Advertisment

ଆତଙ୍କ ଖେଳାଇଲା ପେଜର ବୋମା, ମୋବାଇଲ ଯୁଗରେ ପେଜର ମାଧ୍ୟମରେ ବିସ୍ଫୋରଣ କାହିଁକି ?

କେବଳ ଲେବାନନ ନୁହେଁ ଇରାନରେ ମଧ୍ୟ ଏକାଧିକ ପେଜର ବ୍ଲାଷ୍ଟ ହୋଇଛି । ଏଭଳି ସିରିଜ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି ।

author-image
Santosh Kumar Sahoo
Pager Blast

Pager Blast

ପୁଣି ଚର୍ଚ୍ଚାରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ । ଶତ୍ରୁପକ୍ଷଙ୍କୁ କଡ଼ା ଜବାବ ଦେବାରେ ମାହିର ମୋସାଦ ଆକ୍ରମଣ ପାଇଁ ନୂଆ ନୂଆ ତରିକା ବ୍ୟବହାର କରେ ବୋଲି ସାରା ବିଶ୍ବ ଜାଣିଛି । ହେଲେ ଏଥର ଯେଉଁ ପ୍ରକାରରେ ଆକ୍ରମଣ ହୋଇଛି, ସେକଥା ଭାବିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେହି କେବେ ଭାବିନଥିବେ ପକେଟରେ ଥିବା ଛୋଟ ପେଜର କେତେ ଘାତକ ହୋଇପାରେ । ଲେବାନନରେ ଏଭଳି ଖବର ସାରା ବିଶ୍ବକୁ ସ୍ତବ୍ଦ କରି ଦେଇଛି । ଏକାସାଙ୍ଗରେ ହଜାର ହଜାର ପେଜର ବିସ୍ଫୋରଣ ହୋଇଛି । ହିଜବୁଲା ଆତଙ୍କୀଙ୍କୁ ଟାର୍ଗେଟ କରିବାକୁ ଯାଇ ପେଜରକୁ ବ୍ଲାଷ୍ଟ କରାଯାଇଛି। ଏବେ ସୁଦ୍ଧା ୧୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଗୁରୁତର ହୋଇଛନ୍ତି। ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Advertisment

କେବଳ ଲେବାନନ ନୁହେଁ ଇରାନରେ ମଧ୍ୟ ଏକାଧିକ ପେଜର ବ୍ଲାଷ୍ଟ ହୋଇଛି । ଏଭଳି ସିରିଜ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଅନୁସାରେ ତାଇୱାନରୁ ଲେବାନନ ଆସୁଥିବା ୫ ହଜାର ପେଜରକୁ ତିଆରି ସମୟରେ ମୋସାଦ କିଛି ମୋଡିଫାଏ କରିଥିଲା । ଯାହାକୁ ବିସ୍ଫୋରଣ କରିବା ପାଇଁ ବ୍ୟବହାର କରିଛି । କେବେଠୁ ଏହି ଯୋଜନା ଚାଲିଥିଲା। କେମିତି କିପରି ଜାଣିପାରିଲେନି ତାହା ଏବେ ଚର୍ଚ୍ଚାର ବିଷୟ ।

ସବୁ ପେଜରରେ କିଛି କିଛି ବିସ୍ପୋରକ ସାମଗ୍ରୀ ରଖାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ପେଜର ବିସ୍ଫୋରଣରେ ଲେବାନନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ବି ଆହତ ହୋଇଛନ୍ତି । ଏହାପରେ ଲେବାନନରେ ହାଇଆଲର୍ଟ ଜାରି କରିଦିଆଯାଇଛି। ଲୋକଙ୍କୁ ପେଜର ବ୍ୟବହାର ନକରିବାକୁ କୁହାଯାଇଛି । ବିସ୍ଫୋରଣ ପାଇଁ ଲେବାନନ ପକ୍ଷରୁ ଇସ୍ରାଏଲକୁ ଦାୟୀ କରାଯାଇଥିବା ବେଳେ ଆଗକୁ ଦୃଢ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି। ଏଭଳି ଆକ୍ରମଣ ପାଇଁ ଇସ୍ରାଏଲ ବଡ଼ କ୍ଷତି ସହିବ ବୋଲି ହିଜବୁଲ ପକ୍ଷରୁ କୁହାଯାଇଛି।

Advertisment

ତେବେ କ’ଣ ଏହି ପେଜର । ପେଜର ଦ୍ବାରା ଏତେ ବଡ଼ ଅଘଟଣ ଘଟାଇବା କ’ଣ ସମ୍ଭବ । ମୋବାଇଲ ଯୁଗରେ ପେଜର ମାଧ୍ୟମରେ ବିସ୍ଫୋରଣ କାହିଁକି। ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ରେଡିଓ ସିଗନାଲ୍ ଦ୍ବାରା ଏହା ମେସେଜ୍ ରିସିଭ୍ କରିଥାଏ । ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା। ୧୯୮୦ ଏବଂ ୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା । ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ।

ପେଜରରେ ଦୁଇ ପ୍ରକାରର ସର୍ଟ ମେସେଜ ରିସିଭ କରିହୁଏ । ଗୋଟିଏ ହେଲା ନ୍ୟୁମରିକ ଏବଂ ଅନ୍ୟଟି ଆଲ୍ଫାନ୍ୟୁମରିକ । ମୋବାଇଲ ବ୍ୟବହାର ପୂର୍ବରୁ ଏହାକୁ ବ୍ୟାପକ ମାତ୍ରାରେ ବ୍ୟବହାର କରାଯାଉଥିଲା। ବଡ଼ କଥା ହେଲା ନେଟୱାର୍କ ନଥିବା ଅଞ୍ଚଳରେ ମଧ୍ୟ ଏହା ମାଧ୍ୟମରେ ବାର୍ତ୍ତା ରିସିଭ କରିହେଉଥିଲା।

୧୯୪୯ ମସିହାରେ ଆମେରିକାର ଆଲଫ୍ରେଡ ଗ୍ରୋସ ପ୍ରଥମେ ପେଜରର ଉଦଭାବନ କରିଥିଲେ । ସେତେବେଳେ ୪୦ କିଲୋମିଟର ରେଞ୍ଜରେ ମେସେଜ ପଠାଇବା ସମ୍ଭବ ହୋଇପାରୁଥିଲା। ପରେ ପରେ ଘରୋଇ କମ୍ପାନୀ ମୋଟୋରୋଲା ପକ୍ଷରୁ ପେଜର ତିଆରି ଜୋରଦାର ହୋଇଥିଲା। ଏହି ଛୋଟ ପେଜରରେ ଛୋଟ ଛୋଟ ମେସେଜ ରିସିଭ କରିବା ପାଇଁ କାମରେ ଆସୁଥିଲା। ଏଥିରେ ବେଶି ସୁଇଚ ମଧ୍ୟ ନାହିଁ। ଅଲ୍ଫ କିଛି ସୁଇଚରେ ପେଜର ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆଣିଥିଲା ବୋଲି କହିପାରିବା।

୧୯୯୪ର ଏକ ରିପୋର୍ଟ ଅନୁସାରେ ସାରା ବିଶ୍ବରରେ ସେତେବେଳେ ୬ କୋଟିରୁ ଅଧିକ ଲୋକ ପେଜର ବ୍ୟବହାର କରୁଥିଲେ। ୧୯୯୦ ବେଳକୁ ଏହି ପେଜରର ଯାଗା ନେବା ଆରମ୍ଭ କରିଥିଲା ମୋବାଇଲ ଫୋନ । ପେଜର ଅପେକ୍ଷା ମୋବାଇଲରେ ଥିବା ସୁବିଧା ଯୋଗୁଁ ଲୋକେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର ଆରମ୍ଭ କଲେ । ଏହାପରେ ଧିରେ ଧିରେ ପେଜର ବ୍ୟବହାରକାରୀଙ୍କ ସଂଖ୍ୟା କମିବାରେ ଲାଗିଥିଲା ।

Israel
Advertisment
Advertisment