• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ମହାନଗର ନିଗମରେ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ହୋଇଛନ୍ତି ଗିରିବାଳା ବେହେରା । ସେ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନରୋତ୍ତମ ବେହେରାଙ୍କ ଝିଅ । ଗିରିବାଳା ଏବେ କଟକ ସିଡିଏରେ ରହୁଛନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡା । ତାଙ୍କର ଜନ୍ମ ୧୯୬୨ ମସିହାରେ ହୋଇଥିଲା । ସେ ବୃତ୍ତିରେ ଜଣେ ଆଇନ୍‌ଜୀବୀ । ସେ ଅନେକ ଏନଜିଓ ସହ ମଧ୍ୟ ଜଡ଼ିତ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏମଏ ଏଲଏଲବି ।

ସେ ଏବେ କଟକ ନଗର କଂଗ୍ରେସ କମିଟିର ସଭାନେତ୍ରୀ ଅଛନ୍ତି । ଏହା ପୂର୍ବରୁ ସେ କଟକ ନଗର ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ । ୨୦୧୫ ମସିହାରେ ଗିରିବାଳା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦିକା ହୋଇଥିଲେ । ସେ କଟକ ମହାନଗର ନିଗମର ଜଣେ ପୂର୍ବତନ କର୍ପୋରେଟର । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ୪ ନମ୍ୱର ୱାର୍ଡର କର୍ପୋରେଟର ଥିଲେ ଓ କଂଗ୍ରେସ କର୍ପୋରେଟର ମାନଙ୍କର ନେତ୍ରୀ ଥିଲେ । ସେ ଏବେ ଆଇଏନଟିୟୁସି ଓଡିଶା ଶାଖାର ଯୁଗ୍ମ ସଂପାଦିକା ଅଛନ୍ତି । ସେ କଟକସ୍ଥିତ ଦ ଲଅ’ କଲେଜର ଗଭର୍ଣ୍ଣିଂ ବଡି ସଦସ୍ୟା ମଧ୍ୟ ରହିଛନ୍ତି । ତାଙ୍କ ମାଲିକାନାରେ ଏକ ଆପାରେଲ୍ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ରହିଛି ।

କଲେଜରେ ପାଠ ପଢୁଥିବା ବେଳେ ସେ ଛାତ୍ର ରାଜନୀତି ସହ ଜଡିତ ଥିଲେ । ସେ ରେଭେନ୍ସା କଲେଜ ଛାତ୍ର ସଂସଦର ଯୁଗ୍ମ ସଂପାଦିକା ଥିଲେ । ସେ ଛାତ୍ର କଂଗ୍ରେସର ଜଣେ ସକ୍ରିୟ ସଭ୍ୟା ଥିଲେ । ବିଭିନ୍ନ ନିର୍ବାଚନରେ ସେ କଂଗ୍ରେସ ଦଳ ପାଇଁ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି । ସେ ସମାଜସେବା ସହ ଓକିଲାତି ବି କରନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଓଡିଶା ହାଇକୋର୍ଟର ଜଣେ ଓକିଲ ।

ଗିରିବାଳା କଟକ ସହରର ବିଭିନ୍ନ ସମସ୍ୟା ଓ ମହାନଗର ନିଗମର ବିଭିନ୍ନ ଦୁର୍ନୀତି ନେଇ ଆନ୍ଦୋଳନ କରିଛନ୍ତି । ବିଭିନ୍ନ ସମସ୍ୟାରେ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ସେ ହାଇକୋର୍ଟରେ ବହୁ ଜନସ୍ୱାର୍ଥ ସମ୍ୱଳିତ ମାମଲା ରୁଜୁ କରିଛନ୍ତି । କଟକ ସହରରେ ଚାଲିଥିବା ବେଆଇନ ମଦ କାରବାର ବିରୋଧୀ ଆନ୍ଦୋଳନର ସେ ନେତୃତ୍ୱ ନେଇଥିଲେ । ସେ ନିଶା ନିବାରଣ କ୍ଷେତ୍ରରେ ଅନେକ କାମ କରିଛନ୍ତି । ତାଙ୍କ ବଡ଼ ଭଉଣୀ ହେଉଛନ୍ତି ଏନଜିଓ ବସୁନ୍ଧରାର ପ୍ରତିଷ୍ଠାତା ଶୈଳ ବେହେରା ଓ ବଡ ଭାଇ ହେଉଛନ୍ତି ଏନଜିଓ ପ୍ରୋଜେକ୍ଟ ସ୍ୱରାଜ୍ୟର ପ୍ରତିଷ୍ଠାତା ଚିତ୍ତ ବେହେରା । ତାଙ୍କ ପରିବାର ଗୋଟିଏ ସମାଜସେବୀ ପରିବାର ଭାବେ ଜଣାଶୁଣା ।