• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗରିବ ଲୋକଙ୍କ ଲାଗି ରାସନ କାର୍ଡ କରିଛନ୍ତି ସରକାର । ଏହି ଯୋଜନାରେ ଚାଉଳ ଓ ଗହମ କମ୍‌ ମୂଲ୍ୟରେ ପାଉଛନ୍ତି ହିତାଧିକାରୀ । କିନ୍ତୁ ଏହି ଯୋଜନାରେ ଏମିତି ଦୁର୍ନୀତି ହୋଇଛି ଯେ ପ୍ରକୃତ ହିତାଧିକାରୀଙ୍କ ପାଖରେ କାର୍ଡ ନାହିଁ ହେଲେ ଅଯୋଗ୍ୟ ପାଉଛନ୍ତି ରାସନ ସାମଗ୍ରୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶାଶୁଭୁଆଶୁଣୀ ଗ୍ରାମପଞ୍ଚାୟତର ଜ୍ୟୋତିକା ମଳିକ । ଭଙ୍ଗା କୁଡିଆ ତଳେ ୬ପ୍ରାଣୀ କୁଟୁମ୍ବକୁ ନେଇ ରହୁଛନ୍ତି ପୂରା ପରିବାର । ଭଙ୍ଗା ଘର ଖଣ୍ତିକୁ ଛାଡିଦେଲେ ଜମିବାଡି କି ଅନ୍ୟ ସମ୍ପତ୍ତି କିଛି ନାହିଁ । ରାତି ପାହିଲେ ପର ଦୁଆରେ ମଜୁରୀ ଲାଗିଲେ ଘରେ ଚୁଲି ଜଳିବ । ଆଜିକା ମହରଗ ଯୁଗରେ ସବୁ ଜିନିଷ କିଣି ଖାଇବା ବି ତାଙ୍କ ପକ୍ଷରେ କଷ୍ଟ ହେଉଛି । ସେଇଥି ଲାଗି ତ ଖଣ୍ଡେ ରାସନ କାର୍ଡ ଲାଗି ପଂଚାୟତ ଅଫିସ୍‌ ଦୌଡି ଦୌଡି ହତାଶ ହେଲେଣି । କିନ୍ତୁ ଆଜିଯାଏଁ ତାଙ୍କୁ ମିଳିପାରିନି ଖଣ୍ଡେ ରାସନକାର୍ଡ ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଜ୍ୟୋତିକା ଏତେ ଗରିବ ହୋଇଥିଲେ ବି ତାଙ୍କୁ ରାସନ କାର୍ଡ ଏଯାଏଁ ମିଳିପାରିଲାନି । ହେଲେ ସେହି ଗାଁରେ ରହୁଥିବା ଧନୀ ଶ୍ରେଣୀର ଅନେକ ଲୋକଙ୍କୁ ରାସନ କାର୍ଡ ମିଳିଥିବା ସେ ଅଭିଯୋଗ କରିଛନ୍ତି । ଖାଲି ଜ୍ୟୋତିକା ନୁହନ୍ତି ବରଂ ସେହି ଗାଁର ମମିତା ମଳିକଙ୍କର ସମଦଶା । ଜମିବାଡି ନଥିବାରୁ ଦୁଇ ଓଳି ଦୁଇ ମୁଠା ଖାଇବା ତାଙ୍କ ପକ୍ଷରେ ବଡ଼ କଷ୍ଟ ହୋଇଛି । ଜ୍ୟୋତିକାଙ୍କ ପରି ଖଣ୍ଡେ କାର୍ଡ ଲାଗି ପାଞ୍ଚ ପାଞ୍ଚ ଥର କାର୍ଡ ପାଇଁ ଆବେଦନ କରି ବାସୁଦେବପୁର ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇଥିବା ବେଳେ ରାସନ କାର୍ଡ ଖଣ୍ତିଏ ମିଳିଲା ନାହିଁ । ଅଭିଯୋଗ ଏତିକିରେ ସରିନି ବରଂ ସେହି ଗାଁର ଚନ୍ଦ୍ରକାନ୍ତ ମଲିକଙ୍କର ଖଣ୍ଡେ କାର୍ଡ ଥିଲା ହେଲେ ଏବେ କାଟିଦେଲେ । ତେଣୁ ପଂଚାୟତ ଅଫିସରେ ସେ ବି ଚକ୍କର କାଟୁଛନ୍ତି ହେଲେ କାର୍ଡ ଟିଏ ପାଇଲେ ନାହିଁ ।

ଗାଁର ୩୦ ପ୍ରତିଶତ ଲୋକ ପ୍ରକୃତ ଯୋଗ୍ୟ ହିତାଧିକାରୀ ଅଛନ୍ତି । ହେଲେ ସେମାନେ କେହି ରାସନ କାର୍ଡ ପାଇନାହାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ପଂଚାୟତରେ ଲୋକମାନେ ଏତେ ଅସୁବିଧାରେ ଅଛନ୍ତି ହେଲେ ଖୋଦ୍‌ ସରପଂଚଙ୍କ ପାଖରେ ଗାଡ଼ିଠୁ ଆରମ୍ଭ କରି ପୂଳାପୂଳା ସଂପତ୍ତି ଥିବା ପରେ ବି ତାଙ୍କ ସ୍ତ୍ରୀଙ୍କ ନାଁରେ ଅଛି ରାସନ କାର୍ଡ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ସେପଟେ କିନ୍ତୁ ଯୋଗାଣ ବିଭାଗର ଅଧିକାରୀ କହୁଛନ୍ତି, ସେମିତି କିଛି ଅଭିଯୋଗ ଆସିନାହିଁ । ତେବେ ପୂରା ଘଟଣାର ପର୍ଦ୍ଦାଫାଶ କରିଥିବା ସୂଚନା ଅଧିକାରୀ ନିର୍ମଳ ମଳିକ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ମିଳୁ ରାସନ କାର୍ଡ ।

  • Reported by:
  • Suryadoya Biswal