• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଶା ଥିଲା ଆଜି ସମସ୍ୟାର ସମାଧାନ ହୋଇଯିବ, ଆଉ ରାଜଧାନୀରୁ ଉଠିବ ଅଳିଆ । ହେଲେ ବିଏମ୍‌ସି ନିଷ୍ପତ୍ତିରେ ସହମତି ହୋଇପାରନୁନାହାନ୍ତି ଦାରୁଠେଙ୍ଗ ବାସିନ୍ଦା । ଫଳରେ ୧୦ ଦିନ ତଳେ ସମସ୍ୟା ଯେଉଁଠି ଥିଲା, ସେଠାରେ ହିଁ ଅଟକି ରହିଛି । ଏପଟେ ଦୀର୍ଘ ଦିନ ହେଲା ଅଳିଆ ପଡି ରହିଥିବାରୁ ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍ ତୀବ୍ର ହେଲାଣି ଜନ ଅସନ୍ତୋଷ । 

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି । ସେଥିରେ ପୁଣି ବଢିଲେଣି ମଶା-ମାଛି । ନଖରାରୁ ନନ୍ଦନକାନନ, ଶିଶୁପାଳଗଡ଼ରୁ ଆଇଗିଣିଆ, ଯୁଆଡେ ଆଖି ପଡୁଛି ସେଠି କୁଢ଼ କୁଢ଼ ଅଳିଆ । ୟୁନିଟ ୩ ସରସ୍ୱତୀ ଶିଶୁ ମନ୍ଦିର ନିକଟର ଆବର୍ଜନା ପଡ଼ିଛି, ତା ସହ କଟା ହୋଇଥିବା ଗଛ ଡାଳ ବି ପଡ଼ି ରହିଛି ।

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଆଉ ସେପଟେ ୟୁନିଟ-୯ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଝିରେ କୁଢ କୁଢ ଅଳିଆ । ଅସ୍ୱାସ୍ଥ୍ୟକର ପରିବେଶ ଦେଇ ଯିବା ଆସିବା କରୁଛନ୍ତି ସ୍କୁଲ ପିଲା । ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀଙ୍କ ଘର ସାମ୍ନାର ସ୍ଥିତି ବି ସମାନ । ଦୀର୍ଘ ଦିନ ଧରି ଏମିତି ସ୍ଥିତିକୁ ସାମ୍ନା କରି ତେଜିଲାଣି ଅସନ୍ତୋଷ, ଆଉ ଘାରୁଛି ଡେଙ୍ଗୁ ଭୟ ।

ସୈନିକ ସ୍କୁଲ ସ୍ଥିତ ଡମ୍ପିୟାର୍ଡରେ ଆଜି ଲାଗିଥିଲା ଅବର୍ଜନା ବୋଝେଇ ଟ୍ରକ୍ । ଗୋଟିଏ ଗାଡିକୁ ଅଳିଆ ପକାଇବା ପାଇଁ ୪ରୁ ୫ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବାର ଦେଖିବାକୁ ମିଳିଥିଲା । ତେଣୁ ଆଗରୁ ଗୋଟିଏ ଗାଡି ୫ରୁ ୬ ଟ୍ରିପ କରୁଥିବା ବେଳେ ଏବେ ମାତ୍ର ଗୋଟିଏ କି ଦୁଇ ଟ୍ରିପ ହେଉଛି । ଏବେ କେବଳ ଏହି ଡମ୍ପିଂୟାର୍ଡରେ ଅଳିଆ ପଡୁଥିବାରୁ ପାହାଡ଼ ଭଳି ଗଦା ହେଲାଣି ଆବର୍ଜନା । 

ଏପଟେ ଦାରୁଠେଙ୍ଗବାସୀଙ୍କ କୋର୍ଟକୁ ବଲ୍ ଫିଙ୍ଗି ବସି ରହିଛି ବିଏମ୍‌ସି । ଦୁଇ ଦିନ ସମୟ ମାଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରିନି । ବସିଥିବା ପଲ୍ଲୀସଭାରେ ବିଏମ୍‌ସିର ନିଷ୍ପତ୍ତିରେ ସହମତି ପ୍ରକାଶ କରିପାରୁ ନାହାନ୍ତି ପଞ୍ଚାୟତବାସୀ । ସେଥିପାଇଁ ଆଉଥରେ ଆଜି ବସିବ ପଲ୍ଲୀସଭା । ସରପଞ୍ଚଙ୍କ କହିବା କଥା ହେଲା, ବିଏମ୍‌ସି ଦୀର୍ଘ ଦିନ ଧରି କେବଳ ପ୍ରତିଶୃତି ଦେଇଆସୁଛି, ହେଲେ ପୂରଣ କରୁନାହିଁ । ସେପଟେ ଘଟଣାରେ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ । ଅନ୍ୟପଟେ ନଗର ଉନୟନ୍ନ ମନ୍ତ୍ରୀ ଉଷାଦେବୀ କହିଛନ୍ତି ମେୟର, କମିଶନର ଆଲୋଚନା କରୁଛନ୍ତି, ୨ରୁ ୩ ଦିନ ମଧ୍ୟରେ ସମାଧାନ ବାହାରିଯିବ । 

ଦାରୁଠେଙ୍ଗଠାରେ ଅଳିଆ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ୨୦ ଦିନ ହେବ ଡମ୍ପିଂୟାର୍ଡରେ ବନ୍ଦ ଅଛି ଅଳିଆ ପକାଇବା । ଦେଖିବାକୁ ବାକି ରହିଲା ଏହି ସମସ୍ୟାର ସମାଧାନ କେବେ ହେଉଛି ।

ରିପୋର୍ଟର- ଜଗଦୀଶ ଦାସ, ହରିହର ଚାନ୍ଦ ଓ ସୌମ୍ୟ ରଞ୍ଜନ ସାହୁ