• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ସନ୍ଧ୍ୟା ପାଖାପାଖି ୮:୪୫; ମୁଁ କାଜୁଆଲ୍‌ଟିରେ ବସି ଘଣ୍ଟାକୁ ଚାହିଁ ଭାବିଲି ଆହୁରି ପନ୍ଦର ମିନିଟ୍! ଆଉ ମୋ ପରେ ଡ୍ୟୁଟି ପାଇଁ ଆସିବାକୁ ଥିବା ଡାକ୍ତରଙ୍କ ପାଖକୁ ଫୋନ୍ ଲଗାଇଲି୍। ଦୁନିଆରେ ସବୁ ସମୟରେ, ସବୁ ବୟସରେ, ସବୁ ପ୍ରଫେସନ୍‌ରେ ବୋଧେ ସେଇ ଏକା କଥା, ଘରକୁ ଫେରିବା ସମୟଟା ପାଖେଇ ଆସିଲେ ମନଟା ବେଶୀ ବେଶୀ ଅଧୈର୍ଯ୍ୟ ହେବାକୁ ଲାଗ। ଅଭ୍ୟାସଟା ବୋଧେ ସ୍କୁଲ୍‌ ଦିନଗୁଡିକରୁ ଆରମ୍ଭହୋଇ ଶେଷ ପର୍ଯ୍ୟନ୍ତ ଚାଲିଥାଏ। ହେଲେ ମୋ ଫୋନ୍‌ଟା ଲାଗିବା ପୂର୍ବରୁ ହିଁ ସିକ୍ୟୁରିଟି ଗାର୍ଡ କାଜୁଆଲ୍‌ଟି ଗେଟ୍ ଖୋଲି ଜଣେ ମଧ୍ୟ ବୟସ୍କ ମହିଳାଙ୍କ ସହ ଜଣେ ୧୬-୧୭ ବର୍ଷ ବୟସର ପିଲାଟିକୁ ଧରି ଭିତରକୁ ପଶି ଆସିଲେ । ମୁଁ ଫୋନ୍ ରିଙ୍ଗ୍ ହେବା ପୂର୍ବରୁ ହିଁ କାଟିଦେଲି। ଭାବିଲି ବୋଧେ ମା-ପୁଅଙ୍କର ବାଇକ୍ ଦୁର୍ଘଟଣା ହୋଇଛି ଆଉ ପିଲାଟିର ଗୋଡରେ ଆଘାତ ଲାଗିଛି । ମୁଁ ଚେୟାରରୁ ଉଠି ବେଡ୍ ପାଖରେ ପହଞ୍ଚିବା ଭିତରେ ପଚାରିଲି “କ’ଣ ଅସୁବିଧା ହୋଇଛି?”

ମହିଳା ଜଣକ ଉତ୍ତର ଦେଲେ “ଚେଷ୍ଟ ପେନ୍ ।” କିଛି ମୂହୁର୍ତ୍ତ ପରେ ପୁଣି କହିଲେ, “ସକାଳୁ କିଛି ଖାଇ ନ ଥିଲା । ୧୨ଟା ପାଖାପାଖି ବସି ନିଜ ସାର୍ଟ-ପ୍ୟାଣ୍ଟ ଆଇରନ୍ କରୁ କରୁ କହିଲା— ଛାତିଟା କାଟୁଚି ଆଉ ବାନ୍ତି ଲାଗୁଚି । ସବୁବେଳେ ୟାଡୁ-ସ୍ୟାଡୁ ଫାଷ୍ଟ୍‌ ଫୁଡ୍‌ ଖାଇ ପେଟ ଖରାପ କରୁଚି । ଘରେ ଆଣ୍ଟାସିଡ୍‌ ଥିଲା ଦେଇଥିଲି, ଟିକେ ଖାଇ ଶୋଇଥିଲା । ହେଲେ ସନ୍ଧ୍ୟାରୁ ପୁଣି କହୁଚି ଛାତି କାଟୁଚି ।” ପିଲାଟି ମୋ ହାତକୁ ଯୋରରେ ଭିଡିଧରି କହିଲା, “ଭାରି ଅଣନିଶ୍ୱାସି ଲାଗୁଛି ଆଉ ବାନ୍ତି ବି ।” ପିଲାଟି ସେତେବେଳକୁ ଝାଳରେ ବୁଡିଗଲାଣି, ମୁଁ ତା’ ପିଠିଟା ଆଉଁସି ଦେଇ କହିଲି, “ହଉ ବ୍ୟସ୍ତ ହୁଅନି ।”

ଜଣେ ସିଷ୍ଟର୍‌ଙ୍କୁ ଆବଶ୍ୟକ ଇଞ୍ଜେକ୍ସନ୍ ଦେବାକୁ କହି, ଆଉ ଜଣେ ସିଷ୍ଟର୍‌ଙ୍କୁ ଇସିଜିଟେ କରିବାକୁ କହିଲି ଏବଂ ନିଜେ ପିଲାଟିର ଜିଭ ତଳେ ସର୍ବିଟ୍ରେଟ୍(୫) ର ଗୋଟେ ଟାବ୍‌ଲେଟ ରଖିଦେଲି । ଇସିଜି କଥା ଶୁଣି ମହିଳା ଜଣକ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିବାର ଦେଖି କହିଲି, “ବ୍ୟସ୍ତ ହୁଅନ୍ତୁନି । ଏସିଡିଟି ପାଇଁ ଏମିତି ହେଇଥାଇ ପାରେ । ହେଲେ ସବୁ ଲକ୍ଷଣ ଦେଖିଲେ ଆନ୍‌ଜାଇନା ହାର୍ଟ ଆଟାକ୍ ପରି ଲାଗୁଚି ।”

ଇସିଜିଟା ଦେଖି ମୋତେ ବି ଟିକେ ଆଶ୍ଚର୍ଯ୍ୟ ଲାଗିଲା, ସିଷ୍ଟର୍‌ଙ୍କୁ ଆଉଗୋଟେ ଇସିଜି ପାଇଁ କହିଲି, କାରଣ ସେଥିରେ ଆକ୍ୟୁଟ୍ ମାୟୋକାର୍ଡିଆଲ୍ ଇନ୍‌ଫାରକ୍ସନ୍ (ହାର୍ଟ ଆଟାକ୍) ବୋଲି ସ୍ପଷ୍ଟ ଜଣା ପଡୁଥାଏ । ଦ୍ୱିତୀୟ ଇସିଜି ଦେଖି ପିଲାଟିକୁ ଆଇସିୟୁ ସିଫ୍ଟ କରି, କାର୍ଡିଓଲୋଜିଷ୍ଟ୍‌ଙ୍କୁ କଲ୍ ଦେଲି । ସେତେବେଳକୁ ପିଲାଟିର ଅନ୍ୟ କେତେଜଣ ଆତ୍ମୀୟ ମଧ୍ୟ ଆସି ପହଞ୍ଚି ସାରିଥାନ୍ତି । ସେମାନେ ବି ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି । ସମସ୍ତଙ୍କ ଆଖିରେ ଗୋଟିଏ ପ୍ରଶ୍ନ- ୧୬ ବର୍ଷ ବୟସ ପିଲାର ହାର୍ଟ ଆଟାକ୍! ଅନେକ ଯାଗାରେ ସେମାନେ ପଢ଼ିଥିବେ ଯେ ହାର୍ଟ ଆଟାକ୍ ଏକ ବୟସ୍କମାନଙ୍କ ରୋଗ। ଏହା ସାଧାରଣତଃ ୪୦-୪୫ ବର୍ଷ ବୟସ ପରେ ଦେଖାଯାଏ । ଆଉ ମୋ ପାଇଁ ଏଇଟା ସେଇ ସପ୍ତାହର ଦ୍ୱିତୀୟ କେଶ୍ ଥିଲା। ୧୬-୧୮ ବର୍ଷ ବୟସର କିଶୋରର ହାର୍ଟ ଆଟାକ୍। ଏହି ଦୁଇଟି ଘଟଣା ମୋ ଆଗରେ ସ୍ପଷ୍ଟ କରିଦେଉଥିଲା ଯେ, ଆଜିର କିଶୋରମାନେ ଆଉ କେବଳ ଆଲର୍ଜି, ରକ୍ତହୀନତା ବା ବ୍ରଣ ଭଳି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି, ବରଂ ସାଧାରଣତଃ ‘ବୟସ୍କମାନଙ୍କ ରୋଗ’ କୁହାଯାଉଥିବା ରୋଗଗୁଡିକ ପ୍ରତି ମଧ୍ୟ ନିଜର ପ୍ରତିରୋଧକ ଶକ୍ତି ହରାଇ ଚାଲିଛନ୍ତି।

ୱାଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍ (WHO) ଅନୁସାରେ ଡାଇବେଟିସ୍, ଉଚ୍ଚରକ୍ତଚାପ, ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗ, ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, ଆଥ୍ରାଇଟିସ୍ ଓ ଅଷ୍ଟିଓପୋରେସିସ୍ ପରି ସମସ୍ତ ରୋଗଗୁଡିକର ମୂଳଦୁଆ ଏହି କିଶୋରାବସ୍ଥାରୁ ହିଁ ପଡିଯାଉଛି।

କିଶୋରାବସ୍ଥାରେ ହିଁ ମଣିଷ ଯୌନ ପରିପକ୍ୱତା ପ୍ରାପ୍ତି କରିଥାଏ, ଅନେକ ନିଷିଦ୍ଧ ଜିନିଷ ଜାଣିବା ଏବଂ ପାଇବାର ଇଚ୍ଛା ବଢିଯାଏ। ଅନେକ ପ୍ରଚଳିତ ଚଳଣୀ ପ୍ରତି ମନ ବିଦ୍ରୋହ କରିବାକୁ ଇଚ୍ଛାକରେ। ସବୁ ବାପା-ମା’ ମାନେ ନିଜ ପିଲାର କିଶୋରାବସ୍ଥାରେ ଦେଖାଯାଉଥିବା ଏହି ମାନସିକ ପରିବର୍ତନକୁ ସୂଚାରୁ ରୂପେ ସମ୍ଭାଳିବାକୁ ନିଜକୁ ପ୍ରସ୍ତୁତ କରିନେଇଥାନ୍ତି। କିନ୍ତୁ ଆଜିର ଯୁଗରେ ବାପା-ମା’ ମାନେ ଖାଲି ପିଲାମାନଙ୍କ ପାଖରେ ଦେଖାଯାଉଥିବା ମାନସିକ ଅବସ୍ଥାରେ ପରିବର୍ତ୍ତନକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ହେଲେ ଚଳିବନି ବରଂ ସେମାନଙ୍କ ସ୍ୱାସ୍ଥ୍ୟରେ ଦେଖାଯାଉଥିବା ସମସ୍ୟା ଉପରେ ମଧ୍ୟ ସମାନ ଧ୍ୟାନ ଦେବାକୁ ହେବ । ଯଦ୍ୱାରା ସେମାନଙ୍କୁ ଏକ ସୁସ୍ଥ ‘ବୟସ୍କ’ ଜୀବନ ବଞ୍ଚିବା ପାଇଁ ଏବେଠୁ ପ୍ରସ୍ତୁତ କରିହେବ । କାରଣ ଏହି କିଶୋରାବସ୍ଥାର ଖାଦ୍ୟାଭାସ ଓ ଜୀବନଶୈଳୀ ହିଁ ପିଲାଟିର ଆଗାମୀ ବୟସ୍କାବସ୍ଥାରେ ଜୀବନଶୈଳୀଜନିତ ରୋଗ ହେବା-ନହେବାକୁ ପ୍ରଭାବିତ କରିଥାଏ ।

ଏବେ କିଶୋରମାନଙ୍କଠାରେ ଦେଖାଯାଉଥିବା ମୁଖ୍ୟ ସମସ୍ୟା ହେଲା ମେଦ ବହୁଳତା (ପୃଥୁଳତା) । କେବଳ କିଶୋର କାହିଁକି ଶିଶୁମାନଙ୍କଠାରେ ମଧ୍ୟ ଏ ରୋଗ ଦେଖାଯାଉଛି । ଜର୍ନାଲ ଅଫ୍ ଆମେରିକାନ୍ ହାର୍ଟ ଆସୋସିଏସନ୍ ମତରେ ଯେଉଁ କିଶୋରମାନେ ମୃଦୁ ପାନୀୟ ବା ଅନ୍ୟାନ୍ୟ ଖାଦ୍ୟରେ ମାତ୍ରାଧିକ ଚିନି ବ୍ୟବହାର କରିଥାନ୍ତି, ସେମାନଙ୍କଠାରେ ଗୁଡ୍ କୋଲେଷ୍ଟରଲର ମାତ୍ରା କମ ଦେଖାଯିବା ସହ ବ୍ୟାଡ୍ କୋଲେଷ୍ଟରଲ ଓ ଟ୍ରାଇଗ୍ଲିସେରାଇଡ୍‌ର ମାତ୍ରା ଅଧିକ ଦେଖାଯାଏ; ରକ୍ତରେ ବା ଶରୀରରେ କୋଲେଷ୍ଟରଲ୍‌ର ଏହି ଅବସ୍ଥା ଆଗାମୀ ଦିନରେ ହୃଦରୋଗ ପାଇଁ ଏକ ବଳିଷ୍ଠ ପୃଷ୍ଠଭୂମି ପ୍ରସ୍ତୁତ କରିଥାଏ ।

ନ୍ୟାସ୍‌ନାଲ୍ ହେଲ୍‌ଥ୍ ଆଣ୍ଡ୍‌ ନ୍ୟୁଟ୍ରିସନାଲ୍‌ ଏକ୍‌ଜାମିନେସନ୍ ସର୍ଭେ ତରଫରୁ ୧୨-୧୮ ବର୍ଷ ମଧ୍ୟର ୨୧୫୭ ଜଣ କିଶୋରଙ୍କ ଖାଦ୍ୟ-ପାନୀୟ ଅଭ୍ୟାସକୁ ନେଇ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଏ ଯେ, ସାଧାରଣତଃ ଜଣେ କିଶୋର ତା’ର ଖାଦ୍ୟ-ପାନୀୟରେ ଦୈନିକ ୧୧୯ ଗ୍ରାମ୍ (୪୭୬ କ୍ୟାଲୋରି)ର ଅତ୍ୟଧିକ ଚିନି ଗ୍ରହଣ କରିଥାଏ, ଯାହାକି ତା’ର ଦୈନିକ ଖାଦ୍ୟରୁ ମିଳୁଥିବା ଶକ୍ତିର ୨୧.୪% ଏବଂ ଏହା ପ୍ରସ୍ତାବିତ ଚିନି ଗ୍ରହଣର ମାତ୍ରାର ଚାରି ଗୁଣ । ତତ୍ୟ ଅନୁସାରେ ଜଣେ ବ୍ୟକ୍ତି ଆବଶ୍ୟକ କରୁଥିବା ୧୮୦୦କ୍ୟାଲୋରି ଶକ୍ତିରୁ କେବଳ ୧୦୦ କ୍ୟାଲୋରି ଶକ୍ତି ହିଁ ଚିନିରୁ ମିଳୁଥିବା ଦରକାର । କିନ୍ତୁ ଦିନକୁ ଦିନ କିଶୋରମାନଙ୍କ ମଧ୍ୟରେ ବଢୁଥିବା ମୃଦୁ ପାନୀୟ, କୋଲ୍ଡ କଫି ଏବଂ ଚା ପାଇଁ ଆଗ୍ରହ, ଚିନି ଗ୍ରହଣର ପରିମାଣକୁ ମଧ୍ୟ ବଢାଇ ଚାଲିଛି ।

ଆମ ଦେଶ ଆଜି ବିଶ୍ୱର ଡାଇବେଟିସ୍ କ୍ୟାପିଟାଲ୍ ପାଲଟିଯାଇଛି । ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ୨୦-୩୦ ବର୍ଷ ମଧ୍ୟରେ । ଆହୁରି ମଧ୍ୟ ବ୍ରିଟିଶ୍ କଲମ୍ବିଆ ଚିଲ୍‌ଡ୍ରେନ୍ସ ହସ୍ପିଟାଲ୍‌ରେ କରାଯାଇଥିବା ଏକ ଶୋଧରୁ ଜଣାଯାଏ ଯେ ସାଧାରଣତଃ ବୟସ୍କମାନଙ୍କ ପରି କିଶୋରାବସ୍ଥାରେ ହୃଦରୋଗର ଲକ୍ଷଣ ଦେଖାଯାଏନି, ବରଂ ଏହା ଚୁପ୍‌ଚାପ୍ ଦେହ ଭିତରେ ବଢିଚାଲିଥାଏ । କିନ୍ତୁ ଏବେଯାଏ ଭାରତରେ କିଶୋରାବସ୍ଥା ପାଇଁ ଖାଦ୍ୟଗ୍ରହଣର କିମ୍ବା ସ୍ୱାସ୍ଥ୍ୟରକ୍ଷାର କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ ହୋଇ ନାହିଁ।

ଅନେକ ସମୟରେ ବାପା-ମା’କିଶୋରମାନଙ୍କଠାରେ ଦେଖାଯାଉଥିବା ଅନେକ ଲକ୍ଷଣ, ସ୍ୱାସ୍ଥ୍ୟଗତ ସମସ୍ୟାକୁ ସାମାନ୍ୟ ଭାବି ଏଡାଇ ଯାଆନ୍ତି। ଆହୁରି ମଧ୍ୟ ଅନେକ ସମସ୍ୟା ବୟସ ବଢିବା ସହ ଆପେ ଦୂର ହୋଇଯିବ ବୋଲି ଧରି ନିଆଯାଇଥାଏ। ଯେମିତିକି ଋତୁସ୍ରାବ ସମୟରେ କିଶୋରୀମାନଙ୍କ ତଳିପେଟ ଓ ଅଣ୍ଟା ବିନ୍ଧା, ଯାହାକି ସାଧାରଣତଃ ପ୍ରୋଷ୍ଟାଗ୍ଲାଣ୍ଡିନ୍ ନାମକ ହରମୋନ୍ ଯୋଗୁଁ ହୋଇଥାଏ। କିନ୍ତୁ କେତେଜଣଙ୍କ କ୍ଷେତ୍ରରେ ଏହା ବୟସ ବଢିବା ସହ ବଢି ଚାଲିଥାଏ । ସେପରି ଅବସ୍ଥାରେ ଏହା ବିଭିନ୍ନ ଜରାୟୁ ରୋଗ ଯେପରିକି ଏଣ୍ଡାମେଟ୍ରିଓସିସ୍ କିମ୍ବା ଓଭାରିଆନ୍ ସିଷ୍ଟର ଲକ୍ଷଣ ହୋଇପାରେ । ତେଣୁ ଏସବୁ ଲକ୍ଷଣକୁ ଆଦୌ ଅଣଦେଖା ନକରି, କିଶୋରୀଟିର ଋତୁସ୍ରାବ ଆରମ୍ଭ ହେବା ପରେ ଓ ଯୌନପରିପକ୍ୱତା ପ୍ରାପ୍ତି ପରେ ବର୍ଷକୁ ଥରେ କୌଣସି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ପାଖକୁ ନେବା ଉଚିତ।

ବହୁତ ଜିନିଷ ଥାଏ ଯାହାକୁ ପ୍ରତିରୋଧ କରିହୁଏ, କିନ୍ତୁ ଏପରି ବି ଅନେକ କିଛି ଥାଏ, ଯାହାକୁ ଜୀବନରେ ନିହାତି ସାମ୍ନା କରିବାକୁ ପଡିଥାଏ । ଯେପରିକି କିଶୋରାବସ୍ଥାରେ ମୁଖବ୍ରଣ । ବ୍ରଣ ବିନା ହୁଏତ କେହି କିଶୋରାବସ୍ଥା ବିଷୟରେ ଚିନ୍ତା ମଧ୍ୟ କରିପାରିବେନି, ବହୁତ ସମୟରେ ଏହା ହରମୋନମାନଙ୍କ ପ୍ରଭାବରେ ହୋଇଥାଏ । କିନ୍ତୁ ଅସନ୍ତୁଳିତ ଖାଦ୍ୟ, ଦେହରେ ଜଳୀୟ ଅଂଶର ଅଭାବ ଓ ମାନସିକା ଦୁଃଶ୍ଚିନ୍ତା ଆଦି ବ୍ରଣ ସମସ୍ୟାକୁ ବହୁଗୁଣିତ କରିଦେଇଥାଏ। ମୁଖ ବ୍ରଣଗୁଡିକୁ ନଖ ଲଗାଇ ସଫା କରିବାକୁ ଚେଷ୍ଟା କରିବା ଅନୁଚିତ। ଏପରି କରିବା ଦ୍ୱାରା ଅନେକ ସମୟରେ କେବଳ କିଶୋରାବସ୍ଥା ନୁହେଁ ବରଂ ସାରା ଜୀବନ ସେହି ବ୍ରଣ ଦାଗଗୁଡିକ ସହ ବଞ୍ଚିବାକୁ ପଡିଥାଏ । ସୁନ୍ଦର ଦେଖାଯିବାକୁ, ପ୍ରଶଂସା ଶୁଣିବାକୁ ସମସ୍ତେ ଭଲ ପାଆନ୍ତି, କିନ୍ତୁ ୧୮ ବର୍ଷ ବୟସ ପୂର୍ବରୁ କିଶୋରୀ (କିଶୋର ମାନେ ମଧ୍ୟ) କୌଣସି ବିୟୁଟି ପାର୍ଲର (ବା ସେଲୁନ୍) ଯିବା ଅନୁଚିତ । କାରଣ ଏହି ବୟସରେ ତ୍ୱଚା ଖୁବ୍ ସମ୍ବେଦନଶୀଳ ହୋଇଥିବା ଯୋଗୁଁ ୱାକ୍ସିଙ୍ଗ, ସୌନ୍ଦର୍ଯ୍ୟ ପ୍ରସାଧାନ ବା ସୌନ୍ଦର୍ଯ୍ୟ ଉପଚାରରେ ବ୍ୟବହୃତ ରସାୟନ ପଦାର୍ଥ ଯୋଗୁଁ ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ହୋଇଥାଏ।

ସେହିପରି ୧୬ ବର୍ଷ ବୟସ ପରେ ହିଁ କିଶୋରମାନେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ଉଚିତ । ଅନେକ ସମୟରେ ଦେଖାଯାଏ ଯେ କିଶୋରମାନେ ଶୋଇବାକୁ ଯିବା ପୂର୍ବରୁ ଲେନ୍ସଟିକୁ କାଢି ରଖିବାକୁ ଭୁଲିଯାଆନ୍ତି, ଯାହାକି ପରବର୍ତ୍ତୀ ସମୟରେ ଆଖିର ସଂକ୍ରମଣ ଓ ଆଖିଫୁଲାର କାରଣ ହୋଇଥାଏ।

କିଶୋରୀମାନଙ୍କଠାରେ ଦେଖାଯାଉଥିବା ମୁଣ୍ଡବୁଲା, ଥକ୍କାପଣ ଓ ଉଦ୍‌ବିଗ୍ନତା ଆଦିକୁ ଆଦୌ ଗୌଣ ବୋଲି ଭାବିବା ଉଚିତ ନୁହେଁ । ଏହା ରକ୍ତହୀନତାର ଲକ୍ଷଣ ହୋଇପାରେ। ପରିସଂଖ୍ୟାନ ଅନୁଯାୟୀ କିଶୋରାବସ୍ଥାରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ୭ ଜଣ କିଶୋରୀ ଲୌହସାର ଅଭାବଜନିତ ରକ୍ତହୀନତାର ଶିକାର ହୋଇଥାନ୍ତି । କୈଶୋରାବସ୍ଥାରେ ଏହାର ମୂଖ୍ୟ କାରଣ ହେଉଛି ଆନୋରେକ୍ସିଆ ନର୍ଭସା, ଏହା ଏକ ପ୍ରକାର ମାନସିକ ରୋଗ । ଏଥିରେ କ୍ଷୁଧାହୀନତା, ଅତ୍ୟଧିକ ଭାବପ୍ରବଣତା, ଅସନ୍ତୁଳିତ ଆବେଗ, ନିଜ ଶାରୀରିକ ଗଠନ ଓ ସ୍ଥୁଳକାୟ (ଓବେସ୍) ହୋଇଯିବାର ଅଯଥା ଭୟ ଆଦି ଲକ୍ଷଣମାନ ଦେଖାଯାଇଥାଏ; ଯାହାକି ପରବର୍ତ୍ତି ସମୟରେ ଶୀର୍ଣ୍ଣତା (ଇମାସିଏସନ୍), ଋତୁରୋଧ (ଆମେନୋରିଆ), ମାନସିକ ଦୁଃଶ୍ଚିନ୍ତା, ଚିଡିଚିଡା ପଣ, ସ୍ପର୍ଶକାତର ଓ ଭୟାତୁର ପରି ସମସ୍ୟାମାନ ସୃଷ୍ଟି କରିଥାଏ ।

ଦେଖାଯାଉଚି ଯେ ଆଜିକାଲି ଏହି ଆନୋରେକ୍ସିଆ ନର୍ଭସା ସମସ୍ୟା ବିଗତଦିନଗୁଡିକ ଅପେକ୍ଷା ଅଧିକ ଦେଖାଦେଉଚି । ଏହାର ମୁଖ୍ୟ କାରଣ ହେଉଛି ଆଜିର କିଶୋରୀମାନେ ରାମ୍ପ୍‌ରେ ଚାଲୁଥିବା ସେହି ଶୀର୍ଣ୍ଣକାୟ ସାଇଜ୍-ଜିରୋ ମଡେଲମାନଙ୍କୁ ନିଜର ରୋଲ୍‌ମଡେଲ୍‌ ବୋଲି ଭାବି ନେଉଛନ୍ତି । ସେମାନଙ୍କର ଧନ ଉପାର୍ଜନର ଉଚ୍ଚାଭିଳାଷ ଓ ଖୁବ୍ ଶୀଘ୍ର ପ୍ରସିଦ୍ଧି ପ୍ରାପ୍ତିର ନିଶା ସେମାନଙ୍କୁ ଏମିତି ଏକ ସ୍ୱପ୍ନ ପ୍ରତିପୋଷଣ କରିବାକୁ ଉତ୍ସାହିତ କରିଛି । ବାପା-ମା’ମାନେ ମଧ୍ୟ ସେହି ହସ-ହସ, ଚମକପ୍ରଦ ମୁହଁ ପଛରେ ଥିବା କଷ୍ଟ ଓ ଦୁଃଖଦ କାହାଣୀକୁ ଅଣଦେଖାକରି ଓ ବୟସ୍କାବସ୍ଥାରେ ଏହିସବୁ ଜିନିଷର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବକୁ ବିଚାରକୁ ନ ନେଇ ପିଲାମାନଙ୍କୁ ଏ ଦିଗରେ ଉତ୍ସାହିତ କରିବାରେ ଲାଗିଛନ୍ତି।

ମନୋରୋଗ ଚିକିତ୍ସକଙ୍କ ମତରେ କିଶୋରାବସ୍ଥାରେ ମଣିଷ ଉଚ୍ଚାଭିଳାଷୀ, ଦିବାସ୍ୱପ୍ନ ଦେଖିବା ସହ ସାଧାରଣତଃ ଦୁଃସାହସୀ ଭାବ ପ୍ରଦର୍ଶନ କରିଥାଏ । ଏହି ବୟସରେ ମଣିଷ ଖୁବ ଶୀଘ୍ର ଉତ୍ତେଜିତ ହୋଇଯାଏ, ତା’ ମନରେ ଅସୀମ ଶକ୍ତିର ସଞ୍ଚାର ଘଟେ । ବାପା-ମା’ ମାନେ ସେମାନଙ୍କ ସହ ପାଟିତୁଣ୍ଡ କରି କୌଣସି କଥା ମାନିବା ପାଇଁ ବାଧ୍ୟକରିବା ଅନୁଚିତ । କାରଣ କିଶୋରାବସ୍ଥା ବେଳକୁ ଅନ୍ଧଭାବରେ ଯେକୌଣସି କଥାକୁ ଗ୍ରହଣ କରିନେବାର ବୟସକୁ ମଣିଷ ଅତିକ୍ରମ କରିଆସିଥାଏ। ସେମାନଙ୍କ ସହ ଖୋଲାଖୋଲି ଭାବେ ମଦ୍ୟପାନ, ନିଶା ସେବନ ଓ ଯୌନ ସମ୍ବନ୍ଧ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ସୀମା ମଧ୍ୟ ଚେତେଇ ଦେବା ଉଚିତ । ସେମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାନ୍ତୁ; ସ୍କୁଲ୍‌ କିମ୍ବା କଲେଜରୁ ଫେରିଲା ପରେ ସେମାନଙ୍କ ଦିନସାରାର ଅନୁଭୂତିକୁ ମନଦେଇ ଶୁଣନ୍ତୁ ଏବଂ ନିଜ ମତ ମଧ୍ୟ ଦିଅନ୍ତୁ । ଆଲୋଚନା ଏବଂ ମୃଦୁ ଯୁକ୍ତି ଆପଣ ଏବଂ ଆପଣଙ୍କ ସନ୍ତାନ ମଧ୍ୟରେ ଗୋଟିଏ ସୁସ୍ଥ ସମ୍ପର୍କ ଗଢିବାରେ ସାହାଯ୍ୟ କରିଥାଏ। ଅଧିକନ୍ତୁ ଏପରି କରିବା ଦ୍ୱାରା ଆପଣ ତା’ ଜୀବନରେ ଘଟୁଥିବା ଘଟଣା ଉପରେ ଏବଂ ତା’ ବ୍ୟବହାର ଉପରେ ଦୃଷ୍ଟି ରଖିପାରିବେ। ଅସୁରକ୍ଷିତ ଯୌନ ସମ୍ବନ୍ଧ ଜରାୟୁ ଏବଂ ଅନ୍ୟାନ୍ୟ ପେଲ୍‌ଭିକ୍ ଅର୍ଗାନଗୁଡିକର ସଂକ୍ରମଣ, ଶୋଥ ଓ ହର୍ପିସ୍ ସଂକ୍ରମଣର ଆଶଂକା ମଧ୍ୟ ବଢେଇଦିଏ; ତେଣୁ ଠିକ୍ ସମୟରେ କଥାବାର୍ତ୍ତା, ଆଲୋଚନା ଏବଂ ଉପଚାର ନିତାନ୍ତ ଆବଶ୍ୟକ।

ସବୁ ବାପା-ମା’ ମାନେ ମନେ ରଖିବା ଦରକାର ଯେ ଆଜିକୁ ୨୦-୨୫ ବର୍ଷ ତଳେ ସେମାନେ ମଧ୍ୟ ଏହି କିଶୋରାବସ୍ଥା ଦେଇ ଗତି କରିଥିଲେ । ଆଜି ସେମାନଙ୍କ କିଶୋର ପୁଅ କିମ୍ବା କିଶୋରୀ ଝିଅର ମାନସିକ ସ୍ଥିତି ସେମାନଙ୍କ ସେତେବେଳର ମାନସିକ ସ୍ଥିତିଠାରୁ କୌଣସି ଗୁଣରେ ଅଲଗା ନୁହେଁ। ହୁଏତ ଆଜିର ବିଜ୍ଞାନ ଏବଂ ଯନ୍ତ୍ରପାତିର ଉଦ୍ଭାବନ ତାକୁ ଏକ ଭିନ୍ନ ରୂପ ଦେଇଛି। କିନ୍ତୁ ମୂଳ ବିଶ୍ୱାସ, ମାନସିକ ସ୍ଥିତି ଏବେବି ଠିକ ସେଇ ଏକା ପ୍ରକାର।

ଦୂରଭାଷ: +୯୧- ୮୦୧୮୦୫୩୩୯୫