• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଆ ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁର ଏହି ଅଭାବନୀୟ ଘଟଣା ସମଗ୍ର ଅଂଚଳରେ ଶୋକ ଖେଳାଇ ଦେଇଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ । ସେପଟେ କୁମ୍ଭୀର ଥିବା ଅଂଚଳରେ ବନ ବିଭାଗ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉନଥବା ଅଭିଯୋଗ କରିଛନ୍ତି ନଈକୂଳିଆ ଗ୍ରାମବାସୀ। 

ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ । ଆଖି ସାମ୍ନାରେ ପୁଅକୁ ହରାଇ ଅଧିର, ଅଧର୍ଯ୍ୟ ହୋଇପଡୁଛି ମାଆ । ଚେତା ହରାଉଛି ବାପା । ପୁରା ପରିବାରରେ କାନ୍ଦ ବୋବାଳି । ପାଖ ପଡୋଶୀ ବି ବିଶ୍ୱାସ କରିପାରୁନାହାଁନ୍ତି, ସକାଳୁ ଗାଁ ଦାଣ୍ଡରେ ଡିଆଁ ମାରୁଥିବା କୁନି ପୁଅ ଏମିତି ଚାଲିଯିବ ବୋଲି । 

ସକାଳୁ ମାଆ ଓ ଭଉଣୀ ସହ ଗାଧୋଇବାକୁ ଗାଁ ପାଖ ନଈକୁ ଯାଇଥିଲା ୧୦ ବର୍ଷର ଆଶୁତୋଷ ଆଚାର୍ଯ୍ୟ । କୂଳରେ ଅଳ୍ପ ପାଣିରେ ଗାଧୋଉଥିବା ବେଳେ ହଠାତ ପାଖକୁ ମାଡି ଆସିଥିଲା ବିରାଟ କୁମ୍ଭୀର । ମାଆ ଓ ଭଉଣୀ ସାମ୍ନାରେ ଟାଣି ନେଇଥିଲା ପାଣି ଭିତରକୁ । ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ନଈ ମଝିରୁ ପୁଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା ଆନ୍ଦୋଳନ । ସେପଟେ ଖବର ଦିଆଯିବା ପରେ ବି ପ୍ରଶାସନିକ ଅଧିକାରୀ ବିଳମ୍ବରେ ପହଁଚିବାରୁ କ୍ଷୁବ୍ଧ ହୋଇଥିଲେ ସ୍ଥାନୀୟ ଲୋକେ। ମୃତଦେହ ରଖି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ଅବରୋଧ କରିଥିଲେ ।

ଗତବର୍ଷ ଠିକ୍ ଏହି ସ୍ଥାନରେ ଗାଁର ୪୦ ବର୍ଷୀୟ ବବ୍ରୁବାହନଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । ପାଣି ଭିତରକୁ ଟାଣି ନେଉଥିବା ବେଳେ ସ୍ଥାନୀୟ ଲୋକ ପାଟି କରିବାରୁ କ୍ଷତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲା । କେବଳ ଏହି ଦୁଇ ଘଟଣା ନୁହେଁ, ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ବାରମ୍ବାର କୁମ୍ଭୀର ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସିଛି । କୁମ୍ଭୀର ଚଳପ୍ରଚଳ ଥିବା ଅଂଚଳରେ ମାଇକରେ ପ୍ରଚାର କରିବା, ନଦୀ କୂଳରେ ବ୍ୟାନର ଓ ପୋଷ୍ଟର ଲଗାଇ ସଚେତନ କରିବା ଏବଂ ଗାଧୋଇବା ତୁଠରେ ବ୍ୟାରିକେଡ୍ କରି ଜାଲି ଦିଆଯିବା କଥା । ତେବେ ଅଭିଯୋଗ ହୋଇଛି, ବନ ବିଭାଗ ଏନେଇ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ  କରୁନାହିଁ କି ଲୋକଙ୍କୁ ସଚେତନ କରିବାକୁ ପଦକ୍ଷେପ ନେଉନି ।

  • Reported by:
  • PRABIR KUMAR NAYAK