Advertisment

Pakistan's Global Challenges: କେବଳ ଭାରତ ନୁହେଁ, ପଡ଼ୋଶୀ ଦେଶର ଶତ୍ରୁ ତାଲିକା ବି ଖୁବ ଲମ୍ବା଼...

ଓସାମା ବିନ ଲାଡେନ ଯେତେବେଳେ ପାକିସ୍ତାନରେ ଲୁଚିଥିବା ଖବର ପାଇଥିଲା ଆମେରିକା,ସେତେବେଳେ ଆତଙ୍କବାଦୀକୁ ପ୍ରଶୟ ନଦେବାକୁ ବାରମ୍ବାର ଚେତାବନୀ ଦେଇଥିଲା । ପାକିସ୍ତାନ କିନ୍ତୁ ଲାଡେନ ଦେଶରେ ଲୁଚିଥିବା କଥାକୁ ଆଦୌ ସ୍ୱୀକାର କରିନଥିଲା, ବାରମ୍ବାର ମନା କରିଚାଲିଥିଲା। ପରେ ଆମେରିକା ଏକ ଅପରେସନ୍ ଆରମ୍ଭ କରି ପାକିସ୍ତାନରେ ପ୍ରବେଶ କରି ଲାଡେନକୁ ହତ୍ୟା କଲା।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଶତ୍ରୁ ଘେରରେ ପାକିସ୍ତାନ

ଶତ୍ରୁ ଘେରରେ ପାକିସ୍ତାନ

ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏଥର ଅତଙ୍କବାଦୀ ଆକ୍ରମଣରେ ସାମରିକ ନୁହେଁ, ବେସାମରିକ ବ୍ୟକ୍ତି ବା ୨୬ ସାଧାରଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଆକ୍ରମଣରେ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପାକିସ୍ତାନ ପୁଣିଥରେ ସମଗ୍ର ବିଶ୍ୱ ନଜରରେ ତଳକୁ ଖସିଯାଇଛି । ବିଭାଜନ ପରଠାରୁ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ବିଶ୍ୱର ଅନେକ ଦେଶ ପାକିସ୍ତାନକୁ ଆତଙ୍କବାଦର ପୃଷ୍ଠପୋଷକ ଦେଶ ଭାବରେ ଦେଖନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ବୋଲି ଅନେକ ଥର ପ୍ରମାଣିତ ମଧ୍ୟ ହୋଇସାରିଛି ।

Advertisment

୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓସାମା ବିନ୍ ଲାଡେନଙ୍କୁ ଆମେରିକା ଏକ ସ୍ୱତନ୍ତ୍ର ଅପରେସନରେ ପାକିସ୍ତାନ ଭିତରେ ହିଁ ହତ୍ୟା କରିଥିଲା। ଏହା ସତ୍ତ୍ୱେ ପାକିସ୍ତାନ କେବେବି ନିଜକୁ ଆତଙ୍କବାଦର ପ୍ରାୟୋଜକ ଭାବରେ ସ୍ୱୀକାର କରେ ନାହିଁ। ଏହି କାରଣରୁ ବିଶ୍ୱର ଅନେକ ଦେଶ ପାକିସ୍ତାନ ଓ ପାକିସ୍ତାନୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି । ପାକିସ୍ତାନକୁ ଶତ୍ରୁ ଭାବୁଥିବା ଦେଶଙ୍କ ତାଲିକା ଖୁବ ଲମ୍ବା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆସନ୍ତୁ ଜାଣିବା ବିଶ୍ୱରେ ପାକିସ୍ତାନର କେତେ ଶତ୍ରୁ ଅଛନ୍ତି ଏବଂ ଏହାର କାରଣ କ'ଣ?

ଭାରତ ସହିତ ପାକିସ୍ତାନର ପୁରୁଣା ଶତ୍ରୁତା

ପାକିସ୍ତାନ ଏପରି ଏକ ଦେଶ ଯିଏ ବିଭାଜନ ପରଠାରୁ ହିଁ ଭାରତ ସହିତ ଲଢ଼ି ଆସୁଛି ଏବଂ ବାରମ୍ବାର ପରାଜୟର ସମ୍ମୁଖୀନ ହେଉଛି । ଭାରତ ଠାରୁ ଭିନ୍ନ ହେବାପରେ ପାକିସ୍ତାନ ଏକ ନୂତନ ଦେଶ ଭାବରେ ତାର ସୀମାକୁ ସୁଦୃଢ଼ କରି ଅର୍ଥନୈତିକ କ୍ଷେତ୍ରରେ କାମ କରିପାରି ଥାଆନ୍ତା । ଏହାବ୍ୟତୀତ ଲୋକଙ୍କ କଲ୍ୟାଣ ପାଇଁ ଆବଶ୍ୟକୀୟ ସମ୍ବଳ ପାଇଁ ଲଢ଼ି ପାରିଥାଆନ୍ତା, କିନ୍ତୁ ଏସବୁ ନକରି କେବଳ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଚାଲିଲା । ଫଳରେ କିଛି ନୂଆ ହାସଲ କରିପାରିଲା ନାହିଁ । ସରକାରରେ ସ୍ଥିରତାର ଅଭାବ ଯୋଗୁଁ ସେନାର ପ୍ରାଧାନ୍ୟ ବୃଦ୍ଧି ପାଇଲା। ଅନେକ ଥର ପାକିସ୍ତାନୀ ସେନା, ନେତାଠାରୁ କ୍ଷମତା ଛଡ଼ାଇ ନେଇଥିବାର ନଜିର ମଧ୍ୟ ରହିଛି । ପଡ଼ୋଶୀ ଦେଶରେ ସେନା ନିଜ ନେତାଙ୍କୁ ଫାଶୀ ଦେବା କିମ୍ବା ଜେଲରେ ରଖିବା ବହୁତ ସାଧାରଣ କଥା।

Advertisment

ପାକିସ୍ତାନର ଏକମାତ୍ର ଲକ୍ଷ୍ୟ ହେଲା ପୃଥିବୀର ସ୍ୱର୍ଗ କୁହାଯାଉଥିବା କାଶ୍ମୀରକୁ ହାସଲ କରିବା । ହେଲେ ଭାରତ ଏପରି ହେବାକୁ ଦେବନାହିଁ । ଦରଦାମ ବୃଦ୍ଧି ହେତୁ ପାକିସ୍ତାନରେ ମୁଠାଏ ଦାନା ଯୋଗାଡ଼ କରିବା ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଉଛି, କିନ୍ତୁ ଏହି ଦେଶ ପ୍ରାୟତଃ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠଉଥିବାର ଦେଖାଯାଏ। ପହଲଗାମ ଆକ୍ରମଣ ପରେ ମଧ୍ୟ ପାକିସ୍ତାନ ପୁଣି ଥରେ ସମଗ୍ର ବିଶ୍ୱକୁ ଏହି ମାମଲାରେ ଆଗକୁ ଆସିବାକୁ ନିବେଦନ କରିଛି । କୌଣସି ଏଜେନ୍ସି ନିରପେକ୍ଷ ତଦନ୍ତ କଲେ ଆମେ ପୂର୍ଣ୍ଣ ସମର୍ଥନ ଦେବୁ ବୋଲି ପାକ ସରକାର ମତ ଦେଇଛନ୍ତି । ବଡ଼ ପ୍ରଶ୍ନ ହେଉଛି ଯଦି ଆକ୍ରମଣ ଭାରତରେ ହୋଇଛି, ତେବେ ଅନ୍ୟ କେହି କାହିଁକି ଏବଂ କିପରି ଏହାର ତଦନ୍ତ କରିବେ? ଏହି କାମ କେବଳ ଭାରତୀୟ ଏଜେନ୍ସି ଗୁଡ଼ିକ ଦ୍ୱାରା କରାଯିବ।

ପାକିସ୍ତାନ ଭିତରେ ଅଛନ୍ତି ଅନେକ ଶତ୍ରୁ

ପାକିସ୍ତାନ ଏପରି ଏକ ଦେଶ ଯେଉଁଠାରେ ସରକାରଙ୍କର କୌଣସି କ୍ଷମତାନାହିଁ । ଶାସନ କମାଣ ସମ୍ଭାଳୁଛନ୍ତି ସେନା ଏବଂ ଆଇଏସଆଇ । ପାକିସ୍ତାନ ଦ୍ୱାରା ପାଳିତ ଆତଙ୍କବାଦୀମାନେ ମଧ୍ୟ ସରକାରଙ୍କ କଥା ଶୁଣନ୍ତି ନାହିଁ। କେତେବେଳେ ସେନା ସେମାନଙ୍କୁ ସମର୍ଥନ କରେ ତ କେତେବେଳେ ସାଧାରଣ ଜନତା। ପାକିସ୍ତାନର କେବଳ ବାହ୍ୟ ବିଶ୍ୱରେ ଶତ୍ରୁ ନାହାନ୍ତି ବରଂ ଏହାର ସବୁଠାରୁ ବଡ଼ ଶତ୍ରୁ ଦେଶ ଭିତରେ ମଧ୍ୟ ଅଛନ୍ତି ବୋଲି କୁହାଯାଇପାରେ । ଦେଶ ଉପରେ ସରକାରଙ୍କ ଢିଲା ନିୟନ୍ତ୍ରଣ ଯୋଗୁଁ ମାତ୍ର ୨୪ ବର୍ଷରେ ସମଗ୍ର ପୂର୍ବ ପାକିସ୍ତାନ ତାଙ୍କ ହାତରୁ ଖସିଗଲା। ଦେଶ ଦୁଇ ଭାଗରେ ବିଭକ୍ତ ହେଲା ଏବଂ ବାଂଲାଦେଶ ନାମକ ଏକ ନୂତନ ଦେଶ ବିଶ୍ୱ ମାନଚିତ୍ରରେ ସାମିଲ ହୋଇଥିଲା । ୧୯୭୧ ଯୁଦ୍ଧରେ ବିଜୟୀ ହେବା ସତ୍ତ୍ୱେ ଭାରତ ଉଦାରତା ଦେଖାଇ ଅଧିକୃତ ଭୂମି ଫେରାଇ ଦେଇଥିଲା। ଏଥିପାଇଁ କୃତଜ୍ଞ ହେବା ପରିବର୍ତ୍ତେ ପାକିସ୍ତାନ ସମଗ୍ର କାଶ୍ମୀରକୁ ଚାହୁଁଛି । ଜାତିସଂଘ ସମେତ ବିଶ୍ୱ ଦରବାରରେ ଅନେକ ଥର କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି।

କାଶ୍ମୀରଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ, ହେଲେ କାଶ୍ମୀର ଉପରୁ ଆଖି ହଟାଇବାକୁ ପ୍ରସ୍ତୁତ ନୁହେଁ ପାକିସ୍ତାନ। ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟ ତିନୋଟି ଘୋଷିତ ଏବଂ ଅନେକ ଅଘୋଷିତ ଯୁଦ୍ଧ ହୋଇଛି ଏବଂ ସବୁଥର ପରାଜୟ ବରଣ କରିଛି। ସେ ଯେଉଁ ଆତଙ୍କବାଦୀମାନଙ୍କୁ ଭାରତ ବିରୋଧରେ ସୁରକ୍ଷା ଦେଇଆସୁଛି, ସେମାନଙ୍କୁ ବ୍ୟବହାର କରିଆସୁଛି.. ଅନେକ ଥର ଦେଶ ଭିତରେ ଥିବା ସେହି ଆତଙ୍କବାଦୀମାନେ ତା କଥା ଶୁଣନ୍ତି ନାହିଁ। ଅନେକ ଥର ପାକିସ୍ତାନୀ ସେନା ନିଜ ସରକାରଙ୍କ କଥା ନିର୍ଦ୍ଦେଶ ମାନିବାକୁ ରାଜି ହୁଅନ୍ତି ନାହିଁ । ପାକିସ୍ତାନରେ ଗଣତନ୍ତ୍ରର କୌଣସି ସ୍ଥିତି ନାହିଁ । ଏହି କାର୍ଯ୍ୟକଳାପ ଯୋଗୁଁ କେବଳ ଚାରୋଟି ପ୍ରଦେଶ, ପଞ୍ଜାବ, ସିନ୍ଧ, ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ମଧ୍ୟରୁ କେବଳ ପଞ୍ଜାବ ଏବଂ ସିନ୍ଧକୁ ଶାସନ କରୁଛି ସରକାର ।

ଏକ ସ୍ୱତନ୍ତ୍ର ରାଷ୍ଟ୍ର ପାଇଁ ବେଲୁଚିସ୍ତାନରେ ଆନ୍ଦୋଳନ ଯେଉଁଭଳି ଭାବରେ ଚାଲିଛି, ତାହା ପାକ ସରକାରଙ୍କ ପାଇଁ ବିଷମ ସୃଷ୍ଟି କରିଛି। ଖାଇବର ପଖତୁନଖ୍ୱାର ଅଧିକାଂଶ ଅଞ୍ଚଳ ଆତଙ୍କବାଦୀଙ୍କ ଦ୍ୱାରା ଅଧିକୃତ। ସେମାନେ ସେଠାରେ ନିଜର ସ୍ୱତନ୍ତ୍ର ବ୍ୟବସାୟ ଚଳାଉଛନ୍ତି। ସ୍ଥିତି ଏପରି ହେଲାଣି ଅନେକ ଦେଶ ପାକିସ୍ତାନକୁ ବିଶ୍ୱାସ କରିବାକୁ ରାଜି ହେଉନାହାନ୍ତି । ସାରା ବିଶ୍ୱରେ ଏହି ଦେଶର ପ୍ରତିଷ୍ଠା କଳଙ୍କିତ ହୋଇପଡ଼ିଛି। ଏସବୁ ସତ୍ତ୍ୱେ ସୁଧୁରୁନି ପାକିସ୍ତାନ । ବିଶ୍ୱରେ ଅନେକ ଦେଶ ମୁସଲମାନବହୁଳ ଅଛନ୍ତି, ଏହାବ୍ୟତୀତ ପାକିସ୍ତାନ ପାଖରେ ପରମାଣୁ ଶକ୍ତି ଥିବାରୁ ସେ ନିଜକୁ ଶକ୍ତିଶାଳୀ ଭାବୁଛି । ହେଲେ ଆର୍ଥିକ ସ୍ଥିତି ଏତେ ଖରାପ ଯେ ଆଇଏମଏଫ ସମେତ ଅନେକ ଏଜେନ୍ସିରୁ ଋଣ ନେଇ ଦେଶ ଚାଲିଛି।

ଆଫଗାନିସ୍ତାନ ସହିତ ଘୋର ଶତ୍ରୁତା

ବିଡ଼ମ୍ବନାର ବିଷୟ ଯେତେବେଳେ ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ଚାଲିଥିଲା, ପାକିସ୍ତାନ ସେତେବେଳେ ତାଲିବାନ ଏବଂ ଦେଶରେ ସକ୍ରିୟ ଥିବା ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦୃଢ଼ ସମର୍ଥନ କରୁଥିଲା। ସ୍ୱାଭାବିକ ଭାବରେ ଆଫଗାନିସ୍ତାନ ସରକାର ଏହାକୁ ଭଲ ଭାବରେ ନେଇ ନଥିଲେ। ଅନ୍ୟପକ୍ଷରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ବହୁ ଦିନ ଧରି ଚାଲିଛି । ଏବେ ତାଲିବାନମାନେ ଆଫଗାନିସ୍ତାନରେ ସରକାର ଚଲାଉଥିବାରୁ ସୀମାରେ ପ୍ରାୟତଃ ସଂଘର୍ଷ ଘଟୁଛି। ଉଭୟ ଦେଶ ସମୟ ସମୟରେ ପରସ୍ପର ପାଇଁ ସୀମା ବନ୍ଦ କରି ଦେଉଛନ୍ତି। ଭାରତ ସହିତ ଯୁଦ୍ଧବିରତି ଯୋଗୁଁ ପାକିସ୍ତାନୀ ସେନା ଆଫଗାନିସ୍ତାନ ସୀମାରେ ସୈନ୍ୟ ମୁତୟନ ବଢ଼ାଇ ଦେଇଥିଲା ।

ଏବେ ପାକିସ୍ତାନୀ ସେନା ପୁଣି ଥରେ ଭାରତୀୟ ସୀମା ଆଡକୁ ମୁହାଁଇଛି, ତେଣୁ ଆଫଗାନିସ୍ତାନ ସୀମାରେ ବିପଦର ଅନେକ ସମ୍ଭାବନା ରହିଛି । କାରଣ ସମଗ୍ର ବିଶ୍ୱ ସହିତ ଯୁଦ୍ଧ କରିବା ପରେ ନିଜର ଶାସନ ଆରମ୍ଭ କରିଥିବା ତାଲିବାନ ଆଉ ପାକିସ୍ତାନ କଥା ଶୁଣିବା ପାଇଁ ରାଜି ନୁହେଁ । ସେମାନେ ନିଜ ଅଧିକାର ପାଇଁ ପାକିସ୍ତାନ ସହିତ ଲଢ଼ିବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଇରାନ ସହିତ ସମ୍ପର୍କ ମଧ୍ୟ ଖରାପ

ଇରାନ ସହିତ ପାକିସ୍ତାନର ସମ୍ପର୍କ ମଧ୍ୟ ଖରାପ। ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତ ସହ ଇରାନର ସୀମା ଲାଗିଛି । ବର୍ଷ ବର୍ଷ ଧରି ସେଠାରେ ନିରନ୍ତର କିଛି ନା କିଛି ଆତଙ୍କବାଦୀ କାର୍ଯ୍ୟକଳାପ ଘଟୁଛି, ଯେଉଁ କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି । ବେଳେ ବେଳେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ମଧ୍ୟ ଘଟେ । ଇରାନ ସହିତ ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱିତାର ଏକ ମୁଖ୍ୟ କାରଣ ହେଲା ସାଉଦି ଆରବ । ସାଉଦି ଆରବ ଓ ପାକିସ୍ତାନକୁ ଭଲ ବନ୍ଧୁ କୁହାଯାଇପାରିବ । ହେଲେ ଇରାନ ଏବଂ ସାଉଦି ଆରବ ମଧ୍ୟରେ ସମ୍ପର୍କ ଭଲନାହିଁ । ତଥାପି ଏକଥା ଅଧା ସତ ଯେ, ପାକିସ୍ତାନ ଓ ସାଉଦି ଆରବ ଭଲ ବନ୍ଦୁ । ପାକିସ୍ତାନ ଚୀନର ନିକଟତର, ଆଉ ଏକଥା ସାଉଦି ଆରବକୁ ପସନ୍ଦ ନୁହେଁ । ତଥାପି ପାକିସ୍ତାନ ବାରମ୍ବାର ସାହାଯ୍ୟ ମାଗିବା ପାଇଁ ସାଉଦି ଆରବ ନିକଟରେ ପହଞ୍ଚିଯାଏ । ସାଉଦି ଆରବ ପାକିସ୍ତାନର ଏହି ମାଗି ଖାଇବା ପ୍ରକୃତିକୁ ପସନ୍ଦ କରୁନାହିଁ ।

ଆମେରିକା ସହିତ ମଧ୍ୟ ଉତ୍ତେଜନା

ଓସାମା ବିନ ଲାଡେନ ଯେତେବେଳେ ପାକିସ୍ତାନରେ ଲୁଚିଥିବା ଖବର ପାଇଥିଲା ଆମେରିକା,ସେତେବେଳେ ଆତଙ୍କବାଦୀକୁ ପ୍ରଶୟ ନଦେବାକୁ ବାରମ୍ବାର ଚେତାବନୀ ଦେଇଥିଲା । ପାକିସ୍ତାନ କିନ୍ତୁ ଲାଡେନ ଦେଶରେ ଲୁଚିଥିବା କଥାକୁ ଆଦୌ ସ୍ୱୀକାର କରିନଥିଲା, ବାରମ୍ବାର ମନା କରିଚାଲିଥିଲା। ପରେ ଆମେରିକା ଏକ ଅପରେସନ୍ ଆରମ୍ଭ କରି ପାକିସ୍ତାନରେ ପ୍ରବେଶ କରି ଲାଡେନକୁ ହତ୍ୟା କଲା ଏବଂ ପାକିସ୍ତାନକୁ ସମଗ୍ର ବିଶ୍ୱ ସମ୍ମୁଖରେ ପର୍ଦ୍ଦାଫାସ୍ କରି ଦିଆଗଲା। ଆମେରିକୀୟ ସୈନ୍ୟ ଯେତେବେଳେ ଆଫଗାନିସ୍ତାନରେ ମୁତୟନ ହୋଇଥିଲେ, ଆମେରିକା ପାକିସ୍ତାନକୁ ତାଲିବାନକୁ ସାହାଯ୍ୟ ନ କରିବାକୁ ଚେତାବନୀ ଦେଇ ଚାଲିଥିଲା । କାରଣ ସେତେବେଳେ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଦେଖାଯାଉଥିଲା ।

ସେତେବେଳେ ମଧ୍ୟ ପାକିସ୍ତାନ ଏହାକୁ ଅଣଦେଖା କରିଥିଲା। ଅବିଶ୍ୱାସ ଏବଂ ଉତ୍ତେଜନା ମଧ୍ୟରେ ଆମେରିକା ସହିତ ପାକିସ୍ତାନର ସାମରିକ ଏବଂ କୂଟନୈତିକ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି ବୋଲି କୁହାଯାଇପାରିବ ନାହିଁ । ତଥାପି ପହଲଗାମ ଆକ୍ରମଣକୁ ନିନ୍ଦା କରି ଆମେରିକା ରାଷ୍ଟ୍ରପତି ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି।

ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ

ଆତଙ୍କବାଦ ପ୍ରସଙ୍ଗରେ ୟୁରୋପୀୟ ସଂଘ ପାକିସ୍ତାନକୁ ସନ୍ଦେହ ଦୃଷ୍ଟିରେ ଦେଖେ। ବେଲୁଚିସ୍ତାନରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ସଂଖ୍ୟାଲଘୁ ଅଧିକାର ଉଲ୍ଲଂଘନ ଏବଂ ଅତ୍ୟାଚାର ସମ୍ପର୍କରେ ସେମାନଙ୍କର ଏକ ସମାଲୋଚନାମୂଳକ ଦୃଷ୍ଟିକୋଣ ରହିଛି । କହିବାକୁ ଗଲେ ଭାରତ ନିଶ୍ଚିତ ଭାବରେ ପାକିସ୍ତାନର ସ୍ଥାୟୀ ଶତ୍ରୁ। ଆଫଗାନିସ୍ତାନ ଏବଂ ଇରାନ ସହିତ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ। ଅନ୍ୟପକ୍ଷରେ ଆମେରିକା, ରୁଷ ଏବଂ ପାଶ୍ଚାତ୍ୟ ଦେଶମାନଙ୍କର ମଧ୍ୟ ବିଶ୍ୱାସ ହରାଇଛି ପାକିସ୍ତାନ, ବିଶେଷକରି ଏହାକୁ ଆତଙ୍କବାଦର ପ୍ରାୟୋଜକ ଭାବରେ ଚିହ୍ନଟ କରାଯାଇଛି।

Pakistan Pakistan Sponsors Terrorism United States Of America Afganisthan
Advertisment
Advertisment