/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744196416.jpg)
ରାଜନୈତିକ ବ୍ୟଙ୍ଗ
ଆଉ ବୋଲ ମାନୁନି ‘ବିବେକ’
ଅନେକ ଦିନ ପରେ ବିବେକ ବାବୁଙ୍କ ସହ ଦେଖା ହେଇଗଲା। ବିବେକ ବାବୁ କେମିତି ଗୋଟେ ବିବ୍ରତ ଜଣାପଡୁଥିଲେ। ଏମିତି ଅବସ୍ଥାରେ ତାଙ୍କୁ ଦେଖି ମୋ ପାଟିରୁ ବାହାରି ଆସିଲା, ଆପଣଙ୍କ ଭଳି ଲୋକ ପୁଣି ବିବ୍ରତ ? ଏଇଟା କାଇଁ ମୋତେ ଠିକ୍ ଲାଗୁନି।
ସୂଚନାଯୋଗ୍ୟ, ପୂର୍ବ ସରକାର ଅମଳରେ ବିବେକ ବାବୁ ବେଶ୍ ପ୍ରଭାବଶାଳୀ ଥିଲେ। ଯାହା ଚାହୁଁଥିଲେ ତାହା କରୁଥିଲେ। ଯାହାକୁ ଯୋଉ ରାସ୍ତାରେ ନବାକୁ ଚାହୁଁଥିଲେ ନେଇଯାଉଥିଲେ।
ମୁଁ ପୁଣି ପଚାରିଲି, ସତ କୁହନ୍ତୁ ବିବେକ ବାବୁ, କ’ଣ ହେଇଚି ଆପଣଙ୍କର ? କାହିଁକି ଆପଣ ବିବ୍ରତ ? ଆପଣ ତ ଆଚ୍ଛା ଆଚ୍ଛା ଲୋକଙ୍କୁ ବିବ୍ରତ କରିବାରେ ମାହିର ଥିଲେ ? ଆଜି ପୁଣି ଆପଣ ନିଜେ ବିବ୍ରତ ?
ବିବେକ ବାବୁ କେମିତି ଗୋଟେ କ୍ଲାନ୍ତ ସ୍ୱରରେ କହିଲେ, ନାଇଁ ଭାଇ, ଆଗ ଭଳି ଆଉ ବିବେକର ବୋଲ କେହି ମାନୁନାହାଁନ୍ତି। ମୋତେ ତ ଲାଗୁଚି ଯେମିତି ମୁଁ ବେଳେ ବେଳେ ବାଟବଣା ହେଇଯାଉଚି।
ବିବେକ ବାବୁଙ୍କର ଏତେ ଗୁଡ଼ିଏ ଗୌରଚନ୍ଦ୍ରିକା ଶୁଣି ମୁଁ କିଛି ବୁଝିପାରିଲିନି। ସନ୍ଦେହ ମୋଚନ କରିବାକୁ ପଚାରିଲି, ଆପଣ କ’ଣ କହୁଛନ୍ତି ଟିକେ ସଫା ସଫା କହୁନାହାଁନ୍ତି, ଏତେ ବୁଲେଇ ବଙ୍କେଇ କହିଲେ ମୁଁ ବୁଝିବି କେମିତି।
ବିବେକ ବାବୁ ଏଥର ମୋ ପାଟିରୁ କଥା ଛଡ଼େଇ ନେଇ କହିଲେ, ଆପଣଙ୍କ ଭଳି ମିଡିଆ ଲୋକମାନେ ସବୁ ଜାଣି ଆମ ମୁହଁରୁ ସବୁ କଥା ଶୁଣିବାକୁ ଚାହାଁନ୍ତି। ହଉ ଶୁଣନ୍ତୁ।
ଆମର ଜଣେ ସାଂସଦ କହିଦେଲେ, ୱକଫ୍ ବିଲ୍ ପ୍ରସଙ୍ଗରେ ସମସ୍ତେ ବିବେକକୁ ପଚାରି ଭୋଟ୍ ଦେବେ। ଏଇଟା ଦଳର ନିଷ୍ପତ୍ତି। ତା’ପରେ କ’ଣ ହେଲା ତ ଆପଣ ସବୁ ଜାଣନ୍ତି। କାହା ବିବେକ କୋଉ ରାସ୍ତାରେ ଗଲା କେହି ଜାଣିପାରିଲେନି। ଏଇ ବିବେକକୁ ନେଇ କେତେ ପାଲା ଚାଲିଲା।
ଟିକେ ପୁରୁଣା କଥା ମନେ ପକାଇଲେ, ସେତେବେଳେ ବିବେକକୁ ବସ୍ କହିଲେ ବସୁଥିଲା, ଉଠ୍ କହିଲେ ଉଠୁଥିଲା। ହେଲେ ଏବେ…ଏତକ କହିଦେଇ ବିବେକ ବାବୁ ଦୀର୍ଘଶ୍ୱାସ ଛାଡ଼ିଲେ। ମୁଁ ଆଉ ତାଙ୍କୁ ଅଧିକ ପଚାରି ଭାରାକ୍ରାନ୍ତ କରିବାକୁ ଚାହିଁଲିନି। ମୋ ପାଟିରୁ ବାହାରି ଆସିଲା, ସବୁ ସେଇ ସମୟର ଖେଳରେ ଭାଇ..।
ଡବଲ୍ ଡେକର ବସ୍
ଘର ଭିତରକୁ ପଶୁ ପଶୁ ରାମ ବାବୁ ବୀର ଦର୍ପରେ କହିବା ଆରମ୍ଭ କଲେ, ହେଇଟି ଶୁଣୁଚ…କୁଆଡ଼େ ଗଲବା…ଜଲ୍ଦି ବାହାରିପଡ଼। ତମକୁ ଆଜି ଡବଲ ଡେକର ବସ୍ରେ ସହର ବୁଲେଇବି। ପତ୍ନୀ କିଛି ବୁଝି ନପାରି ପଚାରିଲେ, ଡବଲ୍ ଡେକର୍…ସେଇଟା ପୁଣି କ’ଣ ବା।
ରାମ ବାବୁ କହିଲେ, ପୂର୍ବ ସରକାର ଯୋଉ ଟାଉନ୍ ବସ୍ ଚଲଉଥିଲେ, ସେଇଟା ଗୋଟେ ମହଲା ଥିଲା, ଆମ ସରକାର ଯୋଉ ବସ୍ ଚଲଉଛନ୍ତି, ସେଇଟା ଦୁଇ ମହଲା। ତମକୁ ଉପର ମହଲାରେ ବସେଇକି ବୁଲେଇବି…ଜଲ୍ଦି ବାହାରିପଡ଼।
ପତ୍ନୀ ସବୁ କଥା ଶୁଣି ସାରିବା ପରେ ଛିଗୁଲେଇବା ଆରମ୍ଭ କରିଦେଲେ, ଓଃ ତା’ମାନେ ତମର ସବୁ ଡବଲ୍, ଏଇୟା ତ ? ରାମ ବାବୁ ଆଉ କିଛି କହିବା ଆଗରୁ ପତ୍ନୀ ଆରମ୍ଭ କଲେ…ହଁ, କ’ଣ କହୁଥିଲି ତ…ତମର ସବୁ ଡବଲ୍…କିଛି ଦିନ ତଳେ ତମର ଆଳୁ ରେଟ୍ ଡବଲ୍ ହେଇଯାଇଥିଲା, ପିଆଜ ରେଟ୍ ବି ଡବଲ୍ ହେଇଯାଇଥିଲା…ଆଉ ରସୁଣ ବି ଡବଲ୍..। ପତ୍ନୀଙ୍କ ଚୂନମରା କଥା ଶୁଣି ରାମବାବୁ ଘରୁ ତମ ତମ ହେଇ ବାହାରିଯାଉଥିବା ବେଳେ ପତ୍ନୀ ପଛରୁ ଡାକି କହିଲେ, ଯାଉଚ କୁଆଡ଼େ, ଶୁଣ…ମୋର ସରିନି, ଆହୁରି ଡବଲ୍ ଅଛି...। ତମର ଡବଲ୍ ଇଂଜିନ, ତମର ଡବଲ୍ ଡେପୁଟି ସିଏମ୍ । ଆଉ କହିବି...।
ରାମ ବାବୁ ଆଉ ସଂଭାଳି ନପାରି କହିଲେ, ତେମେ ଆଉ ଶଂଖ ଦଳର ନେତ୍ରୀ ବୋଲି ନିଜକୁ ଭାବନି। ତମର ପା ବିବେକ ବାଟବଣା ହେଇକି ବୁଲୁଚିଯେ, କେହି କାହା କଥା ମାନୁନାହାଁନ୍ତି। ଆଗ ବିବେକକୁ ରାସ୍ତାକୁ ଆଣ, ତା’ପରେ ମୋ ମୁହଁ ଉପରେ କଥା କହିବ। ରାମ ବାବୁଙ୍କଠୁ ମଂଜ କଥା ପଦକ ଶୁଣି ପତ୍ନୀ ରାଗ ତମ ତମ ହେଇକି ରୋଷେଇ ଘର ଭିତରକୁ ପଶିଗଲେ।
ସବୁ ସେଇ ସମୟର ଖେଳ
କିସ ଦେଖିଲା ଏ ନେତ୍ର, କିସ ନଶୁଣିଲା ଏ କର୍ଣ୍ଣ। କି ଯୁଗ ହେଲାରେ ଭାଇ। ଯୋଉ ଲୋକମାନେ ଦିନେ ଶଂଖ ମୁଖିଆଙ୍କ ଛାଇ ଦେଖିଲେ ଡରୁଥିଲେ ସେମାନେ ଏବେ ମୁହଁ ଉପରେ କଥା କହୁଛନ୍ତି…। ଖାଲି ତ କଥା କହୁନାହାଁନ୍ତି….ବିବେକକୁ କିଏ ବାଟବଣା କଲା, ସେଇ କଥା ପଚାରି ପୁଣି ଜବାବ ମାଗୁଛନ୍ତି।
ରାମ ବାବୁ ଏତକ କହି କହି ଆସୁଥିବା ବେଳେ ଆମ ହାବୁଡ଼ରେ ପଡ଼ିଗଲେ। ଆମେ ପଚାରିଲୁ…ବୁଝିଲେ ରାମ ବାବୁ ଆପଣଙ୍କ ମୁଣ୍ଡ କିଆଁ ବିନ୍ଧୁଛି ଯେ। ରାମ ବାବୁ କହିଲେ, ଆରେ ଭାଇ ମୁଁ ପା ଜଣେ ଭୁକ୍ତଭୋଗୀ। ଶଂଖ ଶାସନ ସମୟରେ ମୁଁ ଥରେ ମୁଖିଆଙ୍କ ନିବାସ ଦେଇ ଯାଉଥିବା ବେଳେ ସେଠି ଘଡ଼ିଏ ଛିଡ଼ା ହେଇଗଲି। ଉଦ୍ଦେଶ୍ୟ ଥିଲା ନିବାସ ପାଖ ଗଛ ଛାଇରେ ଟିକେ ଥକା ମେଣ୍ଟେଇବା।
ହେଲେ ମତେ କ’ଣ ଛିଡ଼ା କରିଦେଲେ, କୁଆଡ଼େ ଥିଲେ କେଜାଣି ୪/ ୫ ପୁଲିସି ମତେ ଘେରିଗଲେ। ଭାଗ୍ୟ ଭଲ, କାକୁତିମୀନତି ହେଇ ସେଠୁ ଖସିଗଲି। ନହେଲେ ସେତେବେଳେ ଯୋଉ ଶାସନ ଚାଲିଥିଲା, ମତେ ଭିତର ସାଇଡ୍ କରିଦେଇଥାନ୍ତେ । ଏବେ ସେଇ କଥା ଭାବୁଚି। କୁଆଡ଼େ ଗଲା ସେ ସମୟ। ସେକଥା ଭାବିଲା ବେଳକୁ ଛାତି ଭିତରଟା କୋରି ହେଇଯାଉଚି। ବଂଧୁଙ୍କ ଚୂନମରା କଥା ଶୁଣି ମତେ ଲାଗିଲା, ପୁରୁଣା କଥା ଭାବିକି ସିଏ ଭୀଷଣ ରାଗିଯାଇଛନ୍ତି। ମୁଁ ବଂଧୁଙ୍କ ରାଗ ଥଣ୍ଡା କରିବାକୁ ପୁଣି ସେଇ ପୁରୁଣା ଡାଇଲଗ୍ଟି ମାରିଦେଲି…ସବୁ ସେଇ ସମୟର ଖେଳରେ ଭାଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)