• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ୍ କୋଠା ଓ ଆପର୍ଟମେଣ୍ଟ? ନୋଏଡ଼ାର ବହୁଚର୍ଚ୍ଚିତ ଟ୍ୱିନ୍ ଟାୱାର ମାଟିରେ ମିଶିବା ପରେ ଏଭଳି ପ୍ରଶ୍ନ ଉଠିବାରେ ଲାଗିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୨ଶହ ବେଆଇନ ବିଲ୍ଡିଂ ଭାଙ୍ଗିବାକୁ ନିର୍ଦ୍ଦେଶ ଥିବାରୁ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ବେଆଇନ ନିର୍ମାଣକୁ ଲିଗାଲାଇଜ୍ କରିବାକୁ ସର୍ବକ୍ଷମା ଯୋଜନା ଲାଗୁ ହୋଇଛି । ବଡ଼ କଥା ହେଲା, ଅନେକ ବେଆଇନ କୋଠା ଭାଙ୍ଗିବା ପାଇଁ ଅର୍ଡର୍ ଥିଲେ ବି କୋର୍ଟଙ୍କ ଷ୍ଟେ ଅର୍ଡର ଓ ଆଇନ୍‌ର ଅନ୍ୟ ଗଳାବାଟ ଦେଇ ବର୍ତ୍ତି ଯାଉଛନ୍ତି ବିଲ୍ଡର । ଏସବୁ ଭିତରେ କାର୍ଯ୍ୟାନୁଷ୍ଠାନ ନହେବା ପାଇଁ ବିଡିଏ, ବିଏମ୍‌ସିକୁ ଦୋଷ ଠେଲିଥିବାବେଳେ ବିଏମ୍‌ସି କହିଛି, ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ମାଟିରେ ମିଶିଲା ୩୨ ମହଲା ଓ ୨୯ ମହଲା ବିଶିଷ୍ଟ ନଭଶ୍ଚୁମ୍ଭୀ ଅଟ୍ଟାଳିକା । କିଛି ବର୍ଷ ତଳେ କେରଳର କୋଚ୍ଚିରେ ବି ଭଙ୍ଗାଯାଇଥିଲା ୧୯ ଓ ୧୭ ମହଲା ବିଶିଷ୍ଟ ସୁଉଚ୍ଚ କୋଠା । ବେଆଇନ ନିର୍ମାଣ ବିରୋଧରେ ଏଭଳି କଡ଼ା ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପରେ ଓଡ଼ିଶାରେ ବି ବିଲ୍ଡରଙ୍କ ଛାତି ଧଡ଼ ଧଡ଼ । କାହିଁକି ନା ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ନିର୍ମାଣ ହୋଇଛି ଏଭଳି ଅନେକ ବେଆଇନ କୋଠା ।

ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି । ବିଧାନସଭାରେ ନଗର ଉନ୍ନୟନ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜଧାନୀରେ ୧୬୪୩ଟି ଆପାର୍ଟମେଣ୍ଟର ନିର୍ମାଣ ନକ୍ସା ଅନୁମୋଦନ କରାଯାଇଛି । ତା ମଧ୍ୟରୁ ୪୮୭ଟି କୋଠାକୁ ବେଆଇନ୍ ଘୋଷଣା କରାଯାଇଛି । ଆଉ ସେଥିମଧ୍ୟରୁ ୨୦୦ଟି  ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୀର୍ଘବର୍ଷ ହେବ ବେଆଇନ କୋଠା ଚିହ୍ନଟ ହୋଇଥିଲେ ବି ସେଗୁଡ଼ିକ କାହିଁକି ଭଙ୍ଗା ଯାଉନି, ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ବିଏମ୍‌ସି ଉପରେ ଦୋଷ ଠେଲିଛି ବିଡିଏ, କହିଛି ଯେ ଓଡିଶା ଡେଭଲପ୍‌ମେଣ୍ଟ ଅଥରିଟି ଆଇନ ଅନୁସାରେ ବେଆଇନ ନିର୍ମାଣ ଭାଙ୍ଗିବାକୁ ବିଏମ୍‌ସିକୁ କ୍ଷମତା ଦିଆଯାଇଛି । ୩ବର୍ଷ ହେଲା ବେଆଇନ କୋଠାଗୁଡିକର ତାଲିକା ବି ଦେଇ ଦିଆଯାଇଛି । ସେପଟେ ବିଏମ୍‌ସି କହିଛି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ସେପଟେ ବେଆଇନ ଓ ବିବାଦୀୟ ଜମି ଉପରେ ବିନା ଅନୁମୋଦନରେ ଉଚ୍ଚ ଅଟ୍ଟାଳିକା ଓ ଅନୁମୋଦନଠାରୁ ଅଧିକ ଫ୍ଲୋର ନିର୍ମାଣ ଭଳି ଅଭିଯୋଗ ରହିଛି । ଏସବୁ କୋଠାକୁ ଲିଗାଲାଇଜ୍ କରିବାକୁ ସର୍ବକ୍ଷମା ଯୋଜନା ଲାଗୁ ହୋଇଛି । ଅନେକ ବେଆଇନ କୋଠା ଭାଙ୍ଗିବା ପାଇଁ ଅର୍ଡର୍ ଥିଲେ ମଧ୍ୟ କୋର୍ଟଙ୍କ ଷ୍ଟେ-ଅର୍ଡର ରହିଛି ।

ତେବେ ୨୦୧୭ ଓଡିଶା ରିଏଲ୍ ଇଷ୍ଟେଟ୍ ରେଗୁଲେସନ୍ ଅଥରଟି ବା ରେରା ଆଇନ ଆସିବାପରେ ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ଅନୁମତି ନେବାକୁ ପଡୁଛି । ଏହାର ଉଲ୍ଲଂଘନ ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ରେରା ପକ୍ଷରୁ କୁହାଯାଉଛି । ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ,  ଏନେଇ ସର୍ଭେ ଚାଲିଛି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।

ରିପୋର୍ଟର- ହରିହର ଚାନ୍ଦ