/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647335578.jpg)
Subash Singh
କଟକ ସହରରେ ସୁବାସ ସିଂହଙ୍କର ପରିଚୟ ହେଉଛି ସେ ଜଣେ ଶ୍ରମିକ ନେତା । ସେ ବସ୍ତିବାସିନ୍ଦାଙ୍କ ନେତା, ସେ ଉଠାଦେକାନୀଙ୍କ ନେତା, ସେ ଅଟୋଚାଳକ ମହାସଂଘର ନେତା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ।
୨୦୧୩ ମସିହାରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ତା ପୂର୍ବରୁ ସେ ସିପିଏମର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଓ ସିଟୁର ଉପସଭାପତି ଥିଲେ । ବିଜେଡିରେ ଯୋଗଦେବା ପରେ ସେ ଦଳର କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ବିଜେଡି ସରକାରରେ ତାଙ୍କୁ ଦୁଇ ଥର ଓଡିଶା ବିଲଡିଂ ଆଣ୍ଡ ଅଦର କନଷ୍ଟ୍ରକସନ ୱାର୍କରସ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ କରାଯାଇଛି । ବିଜେଡିର ଶ୍ରମିକ ସଂଗଠନ ବିଜୁ ଶ୍ରମିକ ସାମ୍ମୁଖ୍ୟର ସେ ସାଧାରଣ ସଂପାଦକ ମଧ୍ୟ ଅଛନ୍ତି । ୨୦୨୦ ମସିହା ମାର୍ଚ୍ଚ ମାସରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଏବେ ବିଜେଡିର ଜାତୀୟ ମୁଖପାତ୍ର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
କେନ୍ଦ୍ରାପଡା ଜିଲ୍ଲାରେ ୧୯୬୦ ମସିହାରେ ସୁବାସଙ୍କ ଜନ୍ମ । ତେବେ କଟକ ସହର ହେଉଛି ତାଙ୍କର କର୍ମଭୂମି । କଟକର କାଳୀଗଳିରେ ତାଙ୍କ ଘର । ତାଙ୍କ ପତ୍ନୀ ବୃତ୍ତିରେ ଜଣେ ହୋମିଓପ୍ୟାଥିକ ଡାକ୍ତର । କଟକ ସହରରେ ବିଭିନ୍ନ ସମସ୍ୟାକୁ ନେଇ ସେ ସବୁବେଳେ ଆନ୍ଦୋଳନ କରୁଥିଲେ । କଟକରୁ ବିଭିନ୍ନ ସରକାରୀ ଅଫିସ ଉଠିଯାଉଥିବା ବେଳେ ସେ ବିଜେଡି ସରକାରଙ୍କ ବିରୋଧରେ ଆନ୍ଦୋଳନ ଗଢି ତୋଳିଥିଲେ ।
୨୦୦୬ ମସିହାରେ କଟକ ବଞ୍ଚାଅ କମିଟି ଗଠନ କରି ତାର ସଭାପତି ହୋଇ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି ଆନ୍ଦୋଳନକୁ ତୀବ୍ର କରିଥିଲେ । ବସ୍ତିବାସିନ୍ଦାଙ୍କ ଦାବି ନେଇ ସେ ୨୦୧୧ ମସିହାରେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଦୀର୍ଘ ଦିନ ଧରି ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ସେ ଭଲ ହୋଇଥିଲେ । ଏହା ପରେ ତାଙ୍କର ଆନ୍ଦୋଳନ ପ୍ରାୟତଃ ବନ୍ଦ ହୋଇଯାଇଥିଲା ।
୨୦୧୩ ମସିହାରେ ସେ ସିପିଏମ୍ ଛାଡି ଶାସକ ଦଳ ବିଜେଡିରେ ମିଶିଥିଲେ । ଲାଲ୍ ଝଣ୍ଡା ଛାଡି ଧରିଥିଲେ ସବୁଜ ପତାକା । ଦଳ ହାଇକମାଣ୍ଡଙ୍କ ପ୍ରିୟପାତ୍ର ହୋଇଯାଇଥିଲେ ସୁବାସ ସିଂହ । ଏବେ ସେ ବିଜେଡିରେ ଜଣେ ଆଗଧାଡିର ନେତା । ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସରିନଥିବା ବେଳେ ଏବେ ବିଜେଡି ତାଙ୍କୁ ମେୟର ପ୍ରାର୍ଥୀ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)