Advertisment

ଜେଲେନସ୍କିଙ୍କୁ ହରାଇବା ପାଇଁ ଚରମ ପଦକ୍ଷେପ ନେବେ କି ପୁଟିନ୍‌?

ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍‌ର ପତନ ଅବସମ୍ଭାବୀ।

author-image
Chandan Shishu
ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

ୟୁକ୍ରେନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବେ କି ପୁଟିନ? ସମ୍ମୁଖ ଯୁଦ୍ଧରେ ପ୍ରଭାବ ପାଇବା ପରେ ପୁଟିନ୍ ଚରମ ପଦକ୍ଷେପ ନେବା ଆଶଙ୍କା ବଢିଛି। ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ରାଷ୍ଟ୍ରପତି ପୁଟିନ। ଶକ୍ତିଶାଳୀ ଋଷ ସେନା ଆଗରେ ୟୁକ୍ରେନ ବେଶୀ ଦିନ ତିଷ୍ଠି ପାରିବ ନାହିଁ ବୋଲି ଅନୁମାନ କରାଯାଉଥିଲା। ଯୁଦ୍ଧର ପ୍ରଥମ କିଛି ଦିନ ଋଷ ପକ୍ଷରୁ ପ୍ରଚଣ୍ଡ କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ କରାଯାଇଥିଲା।

Advertisment

ସେହିପରି ବିରାଟ ପଟୁଆରରେ କିଭ୍ ଦଖଲ ଲାଗି ଅଗ୍ରସର ହୋଇଥିଲା ଋଷ ସେନା। ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍‌ର ପତନ ଅବସମ୍ଭାବୀ। ତେବେ ସଂଖ୍ୟା ଓ ସାମର୍ଥ୍ୟ ତୁଳନାରେ ଅତି ନଗଣ୍ୟ ୟୁକ୍ରେନ ସେନା ଜବରଦସ୍ତ ଜବାବ ଦେଇଥିଲା। ଖାସ କରି ରାଷ୍ଟ୍ରପତି ଜେଲେନ୍‌ସ୍କି ପଳାୟନ ନକରି ରାଜଧାନୀ କିଭ୍‌ରେ ରହିବା ସହ ନିଜେ କଂବାଟ ଗିୟର ପରିଧାନ କରିଥିଲେ, ଯାହା ସୈନ୍ୟଙ୍କ ମନୋବଳ ବଢାଇବା ସହ ଦେଶକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ଲାଗି ୟୁକ୍ରେନର ସାଧାରଣ ଜନତାଙ୍କୁ ପ୍ରବର୍ତ୍ତାଇ ଥିଲା।

ହଜାର ହଜାର ସଂଖ୍ୟାରେ ୟୁକ୍ରେନ ଯୁବକଯୁବତୀ ସୈନ୍ୟଙ୍କ ସହ ମିଶି ଋଷ ସେନାର ମୁକାବିଲା କରିଥିଲେ। ଅନ୍ୟପକ୍ଷରେ ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ୟୁକ୍ରେନକୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ ଯାହାକି ଋଷ ସେନା ପାଇଁ ଘାତକ ହୋଇଥିଲା। ଋଷ ସୈନ୍ୟ କବଜା କରିଥିବା ବିଭିନ୍ନ ସହରରେ ଜବରଦସ୍ତ ପ୍ରତିଆକ୍ରମଣ କରିଥିଲେ ୟୁକ୍ରେନ ସୈନ୍ୟ।

Advertisment

ଖାସ୍ କରି ପଶ୍ଚିମୀ ଦେଶ ଯୋଗାଇ ଦେଇଥିବା ହାଲୁକା କ୍ଷେପଣାସ୍ତ୍ର ବ୍ୟବହାର କରି ଶହ ଶହ ସଂଖ୍ୟାରେ ଋଷୀୟ ଟ୍ୟାଙ୍କ, ଯୁଦ୍ଧ ଗାଡି ଓ ତୋପ ଭଳି ଭାରି ଅସ୍ତ୍ରଶସ୍ତ୍ରକୁ ଧ୍ୱଂସ କରିଦେଇଥିଲା ୟୁକ୍ରେନ ସେନା। ବିମାନ ଆକ୍ରମଣ ସମ୍ଭବ ନଥିବାରୁ ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିଲେ ଋଷ ସୈନ୍ୟ। ଅନ୍ୟପକ୍ଷରେ ଋଷ ସୈନ୍ୟ ୟୁକ୍ରେନର ବିଭିନ୍ନ ସହରରୁ ହଟିଯିବା ପରେ ସୁଯୋଗ ଦେଖି ପ୍ରତି ଆକ୍ରମଣ କରିବାକୁ ବି ପଛାଇ ନାହିଁ ୟୁକ୍ରେନ।

ନେପଚୁନ୍ କ୍ଷେପଣାସ୍ତ୍ର ମାଡ କରି କୃଷ୍ଣ ସାଗରରେ ମୁତୟନ ଋଷର ପ୍ରମୁଖ ଯୁଦ୍ଧ ଜାହାଜ ମସ୍କଭାକୁ ବୁଡାଇ ଦେବା ୟୁକ୍ରେନର ଏକ ବୃହତ ସଫଳତା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହାକୁ ଋଷ ରାଷ୍ଟ୍ରପତି ପୁତିନଙ୍କ ଲାଗି ଏକ ମସ୍ତବଡ଼ ଧକ୍କା ଭାବେ ବିବେଚନା କରାଯାଉଛି ଯାହାକି ତାଙ୍କ ଲାଗି କଟା ଘାରେ ଚୂନ ଭଳି ହୋଇଛି। ଏହି ଘଟଣା ପରେ ପୁଟିନ୍ ରକ୍ତଚାଉଳ ଚୋବାଉ ଥିବେ ସେଥିରେ ଆଦୌ ସନ୍ଦେହ ନାହିଁ। ତେଣୁ ସେ କିଛି ଚରମ ପଦକ୍ଷେପ ନେବା ଆଶଙ୍କା ବଢିଯାଇଛି। ତା ଭିତରୁ ପ୍ରମୁଖ ହେଉଛି ପରମାଣୁ ଅସ୍ତ୍ର ବ୍ୟବହାର।

ରିପୋର୍ଟ: ପ୍ରସନ୍ନ କୁମାର ସାହୁ

Russia Ukraine Crisis Ukraine Crisis Ukraine Russia War Russia-Ukraine War
Advertisment
Advertisment