• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡିଶା ଭଳି ପ୍ରାକୃତିକ ସମ୍ପଦରେ ଭରା ରାଜ୍ୟରେ ଏବଂ ଖଣି ଖାଦାନ ଓ ନିଘଞ୍ଚ ଜଙ୍ଗଲ ଘେରରେ ଥିବା ସୁନ୍ଦରଗଡ଼ ଭଳି ଅଂଚଳରେ ଦୁଇ ଜଣଙ୍କ ଶବଦାହ କରିବାକୁ କାଠ ନମିଳିବାରୁ ମୃତଦେହକୁ ନେଇ ଲୋକେ ଧାରଣାରେ ବସିବା ଖବର ଅନେକଙ୍କୁ ବିସ୍ମିତ ଓ ବିବ୍ରତ କରିଛି । ବିଶ୍ୱବ୍ୟାଧି ମହାମାରୀ କରୋନା କାଳରେ ଯେଉଁ ସଙ୍କଟଜନକ ସ୍ଥିତି ଦେଖିବାକୁ ମିଳିନଥିଲା ବର୍ତ୍ତମାନ ସମୟରେ ଏଭଳି ଅଭାବନୀୟ ଘଟଣା ଅନେକଙ୍କୁ ଚିନ୍ତିତ ଓ ବ୍ୟଥିତ କରିଛି । କେବଳ ସୁନ୍ଦରଗଡ ନୁହେଁ, ଗତ କିଛି ଦିନ ତଳେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ କାଠ ଅଭାବ ଖବର ସାମ୍ନାକୁ ଆସିଥିଲା । ପ୍ରକୃତରେ କ’ଣ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେଲାଣି ଯେ ଶବସଂସ୍କାର ପାଇଁ କାଠର ସଙ୍କଟକୁ ଆମେ ସାମ୍ନା କରିବାକୁ ପଡୁଛି ? 

କାଠ ପାଇଁ ଶବ ଧରି ଧାରଣା

ଓଡିଶାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ଦାବୀ ଦେଖାଯାଇଛି । ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ନିଯୁକ୍ତି ଯାଏଁ; ଏଭଳି କି ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଲୋକଙ୍କ ଆନ୍ଦୋଳନ, ଧାରଣା ପ୍ରତିବାଦ ଆଦି ଦେଖିବାକୁ ମିଳିଛି । ତେବେ ଶବଦାହ ପାଇଁ କାଠ ସଙ୍କଟର ସାମ୍ନା କରୁଥିବା ଲୋକେ ଘଂଟା ଘଂଟା ଧରି ଧାରଣାରେ ବସିବା ଘଟଣା ବୋଧେ ଓଡିଶାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା l

Also Read

ସୁନ୍ଦରଗଡ ଜିଲ୍ଲା ବନଖଣ୍ଡ ଅଧିକାରୀ(ଡିଏଫ୍ଓ)ଙ୍କ ବାସଭବନ ସମ୍ମୁଖରେ ୨୩ ମାର୍ଚ୍ଚ ରବିବାର ଦୁଇଟି ମୃତଦେହକୁ ନେଇ ‘ଶ୍ମଶାନବନ୍ଧୁ’, ମୃତକଙ୍କ ପରିଜନ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଥିବା ଘଟଣା ସାମ୍ନାକୁ ଆସିଥିଲା । ଶବଦାହ ପାଇଁ କାଠ ନମିଳିବା ଏବଂ ଡିଏଫ୍ଓ ସମ୍ପୂର୍ଣ୍ଣ ହାତ ଟେକିଦେବା ଅଭିଯୋଗରେ ଦୀର୍ଘ ସମୟ ଧରି ବିକ୍ଷୋଭ ଜାରି ରହିଲା ।

 ‘ଶ୍ମଶାନ ବନ୍ଧୁ’ଙ୍କ କହିବା କଥା, ଶବ ସଂସ୍କାର ସକାଶେ ସୁନ୍ଦରଗଡ଼ରେ କାଠର ଘୋର ଅଭାବ ରହିଛି । ପ୍ରତିଦିନ ଖଣି ପାଇଁ କଟା ହୋଇ ହେକ୍ଟର ହେକ୍ଟର ଜଙ୍ଗଲର କାଠ ହେମଗିର ବନାଂଚଳ ଅଫିସକୁ ଆସୁଛି । ହେଲେ ଏସବୁ ଯାଉଛି କୁଆଡେ ? ସୁନ୍ଦରଗଡ଼ର କୌଣସି ବି ଡିପୋରେ ଗତ ୧୫ ଦିନ ହେଲା ଗୋଟିଏ କ୍ୱିଂଟାଲ କାଠ ନାହିଁ । ଏ ସ୍ଥିତିରେ ଆସୁଥିବା ମୃତଦେହର ଦାହ ସଂସ୍କାର ହେବ କେମିତି ବୋଲି ‘ଶ୍ମଶାନବନ୍ଧୁ’ ପ୍ରଶ୍ନ କରିବା ସହିତ ଏହାର ସ୍ଥାୟୀ ପ୍ରତିକାର ପାଇଁ ଲିଖିତ ପ୍ରତିଶ୍ରୁତି ଦାବୀ କରିଥିଲେ । କାଠ ଅଭାବରୁ ଦୀର୍ଘ ୮ ଘଂଟା ବିଳମ୍ବରେ ଅର୍ଦ୍ଧରାତ୍ରିରେ ଶବସତ୍କାର ହେଲା । ଦାହ ପାଇଁ ଝାରସୁଗୁଡାରୁ କାଠ ଅଣାଗଲା । ଗରିବ, ଅସହାୟ ଓ ଅଜଣା ମୃତଦେହର ସଂସ୍କାର ପାଇଁ ‘ଶ୍ମଶାନବନ୍ଧୁ’ ଭଳି କିଛି ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିବା ବେଳେ କାଠ ପାଇଁ ସେମାନଙ୍କୁ ଅପଦସ୍ତ ହେବାକୁ ପଡୁଛି ।

କାଠର କଠିନ ସମୟ

କେବଳ ସୁନ୍ଦରଗଡ ଜିଲ୍ଲା କାହିଁକି, ଅନେକ ସମୟରେ ଶବଦାହ ପାଇଁ କାଠ ଅଭାବର ଖବର ସାମ୍ନାକୁ ଆସୁଛି । ନିକଟରେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେବା କାରଣରୁ ଗୋବର ପ୍ରସ୍ତୁତ ଘସି ଦ୍ୱାରା ଦାହ ସଂସ୍କାର ଯୋଜନା କରାଯାଉଥିବା କଥା ପ୍ରାଣୀସମ୍ପଦ ମନ୍ତ୍ରୀ କହିଥିଲେ । ଏଭଳି କି କାଠର ଅଭାବ, ପରିବେଶ ସୁରକ୍ଷା ଏବଂ ପୁରୀ ସ୍ୱର୍ଗଦ୍ୱାରକୁ ଦୈନିକ ଶବ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେରଖି ବୈଦ୍ୟୁତିକ ଚୁଲା ଭଳି ବିକଳ୍ପ ବ୍ୟବସ୍ଥା ବିଷୟରେ ଆଲୋଚନା ଚାଲିଥିବା ସ୍ଥାନୀୟ ଜିଲ୍ଲାପାଳ ଗଣମାଧ୍ୟକୁ ଜଣାଇଥିଲେ । କାଠ ଓ ବିଦ୍ୟୁତ ବ୍ୟତୀତ ରାଜଧାନୀ ଭୁବନେଶ୍ୱରରେ ଥିବା ସିଏନଜି ଗ୍ୟାସ ଚାଳିତ ଶବଦାହ ଚୁଲା ଅନେକ ଦିନ ଧରି ଅକାମୀ ହୋଇ ପଡିରହିଥିବା ଜଣାପଡିଛି । 

କରୋନା କାଳରେ ଶବଦାହ

ବିଶ୍ୱବ୍ୟାଧି ମହାମାରୀ କରୋନା କାଳରେ କିଛି ରାଜ୍ୟରେ ଶବଦାହକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ଏଭଳି କି କେତୋଟି ସ୍ଥାନରେ ଶବଦାହ ନକରି ନଦୀରେ ବିସର୍ଜନ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଲା । ତେବେ ଓଡିଶାରେ କିନ୍ତୁ ଶବଦାହକୁ ନେଇ ସେହିଭଳି ସଙ୍କଟ କିମ୍ବା କାଠର ଅଭାବ ପରିସ୍ଥିତି ଦେଖାଯାଇ ନାହିଁ । କୋଭିଡ ଦ୍ୱାରା ଆକ୍ରାନ୍ତ ରାଜ୍ୟର ୯ ହଜାରରୁ ଅଧିକ ଜୀବନ ହାରିଲେ । ହେଲେ ବର୍ତ୍ତମାନ ସ୍ଥିତିରେ ସାମ୍ନାକୁ ଆସିଥିବା କାଠ ଅଭାବ ଆଗାମୀ ଦିନ ପାଇଁ ସତର୍କ ଘଣ୍ଟି ନୁହେଁ କି ?

କାଠର ବିକଳ୍ପ ଓ ବିତର୍କ

ଗୋଟିଏ ଶବଦାହ ପାଇଁ ତିନୋଟି ଗଛ ସହିତ ସମାନ କାଠ ଲାଗେ । ପ୍ରତିବର୍ଷ କେବଳ ମୃତଦେହ ଦାହ କରିବା ପାଇଁ ଦେଶରେ ପ୍ରାୟ ୫ କୋଟିରୁ ଅଧିକ ଗଛ କଟାଯାଏ । ଏହା ୫ ଲକ୍ଷ ଟନ ପାଉଁଶ ଏବଂ ୮୦ ଲକ୍ଷ ଟନ କାର୍ବନ ଗ୍ୟାସ ଉତ୍ପନ୍ନ କରେ । ପରିବେଶବିତ ଏଥିପ୍ରତି ଚିନ୍ତାପ୍ରକଟ କରିବା ଏବଂ କାଠର ବିକଳ୍ପ ବ୍ୟବସ୍ଥା ବିଷୟରେ ଆଲୋଚନା କଲାବେଳେ ଅନ୍ୟପକ୍ଷେ କାଠରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ନେଇ ବିଶ୍ୱାସ ରହିଛି । ଏନେଇ ସାରା ଦେଶରେ ଏକ ବିତର୍କଜନକ ସ୍ଥିତି ଲାଗି ରହିଛି । 

କାଠ ଠାରୁ ସମ୍ପର୍କ 

ବନାଗ୍ନି, ଖଣି, ସଡକ, ରେଳପଥ, ସହରୀକରଣ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟରେ ଲକ୍ଷ ଲକ୍ଷ ଗଛ ବଳିପଡୁଛି । ଯାହା ଜଳବାୟୁ, ଜୀବଜଗତ ଓ ମାନବସମାଜ ଉପରେ ଗଭୀର ପ୍ରଭାବ ପଡୁଛି । ଭୂ-ତାପ, ଧୁଳି, ଧୁଆଁ ଭଳି ଅସ୍ୱାସ୍ଥ୍ୟକର ପରିବେଶରେ ମନୁଷ୍ୟ ଦିନ କାଟୁଛି । ଶେଷରେ ମୃତ୍ୟୁ ବେଳକୁ ଶବ ସତ୍କାର ପାଇଁ କାଠ ଖଣ୍ଡିଏ ମିଳୁନି? ଜନ୍ମରୁ ମୃତ୍ୟୁ ଯାଏଁ କାଠ ସହିତ ଜଡିତ ମାନବ ସଭ୍ୟତାର ସମ୍ପର୍କ ଧିରେ ଧିରେ ଛିନ୍ନ ଦେବାରେ ଲାଗୁଛି କି ?

ବିକଳ୍ପ ବ୍ୟବସ୍ଥା

ଶବଦାହ ପାଇଁ ଆଗକୁ ଯେଭଳି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ଏଥିପାଇଁ ବିକଳ୍ପ ବ୍ୟବସ୍ଥା ବିଷୟରେ ଏଭଳି ପଦକ୍ଷେପ ନେବା ଆବଶ୍ୟକତ ଯାହା କୌଣସି ବିତର୍କ କିମ୍ବା କାହାର ଭାବାବେଗକୁ ଆଘାତ ଦେବ ନାହିଁ । ଶବଦାହ ପାଇଁ ସ୍ୱତନ୍ତ୍ର ଭାବରେ କୃତ୍ରିମ ଜଙ୍ଗଲ ପ୍ରତି ଅଂଚଳରେ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇପାରେ । ଯାହାଫଳରେ ପରିବେଶ ସୁରକ୍ଷିତ ରହିବ ଏବଂ କାଠ ସମସ୍ୟାରୁ ମୁକ୍ତି ମିଳିପାରିବ । ତୁରନ୍ତ ସ୍ଥାନ ଚିହ୍ନଟ କରି ଖୁବ କମ୍ ସମୟରେ ଶୀଘ୍ର ବଢିପାରୁଥିବା ଗଛ ଲଗାଇବା ଉପରେ ସରକାର ନିଷ୍ପତ୍ତି ନେବା ଆବଶ୍ୟକ ।