• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଆଦି ଅଞ୍ଚଳର ନଈ କୂଳିଆ ଗାଁରେ ଖରାବେଳେ ପହଞ୍ଚିଗଲେ ଦେଖିବେ ଘରର ସ୍ତ୍ରୀ ଲୋକମାନେ ବସି କାଇଁସ କାଠିରେ ତିଆରି କରୁଥିବେ ତାଟ, ଡାଲା, ବାକ୍ସ, ବିଞ୍ଚଣା ଆଦି ଘରକରଣା ଜିନିଷ। ସେମାନେ ଘରର କାମଦାମ, ଖିଆପିଆ, ବାସନମଜା ଆଦି ସବୁ କାମ ସାରି ଆରାମ୍ କରିବାକୁ ଥିବା ସମୟରେ ଏସବୁ କରନ୍ତି । ଆଗରୁ ଘରର ବ୍ୟବହାର୍ଯ୍ୟ ଜିନିଷ ତିଆରି କରିବାରେ ସମୟ ଯାଉଥିଲା ଓ ଏବେ ନିଜ ଘରର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ସେମାନେ ଲାଗିପଡିଛନ୍ତି ।

ଯେଉଁ ସୁନା ରଙ୍ଗର କାଇଁସ କାଠିରୁ ଏତେ ଏତେ ଜିନିଷ ତିଆରି ହୁଏ, ତାହା ହେଉଛି ବେଣା ଘାସର ଶସ୍ୟ। ଧାନ କି କାଶତଣ୍ଡୀରୁ ଯେମିତି କେଣ୍ଡା ବାହାରେ, ଠିକ୍ ସେମିତି ବେଣା ଘାସର ବି କେଣ୍ଡା ବାହାରେ। ଆମେ ତାକୁ ବେଣାଘାସର ଫୁଲ ବି କହିପାରନ୍ତି । ସେଇ ଫୁଲର ନାଡ଼ ବା କେଣ୍ଡା ହିଁ ଅମଳ ହୋଇ ଆସେ। ଆଗରୁ ଗାଈଗୋଠ ନେଇ ଯାଇଥିବା ଘରର ପୁରୁଷମାନେ ଏଇ କାମଟି କରୁଥିଲେ । ଏବେ ତ ଅନେକେ ଏଇଟିକୁ ରୋଜଗାରର ମାଧ୍ଯମ କରି ବିକ୍ରୀବଟା କରି ବଞ୍ଚିଲେଣି। ଅମଳ କଲାବେଳେ ଫୁଲକୁ କାଟି ସେଇ କ୍ଷେତରେ ପକେଇ ଦେଇ ଖାଲି ନାଡ଼ଟିକୁ ବିଡ଼ା ବାନ୍ଧି ଅଣାଯାଏ । ବର୍ଷା ଆରମ୍ଭ ହେଉ ହେଉ ଜୁଲାଇ ମାସ ବେଳକୁ ନଈ କୁଳିଆ ଅପନ୍ତରା ଗୋଚର ଜାଗା ସବୁ ସନ୍ତସନ୍ତିଆ ହୋଇଯାଏ । ତାପରେ ହୁ ହୁ କରି ମାଡ଼ିଯାଏ ବେଣା ଘାସ । ଅଗଷ୍ଟ ବେଳକୁ ସେଥିରୁ କେଣ୍ଡା ବାହାରି ଫୁଲ ସବୁ ହୁଏ । ତେବେ ଅମଳ ହେଲାବେଳକୁ ଯାଇ ଶୀତଦିନ । ସେପ୍ଟେମ୍ବର ଅକ୍ଟୋବର ମାସ । ଏସବୁ ବିଷୟରେ ବିଷଦ ଭାବରେ ମୁଁ ଅନେକ କାରିଗରମାନଙ୍କ ସହ କଥା ହେଇଛି।

ପ୍ରାୟ ସ୍ତ୍ରୀ ଲୋକମାନେ ପିଲାଦିନରୁ ମାଆ, ଜେଜେମା ଓ ପଡ଼ୋଶୀମାନଙ୍କୁ କାଇଁସରେ ଜିନିଷ ତିଆରି କରିବାର ଦେଖନ୍ତି । ଦେଖି ଦେଖି ନିଜେ ବୁଣି ଶିଖନ୍ତି ମଧ୍ୟ ।

It is made of grass that looks like goldସୁନା ପରି ଦିଶେ ଏଇ ଘାସରୁ ତିଆରି ଜିନିଷ

ମାଟିର ଜିନିଷ ପରି ଘରୋଇ ବ୍ୟବହାର ପାଇଁ ଟୋକେଇ ବୁଣିବା କାହିଁ କେଉଁ କାଳର କଥା । କେତେବେଳେ ବାଉଁଶ ପାତିଆ ତ କେତେବେଳେ ବେତ ଅବା କଣନା କ'ଣ ଜଙ୍ଗଲି ଘାସ, କାଠି ବ୍ୟବହାର କରି ବୁଣାଯାଇଛି ରକମ ରକମର ଟୋକେଇ । ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଆଦି ଜିଲ୍ଲାରେ ତିଆରି ହୁଏ ସୁକ୍ଷ୍ମ ପ୍ୟାଟର୍ଣ୍ଣ ଥିବା କାଇଁସର ଜିନିଷ। ଉତ୍ତର ପ୍ରଦେଶ ଓ ବିହାରରେ ସିକ୍କି ଗ୍ରାସରୁ ମଧ୍ଯ ତିଆରି ହୁଏ ଟୋକେଇ। ତେବେ ଉତ୍ତରପ୍ରଦେଶର ଥରୁସ୍ ସମ୍ପ୍ରଦାୟ ସିକ୍କି ଗ୍ରାସରୁ ତିଆରି କରୁଥିବା ଟୋକେଇରେ ଏକ ବୋଲ୍ଡ ଫର୍ମ ଅଛି। ଏହି ଟୋକେଇ ଉପରେ ମଣିଷ ଓ ପଶୁ ଚିତ୍ରମାନ ଅଙ୍କା ଯାଇଥାଏ ରଙ୍ଗରେ । ଓଡ଼ିଶା ଓ ବଙ୍ଗଳାର ବାଉଁଶ ତିଆରି କୁଲାରେ ରହିଛି ଏକ ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ। ଦକ୍ଷିଣରେ ମହୀଶୁର ଏହାର ବେତ ତିଆରି ଟୋକେଇ ପାଇଁ ପ୍ରସିଦ୍ଧ । ଚେତିଆର୍ ସମ୍ପ୍ରଦାୟ ତିଆରି କରୁଥିବା ଚେତିନାଡ ଟୋକେଇ ପାଇଁ ତାମିଲନାଡୁ ପ୍ରସିଦ୍ଧ । ଭାରତର ଉତ୍ତର-ପୂର୍ବ ଅଞ୍ଚଳ ବେତ ଏବଂ ବାଉଁଶ ଟୋକେଇ କାମ ପାଇଁ ଖୁବ୍ ପ୍ରସିଦ୍ଧ। ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ତ୍ରିପୁରାରେ ଏମିତି ଜିନିଷ ସବୁ ପ୍ରାୟତଃ ଦେଖିବାକୁ ମିଳେ। ଆକାର, ପ୍ରକାର, ରଙ୍ଗ ଓ ଡିଜାଇନ୍‌ର ଭିନ୍ନତା ଏସବୁକୁ ପରସ୍ପର ଠାରୁ ସ୍ୱତନ୍ତ୍ର କରି ରଖିଛି। ପ୍ରକାଶ ପାଇଛି ଲୋକଙ୍କ କୁଶଳୀ ହାତର କଳା କାରିଗରୀ । ତେବେ ଏଇ କଛି ବର୍ଷ ହେବ ଗୋଲ୍ଡେନ ଗ୍ରାସ୍ ହସ୍ତଶିଳ୍ପ ବିଶ୍ୱ ବଜାରରେ ନିଜର ଏକ ସ୍ଥାନ ତିଆରି କରିପାଇଛି । ଇକୋଫ୍ରେଣ୍ଡଲି, ବାୟୋଡିଗ୍ରେଡେବଲ୍ ଏବଂ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରୁଥିବାରୁ କାଇଁସରୁ ତିଆରି ଜିନିଷର ଚାହିଦା ଆଜି ବଢୁଛି। ଏଥିରୁ ତିଆରି ଜିନିଷ ଗୁଡ଼ିକ ବହୁଦିନ ଧରି ରହେ । ସହଜରେ ନଷ୍ଟ ହୁଏନି । ତେଣୁ ଏହାର ଲମ୍ବା ଆୟୁଷ ପାଇଁ ହିଁ ଏବେ କାଇଁସରେ ନୂଆ ନୂଆ ଜିନିଷ ତିଆରି ହେଉଛି। ବିଭିନ୍ନ ପ୍ରକାରର ଛୋଟ ବଡ଼ ବାକ୍ସ, ଟ୍ରେ, ଜୁଏଲାରୀ, ପେନ୍‌ଷ୍ଟାଣ୍ଡ, ଟୋପି, ଫୁଲଦାନୀ, କୋଷ୍ଟର୍ ଏମିତି କେତେନା କେତେ ବ୍ୟାବହାରିକ ଜିନିଷ ଦେଖିବାକୁ ମିଳୁଛି ବଜାରରେ।

It is made of grass that looks like gold
ସୁନା ପରି ଦିଶେ ଏଇ ଘାସରୁ ତିଆରି ଜିନିଷ

କାଇଁସ ପରି ବଣୁଆ ଘାସକୁ ନେଇ ଟୋକେଇ ବୁଣିବାର ଗୋଟେ ଲମ୍ବା ପରମ୍ପରା ଅଛି ଓଡ଼ିଶାରେ । ଶୁଖିଗଲା ପରେ ସୁନା ରଙ୍ଗ ହୋଇଯାଉଥିବା ଓ ଆକର୍ଷଣୀୟ ଦିଶୁଥିବା ଏହି ଘାସଟି ଏକ ପ୍ରକାରର ଜଙ୍ଗଲୀ ଘାସ । ନଈକୂଳିଆ ସନ୍ତସନ୍ତିଆ ଜାଗାରେ ବର୍ଷାଦିନ ପରେ ପରେ ମାତୁଥିବା ଏହି ଘାସ ଖୁବ୍ ଡେଙ୍ଗା ହୁଏ। ସାତ ଆଠ ଫୁଟ୍ ଉଚ୍ଚତା ଯାଏ ବଢ଼େ। ଅଗରେ ଥିବା ଫୁଲର ଅଂଶ ହସ୍ତଶିଳ୍ପ ତିଆରି ପାଇଁ ବ୍ୟବହୃତ ହେଉନଥିବାରୁ ଏହାକୁ ଅମଳ ବେଳେ ଫିଙ୍ଗି ଦିଆଯାଇଥାଏ ସେଇ କ୍ଷେତରେ। କାଇଁସକୁ ବ୍ୟବହାରଯୋଗ୍ୟ କରିବା ପାଇଁ ଏହାକୁ ପ୍ରଥମେ ମୂଳରୁ କାଟି କିଛି ଦିନ ପାଇଁ ଶୁଖାଯାଏ। ଭଲ ଭାବରେ ଶୁଖିଗଲା ପରେ ଏହାର ସବୁଜ ରଙ୍ଗ ପରିବର୍ତ୍ତିତ ହୋଇ ସୁନା ପରି ହଳଦୀ ଗରଗର ଦିଶେ। କାମ ଆରମ୍ଭ କଲାବେଳକୁ କାଇଁସ କାଠିକୁ ଛୁରୀ, ବ୍ଲେଡ୍ କିମ୍ବା ଦାନ୍ତ ସାହାଯ୍ୟରେ କାଟି ମଝିରୁ ଦି ଫାଳ କରିଦିଆଯାଏ । ପତଳା କଲା ପରେ ସେଥିରେ ବୁଣିବା ସମ୍ଭବପର ହୁଏ। ଘାସକୁ ଅଧିକ ନମନୀୟ କରିବା ପାଇଁ ବୁଣିବା ପୂର୍ବରୁ ଏହାକୁ କିଛି ସମୟ ପାଣିରେ ଭିଜାଇ ରଖାଯାଏ । ତାପରେ ବୁଣା ଆରମ୍ଭ ହୁଏ ଗୋଟିଏ ବଡ଼ ଛୁଞ୍ଚି ସାହାଯ୍ୟରେ। କାଇଁସକୁ ଏପଟରୁ ସେପଟକୁ ନେଇ ବୁଣିବା ଲାଗି ଏହା ଦରକାର ପଡେ। ଜିନିଷ ତିଆରି ହୋଇସାରିବା ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେହି କେହି ଏହାର ପ୍ରାକୃତିକ ସୁନେଲି ରଙ୍ଗ ସହିତ ଲାଲ, ହଳଦିଆ, ସବୁଜ, ନୀଳ, ବାଇଗଣୀ, ଏବଂ ଗୋଲାପୀ ଆଦି ଭିନ୍ନ ଭିନ୍ନ ରଙ୍ଗ ମିଶାନ୍ତି ।

କାଇଁସ ହସ୍ତଶିଳ୍ପରେ କାଇଁସ କାଠି, ଛୁରୀ, ପାଣି ଓ ଛୁଞ୍ଚିକୁ ଛାଡ଼ି ଦେଲେ ଆଉ କୌଣସି ଜିନିଷ ଦରକାର ପଡ଼େନି । ତେବେ ଏହା ଖୁବ୍ ସମୟ ସାପେକ୍ଷ କାମ । ଗୋଟିଏ ଗୋଟିଏ ଛୋଟ ବାକ୍ସ ବୁଣିବା ପାଇଁ ଖାଲି ପୁରା ଦୁଇ ଦିନ ସମୟ ଲାଗିଯାଏ । ଏପଟେ ଘାସରୁ ତିଆରି ବୋଲି ମୂଲ୍ୟ କମ୍ ରଖିବାକୁ ପଡେ । କାରିଗରର ମଜୁରୀ ବି ଉଠେନି ସେଥିରୁ। ଆମ ଘରୋଇ ବ୍ୟବହାରରେ ଯଦି ପ୍ଲାଷ୍ଟିକ ବଦଳରେ କେତେକ ସ୍ଥାନରେ ଏହାର ବ୍ୟବହାର କରାହୁଅନ୍ତା, ତେବେ ପରିବେଶର ତ ଅନେକ ସୁରକ୍ଷା ହୁଅନ୍ତା ନିଶ୍ଚିତ, ଆମ କାରିଗରମାନେ ବି ଖୁବ୍ ଉପକୃତ ହୁଅନ୍ତେ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now