Advertisment

କେତେ ଭାବ, କେତେ ଭଙ୍ଗୀ ! ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ଭଜନ-କୀର୍ତ୍ତନ ସାଙ୍ଗକୁ ନୃତ୍ୟଗୀତରେ ବିଭୋର । ଜଗା ଦର୍ଶନ କରି ବିଦେଶୀ ବି ଆତ୍ମ ବିଭୋର ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Ratha Jatra

ଛନ୍ଦ, ଠାଣି, ଭାବ ଆଉ ଆବେଗର ଠାକୁର ସିଏ। ବେଶ ଆଉ ଆଭୂଷଣ ପ୍ରିୟ ମହାପ୍ରଭୁଙ୍କ ଆଜି ଯେତେବେଳେ ଘୋଷଯାତ୍ରା, ତାଙ୍କରି ଭକ୍ତ ବା କାହିଁକି ବାଦ୍ ପଡ଼ିବେ। ନାନା ରଙ୍ଗ, ଭାବ ଆଉ ଭଙ୍ଗୀ ସହ ଭକ୍ତିରେ ଆଜି ମଜ୍ଜିଯାଇଥିଲେ ରାଜ୍ୟ, ଦେଶ ଆଉ ବିଦେଶରୁ ଧାଇଁ ଆସିଥିବା ଭକ୍ତ। ଭାବ ବିନୋଦିଆଙ୍କୁ ପାଖରେ ପାଇ କିଏ ନିଜକୁ ସମର୍ପି ଦେଇଥିଲେ ତ ଆଉ କିଏ ଲୁହ ଛଳ ଛଳ ଆଖିରେ ଦୁଃଖ ଜଣାଇଥିଲେ।

Advertisment

ଆଜି ଲୋକାରଣ୍ୟ ଶ୍ରୀକ୍ଷେତ୍ରରେ ବିଭୋର ସମସ୍ତେ...ଲୀଳାମୟଙ୍କୁ ଅଶ୍ରୁଳ ନୟନରେ କିଏ ଜଣାଇଛି ଅନ୍ତରର ଅପ୍ରକାଶିତ ଦୁଃଖ ତ ଆଉ କିଏ ଚର୍ମଚକ୍ଷୁରେ ଦର୍ଶନ କରି ଆତ୍ମ ବିଭୋର, ଭାବ ବିହ୍ୱଳ । ଜୟ ଜଗନ୍ନାଥ ଧ୍ୱନୀ ଉଚ୍ଚାରଣ କରି ହାତ ମେଲାଇ ମହାପ୍ରଭୁଙ୍କୁ ଗୁହାରି କରିଛନ୍ତି ଶ୍ରଦ୍ଧାଳୁ।...

ଭକ୍ତ ଆଉ ଭଗବାନଙ୍କ ମିଳନର ଏହି ଅବର୍ଣ୍ଣନୀୟ ମୂହୁର୍ତ୍ତରେ ଜାତି, ଧର୍ମ, ବର୍ଣ୍ଣ ଆଉ ଭାଷାର ଭିନ୍ନତା ସତ୍ତ୍ୱେ ଆଜି ଏକାକାର ସମସ୍ତେ। ...ଆଉ ଏହି ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ କିଏ ପବନ ପୁତ୍ର ହନୁମାନ ବେଶରେ ତ ଆଉ କିଏ ଶିବ ଆଉ ପାର୍ବତୀଙ୍କ ବେଶରେ ସଜ୍ଜିତ ହୋଇ ବଡ଼ଦାଣ୍ଡରେ ଉଭା ହୋଇଥିଲେ। ଆଉ କହିଥିଲେ ଘୋଷଯାତ୍ରାବେଳେ ବଡ଼ଦାଣ୍ଡରେ ନୃତ୍ୟ ପରିବେଷଣ ସୌଭାଗ୍ୟର କଥା।

Advertisment

ଚତୁର୍ଦ୍ଧା ମୁରତ୍ତିଙ୍କ ରଥାରୁଢ଼ବେଳେ ଜଳ ଜଳ ହୋଇ ଦିଶୁଥିଲା ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମାହାରୀ, ଓଡ଼ିଶୀ ଏବଂ ଗୋଟିପୁଅ ନୃତ୍ୟ। ସଂସ୍କୃତି ଆଉ ପରମ୍ପରାର କଥା ଯେତେବେଳେ ଉଠୁଛି ଓଡ଼ିଆ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର ବା ବାଦ୍ ପଡ଼ନ୍ତା କିପରି। ଟିକି ଟିକି ଝିଅଙ୍କ ଓଡ଼ିଶୀର ନୃତ୍ୟ କଳା ଆଜି ମନ୍ତ୍ରମୁଗଧ କରି ଦେଇଛି ସମସ୍ତଙ୍କୁ । ଆକର୍ଷଣୀୟ ପରିପାଟୀ ସହ କୁନି ପାଦରେ ଘୁଂଗୁର ବାନ୍ଧି ଆଜି ନିଜ ଶ୍ରଦ୍ଧା ଜଣାଇଛନ୍ତି ।

ସେହିପରି ସୁଦୂର କଲମ୍ବିଆରୁ ଆସିଛନ୍ତି ନୃତ୍ୟଶିଳ୍ପୀ ବ୍ରିନ୍ଦା। ସେ ବି ୩ ରଥ ଆଗରେ ଘୁଙ୍ଗୁରି ବାନ୍ଧି ଓଡ଼ିଶୀ ଛାନ୍ଦରେ ନୃତ୍ୟ ପରିବେଷଣ କରିଛନ୍ତି ଆକର୍ଷଣୀୟ ଢଙ୍ଗରେ। କହିଛନ୍ତି, ଏଠିକୁ ଆସି ବହୁତ ଖୁସି।

କେବଳ ଓଡ଼ିଶୀ କି ଗୋଟିପୁଅ ନୃତ୍ୟ ନୁହଁ, ଖୋଳ ମୃଦଙ୍ଗ ସହ ନାମ ସଂକୀର୍ତ୍ତନରେ ପୁରି ଉଠୁଥିଲା ସାରା ପରିବେଶ। ଜଗତରନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଯେତେବେଳେ ହେଉଛି, ସେହି ବିଶ୍ୱ ନିୟନ୍ତାଙ୍କ ଦର୍ଶନ ପାଇଁ ରାଜ୍ୟରୁ ଦେଶ, ଦେଶରୁ ବିଦେଶ ଯାଏଁ ଛୁଟି ଆସିଛନ୍ତି ଭକ୍ତ ଆଉ ଶ୍ରଦ୍ଧାଳୁ। ଦରିଆପାରିରୁ ଧାଇଁ ଆସିଥିବା ବିଦେଶୀ ଭକ୍ତଙ୍କ ମୁହଁରେ ବିଖରିତ ହେଉଥିଲା ରାମ ରାମ ହରେ ହରେ। ଏଭଳି ନାନା ରଙ୍ଗ, ନାନା ଭାବ ଆଉ ଭଙ୍ଗୀ ଭିତରେ ସାରା ବଡ଼ଦାଣ୍ଡ ଆଜି ସତେ ଯେମିତି ପାଲଟିଯାଇଥିଲା ବିଶ୍ୱ ।....

Ratha Jatra
Advertisment
Advertisment