• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆକ୍ରମଣର ୧୯ ଦିନରେ ଆହୁରି ତୀବ୍ର ହୋଇଛି ଋଷର ମିଶନ୍ କିଭ୍ । ବିମାନ ଫ୍ୟାକ୍‌ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି । ତେଣେ ମାରିଉପୋଲରେ ଋଷ ସେନା ୨୫ ଶହ ସାଧାରଣ ଲୋକଙ୍କ ଜୀବନ ନେଇଥିବା ୟୁକ୍ରେନ୍ ଦାବି କରିଛି । ଏଭଳି ଯୁଦ୍ଧ ବିଭୀଷିକା ଭିତରେ ଆଜି ଚତୁର୍ଥ ଥର ପାଇଁ ପୁଣି ପରସ୍ପର ସହ ଆଲୋଚନା କରିଛନ୍ତି ଋଷ ଓ ୟୁକ୍ରେନ୍‌ ପ୍ରତିନିଧି ଦଳ ।

ୟୁକ୍ରେନ୍‌ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଥିବା ବେଳେ, କିଭ୍ ସହର ଭିତରେ ଏବଂ ଉପକଣ୍ଠସ୍ଥ ଇର୍ପିନ୍, ବୁକା ଓ ହୋଷ୍ଟୋମେଲ୍ ଆଦି ଅଞ୍ଚଳରେ ଘନଘନ ବୋମାବର୍ଷଣ ଜାରି ରହିଛି । କିଭ୍ ଓ ବୋଲୋନ୍ ନିକଟସ୍ଥ ଏହି ଆପାର୍ଟମେଣ୍ଟ ରୁଷୀୟ ଆକ୍ରମଣର ଶିକାର ହେବା ଫଳରେ ଜଣଙ୍କ ଜୀବନ ଯାଇଛି, ୩ ଜଣ ଆହତ ହୋଇଛନ୍ତି ।

କିଭ୍ ସ୍ଥିତ ଆଣ୍ଟାନୋଭ୍ ବିମାନ କାରଖାନା ଉପରେ ବି ଆକ୍ରମଣ ହୋଇଛି । ଏଥିସହ କିଭ୍ ରେଳଷ୍ଟେସନରେ ମଧ୍ୟ ଏକାଧିକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । କିଭ୍ ସମେତ ଦେଶର ବିଭିନ୍ନ ସହରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୧୦ଟି ନୂଆ କରିଡର୍ ଖୋଲିବାକୁ ଉଭୟ ପକ୍ଷରୁ ସହମତି ହୋଇଥିବା ବେଳେ ମାରିଉପୋଲ ପାଇଁ ଗୋଟିଏ ବି କରିଡର୍ ଖୋଲାଯାଇପାରି ନାହିଁ । ତେଣେ ମାରିଉପୋଲରେ ଋଷୀ ଆକ୍ରମଣରେ ୨୫ଶହ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି ୟୁକ୍ରେନ୍ ।

କେବଳ ବିଭିନ୍ନ ସହର ଅକ୍ତିଆର ନୁହେଁ, ୟୁକ୍ରେନ୍‌କୁ ଦୁର୍ବଳ କରିବା ପାଇଁ ବ୍ଲାକ୍ ସି ତଟକୁ କବ୍‌ଜାକୁ ନେଇଛି ଋଷ । ଫଳରେ ୟୁକ୍ରେନ୍‌ର ନୌବାଣିଜ୍ୟ ଠପ୍ ପଡ଼ିଛି ବୋଲି ବ୍ରିଟିଶ୍ ପ୍ରତିରକ୍ଷା ବିଭାଗ କହିଛି । ଏଣେ ଧ୍ୱଂସଲୀଳା ଭିତରେ ଜାରି ରହିଛି କଥାବାର୍ତ୍ତା । ଆଜି ଭିଡିଓ କନ୍‌ଫରେନ୍ସ ଜରିଆରେ ପରସ୍ପର ସହ ଆଲୋଚନା କରିଛନ୍ତି ଋଷ ଓ ୟୁକ୍ରେନ୍ ପ୍ରତିନିଧି ଦଳ । ଫୋକସ୍‌ରେ ଥିଲା ଯୁଦ୍ଧ ବିରତି ଓ ଋଷର ସୈନ୍ୟ ପ୍ରତ୍ୟାହାର । ତେବେ ଏଥର ବି ସେଭଳି କୌଣସି ଠୋସ୍ ନିଷ୍କର୍ସ ବାହାରିବା ଆଶା କ୍ଷୀଣ । ସେପଟେ ଆଜି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କିଭ୍‌ରେ ଚିକିତ୍ସାଧୀନ ଥିବା ଆହତ ସୈନିକଙ୍କୁ ଭେଟି ବୀରତା ମେଡାଲ୍ ପ୍ରଦାନ କରିଛନ୍ତି । ସେ କହିଛନ୍ତି ସେମାନେ ଏମାନେ ୟୁକ୍ରେନ୍‌ର ହିରୋ ।

ଗତକାଲି ପୋଲାଣ୍ଡ ସୀମାବର୍ତ୍ତୀ ୟୁକ୍ରେନୀୟ ସହର ଲିଭିଭ୍‌ରେ ଋଷୀୟ ଏୟାରଷ୍ଟ୍ରାଇକ୍ ୩୫ ଜଣଙ୍କ ଜୀବନ ନେବା ପରେ ନାଟୋକୁ ପୁଣି ଚେତାଇଛନ୍ତି ଜେଲେନ୍‌ସ୍କି । ୟୁକ୍ରେନକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା ନକଲେ ଆଗାମୀ ଦିନରେ ଋଷିଆ ରକେଟ୍ ନାଟୋ ସଦସ୍ୟ ରାଷ୍ଟ୍ର ଉପରେ ପଡ଼ିବ ବୋଲି ସେ କହିଛନ୍ତି । ଏଣେ ଋଷ ଉପରେ ବିଭିନ୍ନ ଦେଶ କଟକଣା ଲଗାଇଥିବା ବେଳେ, ଭାରତ ରିହାତି ଦରରେ ଋଷୀୟ ତୈଳ ଓ ସାମଗ୍ରୀ କିଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।