Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଇ ବିରଳ ବେଶ, ଗୋଟେ ବେଶ ଆପଣ ଦେଖି ନଥିବେ

ମହାପ୍ରଭୁ ଜଗନ୍ନାଥଙ୍କର ରହିଛି ୨୪ ମୁଖ୍ୟ ବେଶ। ପ୍ରତିବର୍ଷ ୨୨ଟି ବେଶ ହୋଇଥାଏ, ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ। ଏହି ଦୁଇଟି ବିରଳ ବେଶ କ’ଣ ଆଉ କିପରି ହୁଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Two rare costumes of Lord Jagannath

Two rare costumes of Lord Jagannath

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆର ପରିଚୟ। ଓଡିଆମାନଙ୍କ ସମସ୍ତ ଚାଲି ଚଳଣୀ ଜଗନ୍ନାଥ ସଂସ୍କୃତିରେ ପ୍ରତିଫଳିତ ହୋଇଥାଏ। ଠାକୁରଙ୍କ ମୁଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଉଥିବା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ। ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ।

Advertisment

ତେବେ ଅନେକ ବର୍ଷ ହେବ ରଘୁନାଥ ବେଶ ହୋଇ ନଥିବା ବେଳେ ୨୦୨୦ ମସିହାରେ ଶେଷଥର ପାଇଁ ନାଗାର୍ଜୁନ ବେଶ ହୋଇଥିଲା। ଏସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ। ତେବେ ଆସନ୍ତୁ ନଜର ପକେଇବା ଏହି ଦୁଇ ବେଶ କ’ଣ ଓ କ’ଣ ଏହାର ମାହାତ୍ମ୍ୟ।

ରଘୁନାଥ ବେଶ:

ଯେଉଁ ବର୍ଷ ବୈଶାଖ ଶୁକ୍ଳ ନବମୀ ଗୁରୁବାର ଶ୍ରବଣା ମକର ପଡ଼ିଥାଏ ସେହି ବର୍ଷ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ ହୋଇଥାଏ। ୧୯୦୫ ବର୍ଷ ଅପ୍ରେଲ ମାସ ୨୬ ତାରିଖ ଗୁରୁବାର ଦିନ ଶେଷ ଥର ନିମନ୍ତେ ରଘୁନାଥ ବେଶ ହୋଇଥିଲା। ଏହା ଉତ୍କଳ ଦୀପିକା ପତ୍ରିକାରେ ପ୍ରକାଶ ପାଇଛି ଓ ଶ୍ରୀମନ୍ଦିର ରେକର୍ଡରୁ ଜଣାଯାଇଛି। ଆଉ ରଘୁନାଥ ବେଶ ଭକ୍ତମାନେ ଦେଖି ପାରି ନାହାନ୍ତି। ମିଳୁଥିବା ତଥ୍ୟ ଅନୁଯାୟୀ ମୋଟ ୯ ଥର ରଘୁନାଥ ବେଶ ହୋଇଛି ଏବଂ ୧୯୦୫ ମସିହା ପରଠାରୁ ଶ୍ରୀମନ୍ଦିରରେ ଆଉ ଏହି ବେଶ ହୋଇନାହିଁ।

Advertisment

କିପରି ହୁଏ ବେଶ:

ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ କାଠ ନିର୍ମିତ ହାତ ପାଦରେ ସଜ୍ଜା ହୋଇଥାନ୍ତି। ବାମ ପାଦଟି ସିଂହାସନ ଉପରେ ଓ ଦକ୍ଷିଣ ପାଦଟି ତଳକୁ ଲମ୍ବି ରହିଥାଏ। ଠାକୁର ଧନୁ-ତୂଣୀର ଧାରଣ ସହ ସିଂହାସନରେ ବୀରାସନରେ ବସନ୍ତି। ଲକ୍ଷ୍ମୀ ପ୍ରତିମା ସୀତା ରୂପେ ତାଙ୍କ କୋଳରେ ସ୍ଥାନ ପାଇଥାନ୍ତି। ବଳଭଦ୍ର ଲକ୍ଷ୍ମଣ ରୂପେ ଠିଆ ହୋଇ ଦୁଇ ହାତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବି ଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ-ରାମଙ୍କ ବାମ ପାର୍ଶ୍ୱରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଇତ୍ୟାଦି ଋଷିମାନେ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ ଚାମର ଧରି, ଜାମ୍ବବାନ କରଯୋଡି, ବିଭୀଷଣ କରଯୋଡି, ହନୁମାନ କରଯୋଡି ବସିଥାନ୍ତି।

ନାଗାର୍ଜୁନ ବେଶ:

ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ। ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏହା ଅନ୍ୟତମ। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ। ଅତୀତରେ ଏହି ବେଶ ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ହୋଇଥିଲା। ତା ପୂର୍ବରୁ ୧୯୯୪ ମସିହା ନଭେମ୍ବର ୧୬, ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା।

ପୁରୀରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ୟ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜାଇ ଦିଆଯାଏ । ପୁରୀର ସାହି ଯାତରା ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ୟ ରହିଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି। ଏହି ବେଶରେ ଜଗନ୍ନାଥଙ୍କ ମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢ଼ି ରହିବା ବିଶେଷ ଉଲ୍ଲେଖଯୋଗ୍ୟ।

କିପରି ହୁଏ ବେଶ:

ଏହି ବେଶରେ ଠାକୁରମାନେ ମୁଖ୍ୟତଃ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢ଼ି, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣ ଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି।

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କର ବିଶେଷ ନୀତି ପାଳନ ହେବା ସହ ସେମାନଙ୍କୁ ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧାଦାମୋଦର ବେଶରେ ସଜାଯାଇଥାଏ। ତେବେ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ଯାଏଁ ବିଭିନ୍ନ ବେଶରେ ସେମାନଙ୍କୁ ଭକ୍ତମାନେ ଯଥାକ୍ରମେ ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ା ବେଶ, ତ୍ରିବିକ୍ରମ ବେଶ, ଡାଳିକିଆ ବେଶ ଓ ସୁନାବେଶରେ ଦର୍ଶନ କରିଥାନ୍ତି।

Ratha Jatra
Advertisment
Advertisment