• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା କୋପ ଯେତିକି ଯେତିକି ଛାଡୁଛି, ଦୁର୍ଦ୍ଦଶା ସାଙ୍ଗକୁ କ୍ଷୟକ୍ଷତିର ଚିତ୍ର ସେତିକି ସ୍ପଷ୍ଟ ହେବାରେ ଲାଗିଛି । ବାସ ବୁଡ଼ିଲା, ଚାଷ ଉଜୁଡିଲା ପରେ ସବୁଠି ସରକାରୀ ସାହାଯ୍ୟ ଅପେକ୍ଷାରେ ବିପନ୍ନ । ବନ୍ୟା ପ୍ଲାବିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଉଜୁଡିଥିବା ଚାଷର ଭରଣା ପାଇଁ କେତେକ ସ୍ଥାନରେ ଲୋକେ ରାସ୍ତାକୁ ବି ଓହ୍ଲାଇଲେଣି ।

ରାସ୍ତା ଉପରେ ଆନ୍ଦୋଳନ । ଲଘୁଚାପ ବର୍ଷା ଓ ବନ୍ୟାରେ ଉଜୁଡ଼ା କ୍ଷେତକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୂଳବସନ୍ତ ଛକର କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ । ଏହା ପଛର କାରଣ ହେଉଛି ଚାଷ ଜମିରୁ ଶୀଘ୍ର ବନ୍ୟାଜଳ ନିଷ୍କାସନ ଦାବି । ଗାଙ୍ଗପଡ଼ା ପଞ୍ଚାୟତର ଶତାଧିକ ଆନ୍ଦୋଳନକାରୀଙ୍କ ଅଭିଯୋଗ, ବନ୍ୟା ସପ୍ତାହେ ତଳୁ ଛାଡ଼ିଲାଣି, ହେଲେ ସୋବଳା, ଦୋବନ୍ଧା ଓ ଗୋଗୁଆ ଭଳି ୧୦ରୁ ଅଧିକ ଗାଁର ଚାଷ ଜମିରେ ଏବେ ବି ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ପାଟ୍ଟ ନଈରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉନଥିବାରୁ ଶହ ଶହ ଏକର ଧାନ ଜମିରେ ପ୍ରଥମେ ରୁଆ ହୋଇଥିବା ଧାନ ସମ୍ପୂର୍ଣ୍ଣ ସଢି ଯାଇଥିଲା, ଆଉ ଏବେ ପାଣି ଛାଡୁନଥିବାରୁ ଚାଷ କାମ ହୋଇପାରୁ ନାହିଁ । ଫଳରେ ଏସନ ଆଉ ଦାନା ମୁଠେ ଯୋଗାଡ଼ କରିବା ଅସମ୍ଭବ ।

ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟପାର୍ଶ୍ୱରେ ଦୀର୍ଘ ସମୟ ଧରି ଶହ ଶହ ଗାଡ଼ି ଅଟକି ରହିଥିଲା । ପରେ ସ୍ଥାନୀୟ ତହସିଲଦାର ପହଞ୍ଚି ତୁରନ୍ତ ବନ୍ୟାଜଳ ନିଷ୍କାସନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ସେମିତି ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଞ୍ଚାୟତରେ ବି ନାହିଁନଥିବା କ୍ଷତି ଘଟିଛି ।

ବନ୍ୟା ତାଉରେ ଚାଷର କିଭଳି ହୋଇଛି ଦୁଃସ୍ଥିିତି ତାର ଚିତ୍ର ଆଜି ବି ତାଜା । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ନଦୀରେ ପାଣି ସିନା କମିଗଲାଣି, ହେଲେ ଚାଷ ଜମିରେ କିନ୍ତୁ ଆଜି ବି ଲହଡ଼ି ଭାଙ୍ଗୁଛି । ଧାନ ଜମିରେ ୨ଫୁଟ ତ ପରିବା କିଆରୀ ବୁଡ଼ି ରହିଛି ଅଣ୍ଟାଏ ଉଚ୍ଚର ପାଣିରେ । ଭେଣ୍ଡି, ଜହ୍ନି ଭଳି ପରିବା କ୍ଷେତରୁ ଆଉ ଫସଲ ଆଦାୟ ହେବାର ହିଁ ନାହିଁ । ସେମିତି ଧନୁଆ ଓ କୁଶଭଦ୍ରା ବନ୍ୟାରେ ନିମାପଡ଼ା କୃଷିଜିଲ୍ଲା ଅନ୍ତର୍ଗତ ୧୮ଟି ପଞ୍ଚାୟତରେ ୭ ହଜାର ହେକ୍ଟରରୁ ଅଧିକ ଧାନ ଓ ଅଣଧାନ ଜମି ଜଳମଗ୍ନ ଓ ଉଜୁଡ଼ା ସ୍ଥିତିରେ ରହିଛି ।

ଏମିତିକି ବିହନ ବି ପାଖରେ ନଥିବାରୁ ସରକାର ତୁରନ୍ତ କ୍ଷତିପୂରଣ ସହ ଉଭୟ ଧାନ ଓ ରବି ଫସଲ ବିହନ ମାଗଣାରେ ଯୋଗାଇବାକୁ ଦାବି ହୋଇଛି । ତେବେ ଧାନ ଚାଷର ଅତ୍ୟନ୍ତ ବିକଳ ଅବସ୍ଥା ହୋଇଛି । ମହାନଦୀ କୋପରେ ସର୍ବାଧିକ ପ୍ରଭାବିତ ଆଠଗଡ଼ ବ୍ଲକ୍ ଅଞ୍ଚଳରେ ଆଠଗଡ଼ ରାଜନଗର, ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ଶହ ଶହ ଏକର ଧାନ ଜମିରେ ସଢ଼ିଲା ଫସଲକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସବୁଠି ପ୍ରଶାସନ କହୁଛି ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।

ଚିନ୍ତାଜନକ କଥା ହେଲା, ନଦୀରେ ବନ୍ୟା ତାଉ କମୁଥିଲେ ବି ଛାଡ଼ି ଯାଇଥିବା ଜଳପ୍ରଳୟରେ ଆଜି ବି କେମିତି ଆକ୍ତାମାକ୍ତା ହେଉଛନ୍ତି ଲୋକେ । ବାଲେଶ୍ୱର ଭୋଗରାଇ ଅଞ୍ଚଳର ଏବେ ବି ଗାଁ ଚାରିପାଖେ ଜମି ରହିଛି ସୁବର୍ଣ୍ଣରେଖାର ବଢ଼ି ପାଣି । ୫ ପଞ୍ଚାୟତର ୫୦ରୁ ଅଧିକ ଗାଁ ଆଜି ବି ଅଳ୍ପବହୁତେ ଜଳବନ୍ଦୀ ସ୍ଥିତିରେ । ବାସ ବୁଡ଼ିବା ସହ ଚାଷ ଉଜୁଡ଼ିବା ପରେ ଏଠି ବି ଦୁର୍ଦ୍ଦଶାର ପାହାଡ଼ରେ ଛିଡ଼ା ହୋଇଛନ୍ତି ବିପନ୍ନ । ସେମିତି ମାତ୍ର କେଇ ଦିନ ତଳେ ଭୀମକାୟ ରୂପ ଧରି ସୁ ସୁ ସୁଅ କାଟି ଚାଲିଥିବା ନଦୀମାନେ ଧୀରେ ଧିରେ ଶାନ୍ତ ପଡ଼ି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲେଣି ।