• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଞ୍ଜାମ: କରୋନା କଟକଣାର ଧଜିଆ ଉଡ଼ିଲା । ସବୁ ଭୁଲି ଗଲେ କୋଭିଡ ନିୟମ । କରୋନା ଆମ ଭିତରେ ଏବେ ବି ଅଛି, ଯେମିତି ଲୋକେ ଭୁଲିଗଲେଣି । ଲୋକଙ୍କ ମୁହଁରେ ନା ଅଛି ମାସ୍କ ନା କେହି ମାନିଛନ୍ତି ସାମାଜିକ ଦୂରତା । ଲାଗି ଲାଗି ଛିଡ଼ା ହୋଇଛନ୍ତି, ଖୁନ୍ଦା ଖୁନ୍ଦି ହେଇ ନାଚୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗତକାଲି ସଂଧ୍ୟାରେ ବ୍ରହ୍ମପୁରରେ ଆୟୋଜିତ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ।

ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପଲିଶ୍ରୀ ମେଳାରେ ପ୍ରବଳ ଭିଡ଼ । ଏଠି ଲୋକେ ଏତେ ମସଗୁଲ ହେଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା ହିଁ ନାହିଁ । ସ୍ଥାନୀୟ ଲୋକେ, ଆୟୋଜକ ଏବଂ ପ୍ରଶାସନିକ ଅଧିକାରୀ, କାହାରି ଯେପରି ଏଥିପ୍ରତି ତିଳେ ହେଲେ ଚିନ୍ତା ନାହିଁ । ଲୋକେ ଅନବରତ ଆସୁଥିଲେ, ମଡର୍ଣ୍ଣ ଗୀତରେ ଝୁମୁଥିଲେ । ଆଉ ବିନ୍ଦାସ ଚାଲିଥିଲା ଖାଦ୍ୟର ପସରା । ହେଲେ କରୋନାକୁ ନେଇ କଟକଣା ଥିବା ବେଳେ ଏଠି କିପରି ଆଇନ ଉଲ୍ଲଘଂନ କରାଗଲା ତାହା ଏବେ ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି ।

ଖାଲି ସେତିକି ନୁହେଁ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଥିଲେ । ହେଲେ ତାପର ଦିନ ହିଁ ଏଭଳି ଘଟଣା ଘଟିଛି । ଏହି ଘଟଣାକୁ ସୋସିଆଲ ମିିଡିଆରେ ପ୍ରବଳ ସମାଲୋଚନା କରାଯାଇଛି । ଅପରପକ୍ଷେ ଏନେଇ ପଲ୍ଲିଶ୍ରୀ ମେଳାର ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେହିପରି ଓମିକ୍ରନର ଆତଙ୍କ ଭିତରେ ରେଭେନ୍ସାରୁ ଆସିଛି ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡ଼ିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ । ତା ପୁଣି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ । ସତେ ଯେମିତି ସମସ୍ତେ କରୋନାକୁ ଭୁଲି ଯାଇଛନ୍ତି । ଆନୁଆଲ ଆଥଲେଟିକ ମିଟ୍ ଅବସରରେ ହୋଇଥିଲା ଏହି କାର୍ଯ୍ୟକ୍ରମ । ବୁଧବାର ଏହି ନାଚ ଗୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୟୁନିଭରସିଟିର କୁଳପତିଙ୍କ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ । ଏତେ ସଂଖ୍ୟାରେ ପିଲାଙ୍କୁ ଏକାଠି କାହିଁକି କରାଗଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ।