/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745403285.jpg)
ସିଏସ୍କେ ପାଇଁ ଗୁରୁତ୍ୱପୂର୍ଣ୍ଣ ଧୋନି
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୫ ସିଜନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଦୁର୍ବଳ ସ୍ଥିତିରେ ରହିଛି । ଏ ଯାବତ (ଏପ୍ରିଲ୍ ୨୧ ସୁଦ୍ଧା) ଟିମ୍ ଆଠରୁ ମାତ୍ର ଦୁଇ ମ୍ୟାଚ୍ ଜିତି ଚାରି ପଏଣ୍ଟ ସହ ସର୍ବନିମ୍ନ ୧୦ମ ସ୍ଥାନରେ ରହିଛି । ଏଭଳି ପ୍ରଦର୍ଶନ ଟିମ୍ର ପ୍ଲେ-ଅଫ୍ରେ ପ୍ରବେଶ ସମ୍ଭାବନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ସିଏସ୍କେର ନିୟମିତ ଅଧିନାୟକ ତଥା ପ୍ରତିଭାଶାଳୀ ବ୍ୟାଟର୍ ଋତୁରାଜ ଗାଏକୱାଡ଼ ଆଘାତଜନିତ କାରଣରୁ ସିଜନ୍ ମଝିରୁ ବିଦାୟ ନେଇଛନ୍ତି । ଏହାପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ପାଇଁ ଟିମ୍ର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଟିମ୍ର ସ୍ଥିତି ସୁଧୁରିପାରି ନାହିଁ ।
ଧୋନିଙ୍କ ନେତୃତ୍ୱର ଚମକ ଆଉ ପୂର୍ବ ଭଳି ନାହିଁ । ବ୍ୟାଟିଂରେ ବି ସେ ଖାସ୍ ପ୍ରଦର୍ଶନ କରିପାରୁ ନାହାନ୍ତି । ଅବଶ୍ୟ ତାଙ୍କ ୱିକେଟ୍କିପିଂକୁ ନେଇ କେହି ପ୍ରଶ୍ନ ଉଠାଇପାରିବେନି । ଏହାସତ୍ତ୍ୱେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିସାରିଥିବା ଧୋନିଙ୍କ ଲୋକପ୍ରିୟତା ହ୍ରାସ ପାଇ ନାହିଁ । ତାଙ୍କୁ ନେଇ ଚର୍ଚ୍ଚା ଥମୁ ନାହିଁ । ସିଏସ୍କେ ତାଙ୍କ ନେତୃତ୍ୱ ଦକ୍ଷତା ଉପରେ ପୁନର୍ବାର ଭରସା କରିଛି । ତେବେ ଟିମ୍ ପାଇଁ ଧୋନି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?
ସିଏସ୍କେ ଅଧିନାୟକତ୍ୱକୁ ପ୍ରତ୍ୟାବର୍ତ୍ତନ
ଏପ୍ରିଲ୍ ୧୧ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ଘରୋଇ ମ୍ୟାଚ୍ ପୂର୍ବରୁ ଧୋନି ସିଏସ୍କେର ଅଧିନାୟକ ହେବେ ବୋଲି ଖବର ଆସିଥିଲା । ଏହାପରେ ସିଏସ୍କେର ପ୍ରଶଂସକ, ଏପରିକି କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ରୋମାଞ୍ଚିତ ହୋଇଉଠିଥିଲେ । କୁହାଯାଇଥିଲା ଯେ ଅଧିନାୟକତ୍ୱକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ପାଇଁ ‘ସ୍ପୁଲିଙ୍ଗ’ ସାବ୍ୟସ୍ତ ହୋଇପାରେ ।
ସେହି ମ୍ୟାଚ୍ ପୂର୍ବରୁ ସିଏସ୍କେ ପାଞ୍ଚରୁ ଚାରି ମ୍ୟାଚ୍ ହାରିସାରିଥିଲା । କେକେଆର୍ ଠାରୁ ମଧ୍ୟ ଟିମ୍ ହାରିଥିଲା । ସିଏସ୍କେ କ୍ରମାଗତ ତୃତୀୟ ଘରୋଇ ମ୍ୟାଚ୍ ବଞ୍ଚାଇପାରି ନ ଥିଲା । ଚେପକ୍ ଆଉ ଟିମ୍ର ଗଡ଼ ହୋଇ ରହି ନାହିଁ । ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ମାତ୍ର ୧୦୩ ରନ୍ କରିବାକୁ ସମର୍ଥ ହୋଇଥିଲା । ଅଧିନାୟକ ମାତ୍ର ୧ ରନ୍ କରି ପାଭିଲିଅନ୍ ଫେରିଥିଲେ । ଏହାପରେ ସିଏସ୍କେ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ୫ ୱିକେଟ୍ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା । ଏହି ବିଜୟ ଟିମ୍ର ମନୋବଳ ବଢ଼ାଇଥିଲା ।
ଧୋନି ୧୧ ବଲ୍ରୁ ୨୬ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଦକ୍ଷ ୱିକେଟ୍କିପିଂ ଓ ଉପଯୋଗୀ ବ୍ୟାଟିଂ ପାଇଁ ତାଙ୍କୁ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଘୋଷଣା କରାଯାଇଥିଲା । ତେବେ ପରବର୍ତ୍ତୀ ମ୍ୟାଚ୍ରେ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୯ ୱିକେଟ୍ରେ ପରାଜିତ ହୋଇଥିଲା । ଏଥିରେ ଧୋନି ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଚଳିତ ସିଜନ୍ରେ ଟିମ୍କୁ ଉପରକୁ ଉଠାଇବା ପାଇଁ ଧୋନି କେତେ ସକ୍ଷମ?
ବ୍ୟାଟିଂ ପ୍ରଦର୍ଶନରେ ଅବନତି
୨୦୦୦ ଅଗଷ୍ଟରେ ଧୋନି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଥିଲେ । ଏହାପର ଠାରୁ ସେ କେବଳ ଆଇପିଏଲ୍ କ୍ରିକେଟ୍ ହିଁ ଖେଳୁଛନ୍ତି । ସେବେଠାରୁ ଏ ଯାବତ ତାଙ୍କ ବ୍ୟାଟିଂ ପ୍ରଦର୍ଶନର ଉପଯୋଗିତା ଓ ତାଙ୍କ ଭିତରେ ଆସିଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଅବଶ୍ୟ ଏହି ସମୟସୀମା ମଧ୍ୟରେ ଟିମ୍ ତାଙ୍କ ନେତୃତ୍ୱରେ ଦୁଇ ଥର (୨୦୨୧ ଓ ୨୦୨୩) ଚାମ୍ପିଅନ୍ ହେବା ବଡ଼ କଥା ଥିଲା । ପୂର୍ବ କିଛି ସିଜନ୍ରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ହୁଏତ ଭଲ ଥାଇପାରେ, କିନ୍ତୁ ବ୍ୟାଟିଂ ପ୍ରଦର୍ଶନ ପ୍ରଭାବଶାଳୀ ନୁହେଁ । ବହୁ ସମୟରେ ତାଙ୍କ ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠିଛି । ସେ ବିଳମ୍ବରେ ବ୍ୟାଟିଂ କରିବାକୁ ଆସୁଛନ୍ତି । ୨୦୨୩ ଓ ୨୦୨୪ ସିଜନ୍ରେ ସେ ୧୦୦ରୁ ବି କମ୍ ବଲ୍ ଖେଳିଥିଲେ ।
ଚଳିତ ସିଜନ୍ରେ ଧୋନି ଏ ଯାବତ ଆଠ ମ୍ୟାଚ୍ ଖେଳି ୧୩୪ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୫୨.୨୭ ଥିବା ବେଳେ ଆଭରେଜ୍ ୩୩.୫୦ ରହିଛି । ସେ ମୋଟ୍ ୮୮ ବଲ୍ର ସାମ୍ନା କରିଛନ୍ତି । ସେ ଦୁଇ ଥର ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳକୁ ଟିମ୍ ପରାଜୟର ଦ୍ୱାରଦେଶରେ ପହଞ୍ଚି ସାରିଥିଲା । ସିଏସ୍କେର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂଙ୍କ କହିବାନୁଯାୟୀ ଧୋନି ୧୦ ଓଭର୍ ଯାଏଁ ବ୍ୟାଟିଂ କରିପାରିବେ ନାହିଁ । ଏହା ଟିମ୍ ପାଇଁ ନିଶ୍ଚିତ ରୂପେ ଚିନ୍ତାର ବିଷୟ । କିନ୍ତୁ କୋଚ୍ ବି ସେ କଥା କହୁ ନାହାନ୍ତି । ଆଇପିଏଲ୍ ୨୦୨୩ ପରେ ଧୋନି ଆଣ୍ଠୁ ସର୍ଜରୀ କରାଇଥିଲେ । ଏହା ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ପ୍ରଭାବିତ କରୁଥାଇପାରେ ।
ଅଧିକ ନିର୍ଭରଶୀଳତା ଯଥାର୍ଥ କି ?
ଟିମ୍ ଇଣ୍ଡିଆକୁ ଦିନିକିଆ, ଟି-୨୦ ବିଶ୍ୱକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ଧୋନି ଆଇପିଏଲ୍ରେ ମଧ୍ୟ ତାଙ୍କ ଯାଦୁକରୀ ନେତୃତ୍ୱ ଦକ୍ଷତା ବଜାୟ ରଖିଥିଲେ । ତାଙ୍କ ଅଧିନାୟକତ୍ୱରେ ସିଏସ୍କେ ୧୦ ଥର ଫାଇନାଲ୍ରେ ପହଞ୍ଚିଥିବା ବେଳେ ପାଞ୍ଚ ଥର ଚାମ୍ପିଅନ୍ ହୋଇଛି । ଏହାଛଡ଼ା ଦୁଇ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ମୁକୁଟ ବି ଜିତିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସିଏସ୍କେ ଯେତେ ଥର ଆଇପିଏଲ୍ ମୁକୁଟ ଜିତିଛି, ଧୋନିଙ୍କ ନେତୃତ୍ୱରେ ହିଁ ଜିତିଛି । ଟିମ୍ ତା’ର ଶେଷ ମୁକୁଟ ୨୦୨୩ରେ ଜିତିଥିଲା । ଦୁଇ ବର୍ଷ ପରେ ସେ ଟିମ୍କୁ ରେକର୍ଡ ଷଷ୍ଠ ଥର ଚାମ୍ପିଅନ୍ କରାଇପାରିବେ ବୋଲି ଫ୍ରାଞ୍ଚାଇଜ୍ ଓ ଏହାର ପ୍ରଶଂସକମାନେ ଆଶା କରୁଥାଇପାରନ୍ତି ।
ଏ କଥା ଠିକ୍ ଯେ ଧୋନି ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣାଦାୟକ ଏବଂ ସିଏସ୍କେର ଉତ୍ଥାନରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି । କିନ୍ତୁ ଏ କଥା ବି ବୁଝିବାକୁ ହେବ ଯେ ତାଙ୍କୁ ୪୩ ବର୍ଷ ବୟସ ହେଲାଣି । ବୟସର ଏହି ସୋପାନରେ ତାଙ୍କ ଠାରୁ ମୁକୁଟ ଜିତାଇବା ଭଳି ଉଚ୍ଚ ଆଶା କରିବା ବ୍ୟାବହାରିକ ନୁହେଁ । କିଛି ବର୍ଷ ହେଲା ତାଙ୍କ ଅବସର ନେଇ ଚର୍ଚ୍ଚା ହେଉଛି । ଚଳିତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ତାଙ୍କ ପାଇଁ ଶେଷ ସିଜନ୍ ହୋଇପାରେ ।
ଏପରି ସ୍ଥଳେ ସିଏସ୍କେ ଧୋନିଙ୍କ ଠାରୁ ଆଗକୁ ବଢ଼ିବା ଆବଶ୍ୟକ । ଗୋଟିଏ ସମୟରେ ରବୀନ୍ଦ୍ର ଜାଡ଼େଜାଙ୍କୁ ଧୋନିଙ୍କ ଉତ୍ତରାଧିକାର କରାଯିବା ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଏହି ବାମହାତି ଅଲ୍ରାଉଣ୍ଡର୍ ଅଧିନାୟକ ଦାୟିତ୍ୱ ତୁଲାଇପାରିଲେନି । ପରେ ଋତୁରାଜଙ୍କୁ ନୂଆ ଅଧିନାୟକ କରାଗଲା । ତେବେ ଏହି ଯୁବ ବ୍ୟାଟର୍ ଆହତ ହେବା ସ୍ଥଳେ ନେତୃତ୍ୱ ପାଇଁ ପୁଣି ଧୋନିଙ୍କ ପାଖକୁ ଫେରିବାକୁ ପଡ଼ିଛି । ଏହାର ଅର୍ଥ ସିଏସ୍କେ ପାଖରେ ବେଶୀ ବିକଳ୍ପ ନାହିଁ । ଋତୁରାଜଙ୍କ ବିକଳ୍ପକୁ ବି ପ୍ରସ୍ତୁତ ରଖିବା ଦରକାର । ଧୋନିଙ୍କ ଅଧିନାୟକତ୍ୱ ସିଏସ୍କେର ଖେଳାଳିମାନଙ୍କୁ ଉତ୍ସାହିତ କରୁଥାଇପାରେ, ହେଲେ ତାଙ୍କ ଉପରେ ଫ୍ରାଞ୍ଚାଇଜ୍ର ଏତେ ନିର୍ଭରଶୀଳତା କ’ଣ ଯଥାର୍ଥ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)