• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୌସୁମୀ ବର୍ଷା ଆସୁଛି, ଏଣେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ରବି ଧାନ ପଡ଼ିଛି । କେଉଁଠି ଚାଷୀ ରାସ୍ତା ଉପରେ ବସି ନାରାବାଜି କଲେଣି ତ ପୁଣି କେଉଁଠି ଆନ୍ଦୋଳନ ପାଇଁ ସଜବାବ ହେଲେଣି । ୨୦ରୁ ୨୫ଦିନ ହେଲା ଧାନ ପଡ଼ିଛି ଯେ, ଉଠିବାର ନାଁ ନେଉନି । ଏଣେ କିନ୍ତୁ ପ୍ରଶାସନ କହୁଛି ଧାନ କିଣା ଠିକ୍ ଚାଲିଛି, ଟାର୍ଗେଟ୍ ଅନୁସାରେ ସବୁ ଧାନ କିଣାହେବ । ତେଣେ ଖରା ତାତି ଓ ମଶା ରାତିରେ ଧାନ ଧରି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଚାଷୀ ।

ରାସ୍ତା ଉପରେ ଚାଷୀଙ୍କ ନାରାବାଜି, ତେଣେ ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ରବି ଧାନ । ଆଖି ଯୁଆଡ଼େ ବୁଲାଇଲେ ପାଲ ଘୋଡ଼ା ହୋଇ ଧାନ ପଡିଛି । ପାଖାପାଖି ୨୦ରୁ ଅଧିକ ଦିନ ହେଲାଣି କଳାହାଣ୍ଡି ଜିଲ୍ଲା କୋଟାଗାଁ ମଣ୍ଡିରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍ଗ ଚାଷୀ ଯଶୋବନ୍ତ ମାଝୀ, ଦିନରେ ମୁଣ୍ଡ ଫଟା ଖରା ଓ ରାତିରେ ମଶା ଡାଆଁସରେ ନିଜ ପରିଶ୍ରମର ମୂଲ୍ୟ ପାଇବାକୁ ମଣ୍ଡିରେ ଜଗିଛନ୍ତି । ସେ ୪୦ କୁଇଣ୍ଟାଲ ଧାନ ଆଣି ଆସିଛନ୍ତି, କେବେ ଉଠିବ ତାଙ୍କୁ ଜଣାନାହି ।

ଏଣେ ଦିନକତଳେ ଝିପି ଝିପି ବର୍ଷା ହୋଇଥିଲା, ଫଳରେ ବହୁ ଚାଷୀ ଚିନ୍ତାରେ ପଡ଼ି ଯାଇଥିଲେ । ଧାନ ଶୀଘ୍ର ଉଠାଇବାକୁ ଦାବି କରି ଉତ୍ତ୍ୟକ୍ତ ଚାଷୀ ମଣ୍ଡଳ-କୋଟାଗାଁ ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ଜଣେ ଚାଷୀ ସମର୍ଥକ ଘଟଣାସ୍ଥଳରୁ ସିଧା ପ୍ରଶାସନକୁ ଜଣାଇବା ପରେ, କଲମପୁର ତହସିଦାର ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ପ୍ରାୟ ୧୪ ହଜାର କୁଇଣ୍ଟଲରୁ ଅଧିକ ଧାନ ଶୀଘ୍ର ଉଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ତ ଓହରିଛନ୍ତି, ହେଲେ ଧାନ ଉଠିବାର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ କିନ୍ତୁ କେହି ଜାଣିପାରୁ ନାହାନ୍ତି ।

ପଶ୍ଚିମ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅତାବିରା ମାର୍କେଟ ୟାର୍ଡରେ କେଉଁଠି ଥାକ ମରା ହୋଇଛି, ତ କେଉଁଠି ପାଲ ଘୋଡ଼ା ହୋଇ ଥୁଆ ହୋଇଛି ପାଖାପାଖି ୨୫ ହଜାର କୁଇଣ୍ଟାଲରୁ ଅଧିକ ଧାନ । ମିଲର୍ସଙ୍କ ମନମାନି ଓ ଧାନ କିଣିବାକୁ ଗାଡ଼ି ଆସୁନଥିବାରୁ ଚାଷୀ ଚିନ୍ତାରେ । ଗୋଟିଏ ପଟେ ଟୋକନ୍ ଅବଧି ସରି ସରି ଆସୁଥିବାବେଳେ ଅନ୍ୟପଟେ ମୌସୁମୀ ବର୍ଷା ଛାନିଆ କଲାଣି । ତେଣୁ ଏଭଳି ସ୍ଥିତିରେ ଶୀଘ୍ର ଧାନ ଉଠାନଗଲେ ଆନ୍ଦୋଳନ କରିବାକୁ ଧମକ ଦେଲେଣି ଚାଷୀ ।

ସେପଟେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଉତ୍ତର, ଅତାବିରା, ପଦ୍ମପୁର ଓ ବରଗଡ଼ ଅଧୀନରେ ୧୭୮ଟି ମାର୍କେଟ୍ ୟାର୍ଡରେ ସୁରୁଖୁରୁରେ ଧାନ କିଣାବିକା ଚାଲିଛି । ଏଥର ରବି ଋତୁରେ ଜିଲ୍ଲାକୁ ୫୨ଲକ୍ଷ ୩୧ ହଜାର କୁଇଣ୍ଟାଲ ଧାନ ସଂଗ୍ରହର ଟାର୍ଗେଟ୍ ଦିଆଯାଇଥିବାବେଳେ ଅଦ୍ୟାବଧି ୩୯ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଲାଣି । ବାକି ସବୁ ମଣ୍ଡିରୁ ଠିକ୍ ସମୟରେ ଧାନ କିଣା ହେବ । ମଣ୍ଡିରେ ତାତି ଓ ରାତିରେ ସଢ଼ୁଥିବା ଚାଷୀଙ୍କ ଧାନ କେବେ ଉଠୁଛି, ଏବେ ତାକୁ ଅପେକ୍ଷା ।

  • Reported by:
  • Deepak Sharma , Ingeet Panda