• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ନିଷାଦ ରାଜା ହିରଣ୍ୟଧନୁଙ୍କ ପୁଅ ଏକଲବ୍ୟ । ବାଳକ ଏକଲବ୍ୟର ପିଲାଦିନରୁ ବଡ ଇଚ୍ଛା ଧର୍ନୁବିଦ୍ୟା ଭଲରେ ସେ ଶିଖିବ । ସେ ଥରେ ଶୁଣିଲା ଯେ ହସ୍ତିନାପୁରକୁ ରାଜକୁମାରମାନଙ୍କ ପାଇଁ ଜଣେ ନୂଆ ଗୁରୁ ଆସିଛନ୍ତି । ସବୁ ପ୍ରକାର ଯୁଦ୍ଧ କୌଶଳ ଏବଂ ଯୁଦ୍ଧାସ୍ତ୍ର ଚଳାଇବା ଓ ଶିଖାଇବାରେ ସେ ଧୁରନ୍ଧର। ଧନୁ ବିଦ୍ୟାରେ ତାଙ୍କ ଠାରୁ ବଳି ବଡ ଗୁରୁ କେହି ନାହାଁନ୍ତି । ଏକଲବ୍ୟ ଖବର ନେଇ ଜାଣିଲେ ସେ ଗୁରୁଙ୍କର ନାମ ହେଉଛି ଆଚାର୍ଯ୍ୟ ଦ୍ରୋଣ ।

ଦ୍ରୋଣଙ୍କୁ ଭେଟିବାକୁ ଏକଲବ୍ୟ ଦିନେ ହସ୍ତିନାପୁରରେ ଥିବା ଆଶ୍ରମରେ ଆସି ପହଞ୍ଚିଲେ । ଆଚାର୍ଯ୍ୟ ଦ୍ରୋଣଙ୍କ ପାଦ ଛୁଇଁ ନିଜର ପରିଚୟ ଦେଲେ ଓ ନିଜର ଇଚ୍ଛା ପ୍ରକଟ କଲେ । ଦ୍ରୋଣଙ୍କ ମନରେ କିନ୍ତୁ ଦ୍ୱିଧା । ରାଜକୁମାରମାନଙ୍କ ସାଙ୍ଗରେ ସେ ଏହି ନିଷାଦ ବାଳକକୁ ଶିକ୍ଷା କେମିତି ଦେବେ? କିଛି ସମୟ ଚିନ୍ତା କରି ଦ୍ରୋଣ ଶେଷରେ ମୋ ପାଖରେ ଆଉ ଅଧିକ ଶିଷ୍ୟ ନେବାର ସ୍ଥାନ ନାହିଁ କହି ଏକଲବ୍ୟକୁ ମନା କରିଦେଲେ ।

ଏକଲବ୍ୟ ମନ ଦୁଃଖରେ ଜଙ୍ଗଲକୁ ଫେରିଗଲେ । ଆଚାର୍ଯ୍ୟ ଦ୍ରୋଣ ସିନା ଏକଲବ୍ୟକୁ ଶିଷ୍ୟ ଭାବରେ ଗ୍ରହଣ କରିବାକୁ ମନା କରିଦେଲେ, କିନ୍ତୁ ଏକଲବ୍ୟ ଦ୍ରୋଣଙ୍କୁ ତାଙ୍କ ହୃଦୟରେ ଗୁରୁ ଭାବରେ ଗ୍ରହଣ କରିସାରିଥାନ୍ତି । ଜଙ୍ଗଲରେ ପହଞ୍ଚି ଏକଲବ୍ୟ ଗୋଟେ ଗଛ ତଳେ ଆଚାର୍ଯ୍ୟ ଦ୍ରୋଣଙ୍କର ଏକ ମାଟି ମୂର୍ତ୍ତି ଗଢିଲେ ଓ ସେଇଠି ନିଜେ ନିଜେ ନିଜର ଅସ୍ତ୍ର ଶିକ୍ଷା ବଡ ଏକାଗ୍ର ଭାବରେ ଆରମ୍ଭ କଲେ । ସବୁଦିନ ସେଇଠି ଅଭ୍ୟାସ କଲେ ।

ସମୟ ଆଗକୁ ଗଡିଚାଲିଲା । କୌରବ ଓ ପାଣ୍ଡବ ଭାଇମାନଙ୍କ ଭିତରେ ଅର୍ଜୁନ ଧର୍ନୁ ବିଦ୍ୟାରେ ବିଶେଷ ପାରଦର୍ଶିତା ଲାଭ କଲେ ଓ ଦ୍ରୋଣଙ୍କର ପ୍ରିୟ ଶିଷ୍ୟ ହେଲେ । ଦ୍ରୋଣ ଦିନେ ଅର୍ଜୁନଙ୍କୁ କଥା ଦେଲେ ଯେ, ସେ ତାଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ନୁଧାରୀ ଭାବରେ ଗଢିବେ ।

ଦିନେ ଗୁରୁଙ୍କ ଆଜ୍ଞା ନେଇ ପାଣ୍ଡବ ଓ କୌରବ ଭାଇମାନେ ଶିକାର କରିବାକୁ ଜଙ୍ଗଲକୁ ଯାଇଥାନ୍ତି । ଶିକାରରେ ସାହାଯ୍ୟ କରିବାକୁ କିଛି ସହକାରୀଙ୍କ ସହ ଗୋଟେ କୁକୁର ବି ସାଙ୍ଗରେ ଯାଇଥାଏ । ଜଙ୍ଗଲରେ ପହଞ୍ଚି କିଏ କୁଆଡେ ଶିକାର ସନ୍ଧାନରେ ଏଣେ ତେଣେ ପରସ୍ପର ପାଖରୁ ବିଚ୍ଛିନ୍ନ ହେଇ ବୁଲୁଥାନ୍ତି । କୁକୁରଟି ବି ତା ବାଟରେ ବୁଲୁଥାଏ । ବୁଲୁ ବୁଲୁ ସେ କୁକୁରଟି ଏକଲବ୍ୟଙ୍କ ଅଭ୍ୟାସ ସ୍ଥାନରେ ଯାଇଁ ପହଞ୍ଚି ଗଲା । କଳା ମଚ ମଚ ଶାଳ ଗଛ ପରି ଚେହେରାର ଯୁବକ, ଦେହରେ କଳା ମୃଗ ଚମଡା ଗୁଡା ହେଇଛି । ଏମିତିକା ରୂପ ଦେଖି ବିଚରା କୁକୁର ଭୁକିବାକୁ ଲାଗିଲା । ଏକାଗ୍ର ଭାବରେ ଧନୁରୁ ଗୋଟେ ପରେ ଗୋଟେ ତୀର ମାରୁଥିବା ଏକଲବ୍ୟ କୁକୁରକୁ ଚୁପ କରିବାକୁ କୁକୁର ପ୍ରତି ଏକାଥରେ ସାତଟି ତୀର ମାରିଲେ । ସବୁଗୁଡା ତୀର କୁକୁରର କୌଣସି ଶାରିରୀକ କ୍ଷତି ନକରି ତା ପାଟିକୁ ଏମିତି ବନ୍ଧନ କଲା ଯେ, ବିଚରା ଆଉ ଭୁକି ପାରିଲାନି ।

The story of a great guru's partiality ଜଣେ ମହାନ ଗୁରୁଙ୍କର ପାତର ଅନ୍ତର କଥା



ଏକଲବ୍ୟ ତାଙ୍କର ଶର ସନ୍ଧାନରେ ଲାଗିଲେ ଓ କୁକୁର ରାଜକୁମାରମାନଙ୍କ ପାଖକୁ ଫେରିଆସିଲା । କୁକୁରର ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲେ ସବ୍ୟସାଚୀ ଅର୍ଜୁନ । ସେ ପ୍ରଥମେ ବୁଝି ପାରିଲେନି କେମିତି ଜଣେ କୁକୁର କୌଣସି ଶାରୀରୀକ କ୍ଷତି ନକରି ତୀର ଦ୍ୱାରା ଏପରି ମୁଖ ବନ୍ଧନ କରିପାରିବ । ଅର୍ଜୁନ ଜାଣିଲେ ଆଖପାଖରେ କେହି ନା କେହି ଜଣେ ବିଚକ୍ଷଣ ଧର୍ନୁଧାରୀ ଅଛି । କିଛି ସମୟ ଖୋଜିଲା ପରେ ସମସ୍ତେ ଏକଲବ୍ୟଙ୍କ ପାଖରେ ପହଞ୍ଚିଲେ। ସାମାନ୍ୟ ବିଚଳିତ ନହେଇ ଏକଲବ୍ୟ ତାଙ୍କର ଏକାଗ୍ର ଚିତ୍ତରେ ଶର ସନ୍ଧାନ କରୁଥାନ୍ତି । ପାଖରେ ଦ୍ରୋଣଙ୍କର ଏକ ମାଟିର ପ୍ରତିମା । ଲାଗୁଛି ଯେମିତି ତାଙ୍କୁ କେମିତି କୋଉଠି ତୀର ସନ୍ଧାନ କରାଯିବ ଗୁରୁଦେବ ବୁଝାଇ ଦେଉଛନ୍ତି ।

ସେଦିନ ଗହନ ଜଙ୍ଗଲ ଭିତରେ ଅର୍ଜୁନଙ୍କ ପାଇଁ ଏକ ବିରାଟ ଆଶ୍ଚର୍ଯ୍ୟ ଲୁଚି ରହିଥିଲା ଯେମିତି । ଏକଲବ୍ୟଙ୍କ ପରିଚୟ ଓ ତାଙ୍କ ଗୁରୁଙ୍କ ନାମ ଜାଣି ସମସ୍ତେ ହସ୍ତିନାପୁର ଲେଉଟି ଆସିଲେ । ଅର୍ଜୁନ ସିଧା ଗଲେ ଆଚାର୍ଯ୍ୟ ଦ୍ରୋଣଙ୍କ ପାଖକୁ । ମନରେ ତାଙ୍କର ଆଶ୍ଚର୍ଯ୍ୟ ମିଶା କ୍ଷୋଭ । ଗୁରୁ କେବଳ ତାଙ୍କୁ ହିଁ କଥା ଦେଇଥିଲେ ପୃଥିବୀର ଶ୍ରେଷ୍ଠ ଧର୍ନୁଧର କରି ଛିଡା କରାଇବେ । କିନ୍ତୁ ସେ ନିଷାଦ ଟୋକା ତ ତାଙ୍କ ଠାରୁ ବଳି ଧର୍ନୁ ବିଦ୍ୟା ଜାଣିଛି । କେମିତି? ଗୁରୁ କପଟ କରିଛନ୍ତି କି? ଅର୍ଜୁନଙ୍କ ମନରେ ସଂଶୟର କଳା ବାଦଲ ।

ଆଚାର୍ଯ୍ୟ ଦ୍ରୋଣଙ୍କ ପାଖରେ ପହଞ୍ଚି ଅର୍ଜୁନ ସେଦିନ ଜଙ୍ଗଲରେ ଯାହା ଯାହା ଘଟିଲା ସବୁକିଛି ବର୍ଣ୍ଣନା କରି କହିଲେ । ନିଜ ମନରେ ଚାଲୁଥିବା ସନ୍ଦେହ, କ୍ଷୋଭ ଓ ଶଙ୍କା କଥା ବି ଖୋଲି କହିଲେ । ଏକଲବ୍ୟଙ୍କୁ ଦେଖି ଅର୍ଜୁନ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ଅର୍ଜୁନଙ୍କ କଥା ଶୁଣି ଆଚାର୍ଯ୍ୟ ଦ୍ରୋଣ ବି ସେତିକି ଆଶ୍ଚର୍ଯ୍ୟ ହେଲେ । ତାଙ୍କର ଅସ୍ପଷ୍ଟ କରି ମନେପଡୁଥିଲା ଅନେକ ଦିନ ତଳେ ଜଣେ ନିଷାଦ ଯୁବକ ତାଙ୍କ ପାଖକୁ ଶିକ୍ଷା ପାଇଁ ଆସିଥିଲା । ଯାହାକୁ ସେ ନା କହି ଫେରାଇ ଦେଇଥିଲେ । ତାପରେ ଦ୍ରୋଣ କହିଲେ ତେବେ ଚାଲ ଅର୍ଜୁନ ସେଇଠିକି ଯିବା ଓ ଦେଖିବା କିଏ ସେ ଏତେବଡ ଧର୍ନୁଧାରୀ। ତାକୁ ପାଖରୁ ଦେଖିବା ।

ଆଚାର୍ଯ୍ୟ ଦ୍ରୋଣ ଓ ଅର୍ଜୁନ ଜଙ୍ଗଲ ଭିତରେ ଏକଲବ୍ୟ ପାଖରେ ପହଞ୍ଚିଲା ବେଳକୁ ସେ ତାଙ୍କ ସାଧନାରେ ମଗ୍ନ ଥାଆନ୍ତି । ଏକଲବ୍ୟ ଯେତେବେଳେ ଆଚାର୍ଯ୍ୟ ଦ୍ରୋଣଙ୍କୁ ସାମ୍ନାରେ ଦେଖିଲେ ପ୍ରଥମେ ସାଷ୍ଠାଙ୍ଗ ପ୍ରଣିପାତ କଲେ । ଗୁରୁ ଶେଷରେ ତାଙ୍କ ପାଖକୁ ନିଜେ ଆସିଛନ୍ତି ଦେଖି ଖୁସି ହେଲେ ଓ ଜଙ୍ଗଲର ଫଳ ମୂଳ ଆଣି ଭେଟି ଦେଲେ ।

ପ୍ରାଥମିକ ପରିଚୟ ପର୍ବ ସରିଲା ପରେ ଏକଲବ୍ୟଙ୍କୁ ଦ୍ରୋଣ ପଚାରିଲେ ଧର୍ନୁବିଦ୍ୟା ବିଷୟରେ ଏତେ କଳା କୌଶଳ ତୁମେ କୋଉଠୁ ଶିଖିଲ ? କିଏ ତୁମର ଗୁରୁ?

ଦ୍ରୋଣଙ୍କ ପ୍ରଶ୍ନ ଶୁଣି ଏକଲବ୍ୟ କହିଲେ, ହେ ଗୁରୁଦେବ! ଆପଣଙ୍କ ଠାରୁ ବଳି କେହି ଧର୍ନୁବିଦ୍ୟା ଜାଣିଥିବା ଶ୍ରେଷ୍ଠ ଆଚାର୍ଯ୍ୟ ଏ ଧରା ପୃଷ୍ଠରେ ଅଛନ୍ତି କି? ଆପଣ ହୁଏତ ଭୁଲି ଯାଇଛନ୍ତି, ଧର୍ନୁବିଦ୍ୟା ଶିଖିବାକୁ ମୁଁ ଦିନେ ଆପଣଙ୍କ ଆଶ୍ରମକୁ ଯାଇଥିଲି । ଆପଣ ତ ମୋତେ ଫେରେଇ ଦେଇଥିଲେ । ସେଦିନ ଆପଣ ମୋତେ ଶିଷ୍ୟ ଭାବରେ ଗ୍ରହଣ କରିବାକୁ ସିନା ମନା କରିଦେଇଥିଲେ, କିନ୍ତୁ ମୁଁ ଆପଣଙ୍କୁ ସେଇଦିନରୁ ଗୁରୁ ଭାବରେ ବରଣ କରିଛି । ହେଇ ସେପଟେ ଦେଖନ୍ତୁ ଆପଣଙ୍କ ମାଟି ପ୍ରତିମା । ଆପଣଙ୍କର ସେଇ ପ୍ରତିମା ଆଗରେ ହିଁ ମୁଁ ଏଇଠି ଅସ୍ତ୍ର ଶିକ୍ଷା କରୁଛି ।

ତାପରେ ଦ୍ରୋଣ ସେଇଠି ଏକଲବ୍ୟଙ୍କୁ ଧର୍ନୁବିଦ୍ୟାର କିଛି କୌଶଳ ବିଷୟରେ ପ୍ରଶ୍ନ କଲେ ଓ କିଛି ଶର ସନ୍ଧାନ କରି ଲକ୍ଷ୍ଯ ଭେଦ କରିବାକୁ କହିଲେ । ତାପରେ ଏକଲବ୍ୟଙ୍କ ବୀରତ୍ୱ ବିଷୟରେ ଆଚାର୍ଯ୍ୟ ଦ୍ରୋଣଙ୍କର ଆଉ କିଛି ସନ୍ଦେହ ରହିଲାନି । ସେ ଜାଣିସାରିଥିଲେ ଧର୍ନୁବିଦ୍ୟାରେ ତାଙ୍କ ପ୍ରିୟ ଶିଷ୍ୟ ଅର୍ଜୁନଙ୍କ ଠାରୁ ଏ ନିଷାଦ ଯୁବକ ଏକଲବ୍ୟ ଅନେକ ଆଗରେ ।

ତାପରେ ଆଚାର୍ଯ୍ୟ ଦ୍ରୋଣ କହିଲେ, ହେ ଯୁବକ ତୁମେ ପ୍ରତ୍ୟକ୍ଷ ହେଉ କି ପରୋକ୍ଷରେ ହେଉ ମୋତେ ଗୁରୁ ବୋଲି ମାନ୍ୟ କରିଛ। ମୋ ଆଶ୍ରମରେ ସିନା ତୁମକୁ ସ୍ଥାନ ମିଳିନଥିଲା କିନ୍ତୁ ତୁମେ ଏ ଘନ ଜଙ୍ଗଲରେ ମୋ ମାଟି ମୂର୍ତ୍ତି ସ୍ଥାପନ କରି ମୋର ଆଉ ଏକ ଆଶ୍ରମ ପ୍ରତିଷ୍ଠା କରିଛ । ତୁମେ ଜାଣିଛ ନା ନାହିଁ, ଜଣେ ଶିଷ୍ୟକୁ ଶିକ୍ଷା ସମାପ୍ତ ପରେ ତା'ର ଗୁରୁଙ୍କୁ ଦକ୍ଷିଣା ଭାବରେ କିଛି ଭେଟି ଦେବାକୁ ହୁଏ । ତୁମ ବିଦ୍ୟା ସାଧନା ଦେଖି ଓ ପରୀକ୍ଷା କରି ମୁଁ ଜାଣିପାରୁଛି ତୁମର ବିଦ୍ୟା ସମାପ୍ତ ହୋଇ ସାରିଛି । ତେଣୁ ମୋତେ ଏବେ ତୁମକୁ ଗୁରୁ ଦକ୍ଷିଣା ଭାବରେ କିଛି ଦେବାକୁ ହେବ । ବିନା ଗୁରୁ ଦକ୍ଷିଣାରେ ଏ ବିଦ୍ୟାର କିଛି ଅର୍ଥ ନାହିଁ ।

The story of a great guru's partiality ଜଣେ ମହାନ ଗୁରୁଙ୍କର ପାତର ଅନ୍ତର କଥା



ଏକଲବ୍ୟ କହିଲେ, ହେ ଗୁରୁଦେବ ଆପଣ ହିଁ ମୋର ଗୁରୁ । ମୁଁ ଜଣେ ସାମନ୍ୟ ନିଷାଦ । ଆପଣଙ୍କୁ କ'ଣ ବା ଭେଟି ଦେଇପାରିବି? ବରଂ ଆପଣ କୁହନ୍ତୁ । ଆପଣ ଯାହା ବି ମାଗିବେ ମୁଁ ଆପଣଙ୍କ ପାଦତଳେ ତାହା ଭେଟି ଦେବାକୁ ପ୍ରସ୍ତୁତ ।
ଏକଲବ୍ୟ ଏତିକି କଥା କହୁ କହୁ ଆଚାର୍ଯ୍ୟ ଦ୍ରୋଣ ସାମନ୍ୟ ବିଳମ୍ବ ନକରି ଶାନ୍ତ ସ୍ୱରରେ କହିଲେ - ହେ ଏକଲବ୍ୟ, ମୋତେ ତୁମ ଦକ୍ଷିଣ ହାତର ବୁଢା ଆଙ୍ଗୁଳିଟି କାଟି ଦେଇପାରିବ?

ପାଖରେ ଛିଡା ହେଇଥିବା ଅର୍ଜୁନ, ଗୁରୁଦେବ ଆଚାର୍ଯ୍ୟ ଦ୍ରୋଣଙ୍କ ଏପରି ଗୁରୁଦକ୍ଷିଣା ମାଗିବା କଥା ଶୁଣି ଚମକି ପଡିଲେ । ଜଣେ ଧର୍ନୁଦ୍ଧର ପାଇଁ ତା' ଦକ୍ଷିଣ ହାତର ବୁଢା ଆଙ୍ଗୁଳି ଯେ କେତେ ଦରକାରୀ ସେକଥା ଅର୍ଜୁନ ଭଲରେ ଜାଣିଥିଲେ ।

ଦ୍ରୋଣଙ୍କ କଥା ଶୁଣି କାଳ ବିଳମ୍ବ ନକରି ଏକଲବ୍ୟ ତାଙ୍କ କମରରେ ଖୋସା ଏକ ତୀକ୍ଷ୍ଣ ଛୁରିକା ବାହାର କଲେ ଓ ବିନା ଦ୍ୱିଧାରେ ବାମ ହାତରେ ଛୁରିକା ଧରି ଡାହାଣ ହାତର ବୁଢା ଆଙ୍ଗୁଠିକୁ କାଟି ଗୁରୁଙ୍କ ପାଦ ତଳେ ରଖିଦେଲେ ।

ଏକଲବ୍ୟଙ୍କ ପାଖରୁ ଫେରିଲା ବେଳେ ଚୁପ ଚାପ ଥିବା ଅର୍ଜୁନ ଜାଣୁଥିଲେ ଏକଦା ଗୁରୁଦେବ ତାଙ୍କୁ ପୃଥିବୀର ଶ୍ରେଷ୍ଠ ଧର୍ନୁଦ୍ଧର କରିବାର ଯେଉଁ କଥା ଦେଇଥିଲେ ତାହା ରଖିଛନ୍ତି । କିନ୍ତୁ ଗୁରୁଙ୍କ ପାଖରୁ ପ୍ରତ୍ୟକ୍ଷ ଭାବରେ କୌଣସି ଶିକ୍ଷା ଗ୍ରହଣ ନକରି ବି ଦୂରରୁ ଏତେ କିଛି ଶିଖିଥିବା ନିଷାଦ ଯୁବକ ଏବେ ତା'ର ଦକ୍ଷିଣ ହାତର ବୁଢା ଆଙ୍ଗୁଳି ଦେଇଦେବା ପରେ ଏବେ ଆଉ ପୂର୍ବ ପରି ଶର ସନ୍ଧାନ କରିପାରିବନି । କ'ଣ ପାଇଁ ଆଚାର୍ଯ୍ୟ ତାଙ୍କର ଏ ନିଷାଦ ଶିଷ୍ୟ ପ୍ରତି ଏପରି ବ୍ୟବହାର କଲେ? ଅର୍ଜୁନଙ୍କ ନୀରବତା ଓ ମାନସିକ ଦ୍ୱିଧା ଦେଖି ବାଟରେ ଦ୍ରୋଣ କହିଲେ, ହେ ଅର୍ଜୁନ ଆମେ ସମସ୍ତଙ୍କ ହାତରେ ମାରଣାସ୍ତ୍ର ଦେଇପାରିବାନି । କେବଳ ଶକ୍ତି ବୃଦ୍ଧି କଲେ ଚଳିବନି ତା' ସାଙ୍ଗରେ ଅନେକ ନୀତି ଓ ନୀୟମକୁ ମଧ୍ୟ ପାଳନ କରିବାକୁ ହୋଇଥାଏ । ଯାହା ଜଣେ ଗୁରୁ ତା' ଶିଷ୍ୟମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସମୟ କ୍ରମେ ଶିଖାଇ ଥାଏ । ତାପରେ ସମସ୍ତଙ୍କୁ ଧର୍ନୁଦ୍ଧର ହେବାକୁ ଆମେ ଅନୁମତି ଦେଇପାରିବାନି । ସମାଜର ଶୃଙ୍ଖଳା ଓ ଶକ୍ତିର ସନ୍ତୁଳନ ପାଇଁ ଅନେକ ସମୟରେ ଏମିତି ଏକପାଖିଆ ନିଷ୍ପତ୍ତି ନେବାକୁ ହୋଇଥାଏ । ତୁମେ ହୁଏତ ଏବେ ମୋ କଥା ବୁଝିପାରିବନି । ପରେ ସମୟ ଆସିଲେ ସବୁ କିଛି ପ୍ରାଞ୍ଜଳ ଭାବରେ ଉପଲବ୍ଧି କରିପାରିବ ।

ବାଟ ସାରା ଅର୍ଜୁନ ତଥାପି ନୀରବ ଥିଲେ । ସେ ମନେ ମନେ ଭାବୁଥିଲେ କ'ଣ ସେଇ ପ୍ରକୃତ ଶକ୍ତି ? ସମାଜର ଶୃଙ୍ଖଳା ଓ ଶକ୍ତିର ସନ୍ତୁଳନଟି କ’ଣ?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now