଏବେ ଲସ୍କର-ଏ-ତୋଇବା ପାଇଁ କାମ କରୁଛି । ହାସିମ୍ ପୂର୍ବରୁ ମଧ୍ୟ କାଶ୍ମୀରରେ ୩ଟି ଆଟାକରେ ସାମିଲ ଥିଲା ବୋଲି ଗୁଇନ୍ଦା ତଥ୍ୟରୁ ଜଣାପଡ଼ିଛି ।

ଏଣେ ହାସିମ ମୂଷାର ଲିଙ୍କ୍ ସାମନାକୁ ଆସିବା ପରେ ପାକିସ୍ତାନ ପ୍ରରୋଚନାରେ ଯେ, ପହଲଗାମ ହମଲା ହୋଇଥିଲା, ସେ କଥା ବି ଧିରେ ଧିରେ ସ୍ପଷ୍ଟ ହେଉଛି । ଏପରିକି ଆତଙ୍କାବାଦୀ ହସିମ୍ ମୁଷା ଏ ଆକ୍ରମଣର କିଛି ଦିନ ଆଗରୁ ଘଟଣାସ୍ଥଳକୁ ଆସି ରେକି କରିଥିଲା । ଯାହାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ସେପଟେ ଆତଙ୍କବାଦୀ ମୁକାବିଲା କ୍ଷେତ୍ରରେ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡ଼ିବା ପରେ ଏହାକୁ ନେଇ ଜାତିସଂଘରେ ପାକିସ୍ତାନ ଉପରେ ଖୁବ ବର୍ଷିଛି ଭାରତ । ପାକିସ୍ତାନର ପୋଲ୍ ଖୋଲି ଏହି ପଡ଼ୋଶୀ ରାଷ୍ଟ୍ର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ନେଇ ଜାତିସଂଘରେ ତଥ୍ୟ ରଖିଛନ୍ତି ଭାରତୀୟ ପ୍ରତିନିଧି ଯୋଜନା ପଟେଲ।

ଏଣେ ପହଲଗାମ୍ ଆତଙ୍କୀ ଆକ୍ରମଣର ଚେର ଖୋଜିବାକୁ ଦେଶବ୍ୟାପୀ ଛାନଭିନ୍ ଚଳାଇଥିବା NIAର ସ୍କାନରକୁ ଆସିଛି ପହଲଗାମ୍ ପର୍ଯ୍ୟଟନସ୍ଥଳୀରେ ଜିପ୍ ଲାଇନ୍ ଚଳାଉଥିବା ଅପରେଟର । ଆତଙ୍କୀମାନେ ରକ୍ତର ହୋଲି ଖେଳୁଥିବା ବେଳେ ଜିପ୍ ଲାଇନ୍ ଅପରେଟର ଆଚରଣ ସନ୍ଦେହ ସୃଷ୍ଟି କରିବା ପରେ ତାକୁ ଅଟକ ରଖି ଜେରା କରୁଛି NIA । ତା ସହ ଭିଡିଓରେ ଦୃଶ୍ୟମାନ ହେଉଥିବା ପ୍ରାୟ ସମସ୍ତ ଲୋକଙ୍କୁ ତଦନ୍ତ ପରିସଭୁକ୍ତ କରିଛି ତଦନ୍ତକାରୀ ସଂସ୍ଥା । ସେହିଭଳି NIAର ଏକ ଟିମ୍ ଆଜି କଟକ ଆସି ପହଲଗାମ୍ ହମଲାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଭୋଳ ପରିବାର ସଦସ୍ୟଙ୍କୁ ମଧ୍ୟ ଘଟଣା ସଂପର୍କରେ ପଚରାଉଚରା କରିଛି। ପହଲଗାମ ଆକ୍ରମଣରେ ପାକିସ୍ତାନକୁ ପ୍ରଭାବୀ ଜବାବ ଦେବାର ମହା ପ୍ରସ୍ତୁତି ଭିତରେ କେନ୍ଦ୍ର ସରକାର ପର୍ଯ୍ୟଟକଙ୍କ ଲାଗି ଜାମ୍ମୁ ଓ କାଶ୍ମୀର ଉପତ୍ୟକାର ୪୮ଟି ପର୍ଯ୍ୟଟନସ୍ଥଳକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ