Advertisment

Pana Sankranti 2025: ପଣା ସଂକ୍ରାନ୍ତିରେ କାହିଁକି ପୂଜା ପାଆନ୍ତି ପବନ ସୁତ ହନୁମାନ

ଓଡ଼ିଆ ପରମ୍ପରା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।

author-image
Pramod Behera
ଅଦ୍ୟତନ ହୋଇଛି
Why is Hanuman worshipped in Pana Sankranti

Why is Hanuman worshipped in Pana Sankranti

ବିଭିନ୍ନ ପ୍ରକାର ପର୍ବପର୍ବାଣୀରେ ବନ୍ଧା ଓଡ଼ିଶା। ଆମ ପୂର୍ବପୁରୁଷମାନେ ଜଳବାୟୁର ପରିବର୍ତ୍ତନକୁ ଲକ୍ଷ୍ୟ କରି ସେହି ଅନୁସାରେ ଖଞ୍ଜିଦେଇଛନ୍ତି ବିଭିନ୍ନ ପରମ୍ପରା। ସେଥିପାଇଁ କୁହାଯାଏ ଏଠି ବାର ମାସରେ ତେର ପର୍ବ।

Advertisment

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଏ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ହେବା ସହ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ।

ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବୈଶାଖରୁ ବର୍ଷ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି କୁହାଯାଏ। ଓଡ଼ିଆ ପଞ୍ଜିକା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

କିପରି ହୁଏ ପାଳନ:

ମହାବିଷୁବ ସଂକ୍ରାନ୍ତି ଦିନ ବୃନ୍ଦାବତୀଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ଦିନ ଏକ ଛୋଟ ମାଠିଆ ବା ଠେକିରେ କଣା କରି, ତା’ ଭିତରେ ପଣା ରଖି ତୁଳସୀ ଚଉରା ଉପରେ ବାନ୍ଧିଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ। ଏହି ଠେକିକୁ ବସୁନ୍ଧରା ଠେକି ବା ଘଡି ବୋଲି କୁହାଯାଏ।

ଏହି ଦିନ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ସେମାନଙ୍କୁ ପାଟୁଆ ବୋଲି କୁହାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି।

ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଚକୁ ଏହି ଦିନ ଶେଷ କରାଯାଏ। ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ।

କ'ଣ ରହିଛି ବୈଜ୍ଞାନିକ କାରଣ:

ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ।

ପରିବେଶର ତାପମାତ୍ରା ବଢିବା ସହିତ ଶରୀରରେ ମଧ୍ୟ ଅତ୍ୟଧିକ ତାପଶକ୍ତି ବଢିଥାଏ। ଏହା ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଏହିଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ଏହି କାରଣରୁ ଏହାକୁ ପଣାସଂକ୍ରାନ୍ତି ବୋଲି କୁହାଯାଏ।

ଅନ୍ୟାନ୍ୟ ଦୃଷ୍ଟିକୋଣ:

ସୂର୍ଯ୍ୟ ତାପ ବଢୁଥିବାରୁ ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ଶୋଷ ମେଣ୍ଟେଇବା ପାଇଁ ଜଳଛତ୍ରମାନ ଖୋଲାଯାଏ। ଏହା ସହିତ ବୃକ୍ଷମୂଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତା’ ତଳେ ସରୁ କଣାକରି ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ପବନର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁର ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ। ତେଣୁ ଏହି ଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ।

ଅଧିକ ପଢ଼ନ୍ତୁ: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ; ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା...

Jhamu Jatra Pana Sankranti Maha Vishuba Sankranti Maha Bisuba Sankranti
Advertisment
Advertisment