ମାଟ୍ରିକ ପରୀକ୍ଷାକୁ ଜୀବନ ଯୁଦ୍ଧର ପ୍ରଥମ ସୋପାନର ପ୍ରଥମ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କୁହାଯାଏ । ଆଜିଠୁ କଡ଼ା ସୁରକ୍ଷା ବନ୍ଦୋବସ୍ତରେ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ପେପର ଲିକ୍ ଓ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ଏଥର ନୂଆ ବ୍ୟବସ୍ଥାରେ ପରୀକ୍ଷା ହୋଇଛି । ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି ।
ଆଜି ଛାତ୍ର ଛାତ୍ରୀଙ୍କ ମନରେ ଜୀବନର ପ୍ରଥମ ବଡ଼ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡର ସହ ମନରେ ଉତ୍ସାହ-ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ, ପ୍ରାୟ ଅଧିକାଂଶ ଛାତ୍ରଙ୍କ ମୁହଁରେ ଡର ବଦଳରେ ଖୁସି ଦେଖିବାକୁ ମିଳିଥିଲା । ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବା ପରେ ପରୀକ୍ଷାର୍ଥୀ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ଏଭଳି ଅନୁଭବ ସହ ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି ।
Also Read
ପେପର ଲିକ୍ ଓ ପ୍ରଶ୍ନପତ୍ର ଭାଇରାଲ୍ ଭଳି ଅଭିଯୋଗ ପରେ ଏଥର ପରୀକ୍ଷା ନୂଆ ବ୍ୟବସ୍ଥାରେ ହୋଇଛି । ସବୁ ପ୍ରଶ୍ନପତ୍ରର ପ୍ରତିଟି ପୃଷ୍ଠାରେ ରହିଛି ସିରିଏଲ୍ ନମ୍ବର,ୱାଟର ମାର୍କ ଓ ଡାଇନାମିକ୍ କ୍ୟୁଆର୍ କୋଡ୍ । ଖାଲି ସେତିକି ନୁହେଁ, ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ ଏବଂ ସ୍ବଚ୍ଛ କରିବାକୁ ଏଥର ୩୧୪ ନୋଡାଲ୍ ସେଣ୍ଟର ସମେତ ୬ ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂର ବ୍ୟବସ୍ଥା ହୋଇଛି । ଯାହା ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରିତ ହୋଇଛି । ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋର୍ଡ ବ୍ୟବସ୍ଥାକୁ ପିଲା ସ୍ବାଗତ କରିଛନ୍ତି ।
ଅପରପକ୍ଷେ ବୋର୍ଡ ସଭାପତି କହିଛନ୍ତି ସବୁଠି ସୁରୁଖୁରୁରେ ପରୀକ୍ଷା ହୋଇଥିବାରୁ ଏହାର ଉପଯୋଗର ଆବଶ୍ୟକତା ପଡ଼ି ନାହିଁ । ମାଟ୍ରିକ୍ ପରୀକ୍ଷାକୁ ଯଥାସମ୍ଭବ ଶୃଙ୍ଖଳିତ କରିବାକୁ ବୋର୍ଡର ନୂଆ ବ୍ୟବସ୍ଥା ସହ ଏଥର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା କେନ୍ଦ୍ର ବୁଲିବା ସହ ପରିଚାଳନାର ତଦାରଖ କରିଥିଲେ । କ୍ୟାପିଟାଲ୍ ହାଇସ୍କୁଲ କେନ୍ଦ୍ର ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି ପରୀକ୍ଷା ଠିକ୍ ଚାଲିଛି ।
ଏସବୁ ଭିତରେ ଏକ ଦୁଃଖଦ ଘଟଣା ଘଟିଛି । ପରୀକ୍ଷା ଦେବାକୁ ଘରୁ ବାହାରିବା ବେଳେ ହଠାତ୍ ଅସୁସ୍ଥ ହୋଇ ଟଳି ପଡ଼ିଥିବା ଜଣେ ଛାତ୍ରଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ବାହାନଗା ବ୍ଲକ୍ ବାରିପଦାରେ ଘଟିଛି । ସେହିପରି କେନ୍ଦ୍ରପଡ଼ା ଡାଙ୍ଗମାଳ କୃଷ୍ଣନଗରରେ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ପିଲା ଆହତ ହୋଇଛନ୍ତି । ମାଟ୍ରିକ୍ ସମେତ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ପାଇଁ ଆଜିଠୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।