• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉଛି ବିଜୟା ଦଶମୀ । ଶାସ୍ତ୍ର ଅନୁସାରେ ଆଜିର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରାବଣକୁ ବଦ୍ଧ କରିଥିଲେ । ତେଣୁ ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ବିଜୟା ଦଶମୀ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଆଜିର ଦିନର ବେଶ୍ ଗୁରୁତ୍ୱ ରହିଛି ।

ବିଜୟା ଦଶମୀରେ ଦାହ ହେବେ ଦଶାନନ । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ହୋଇଛି ରାବଣପୋଡି ଉତ୍ସବ । ଏଥିପାଇଁ ପ୍ରସ୍ତୁତି ସରିଛି । ଦଶ ଦଶଟି ମୁଣ୍ଡ, ବିଶାଳ ଆକାର ଓ ରାକ୍ଷସ ଚେହେରା ନେଇ ତିଆରି ହୋଇଛି ସୁଉଚ୍ଚ ରାବଣ ମୂର୍ତ୍ତି । ଯେଉଁଥିରେ ବ୍ୟବହାର ହୋଇଛିି ବାଉଁଶ, କାଗଜ, କପଡ଼ା ଓ ବାରୁଦ । ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।

ସେହିପରି ଝାରପଡା ଦୁର୍ଗପୂଜା କମିଟି ମଧ୍ୟ ରାବଣ ପୋଡି ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରିଛି । ଦୁଇ ବର୍ଷ ପରେ ରାବଣ ପୋଡି ଉତ୍ସବ ପାଇଁ କଟକରେ ବି ଜୋରଦାର ପ୍ରସ୍ତୁତି । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ କଟକ ତଳ ବାଲିଯାତ୍ରା ପଡିଆରେ ଆଡମ୍ବରରେ ଅନୁଷ୍ଠିତ ହେବ ରାବଣ ପୋଡି । ୩୧ ବର୍ଷ ଧରି ଆୟୋଜିତ ହେଉଥିବା ରାବଣ ପୋଡି ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ନୃତ୍ୟ, ଗୀତ ଓ ଆତସବାଜୀ କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରିିବେ । ତେବେ ବାଧକ ସାଜିଛି ଲଘୁଚାପ ବର୍ଷା । ଆଜି ଯଦି ବର୍ଷା ଲାଗି ରହେ ତେବେ ରାବଣପୋଡି ଫିକା ପଡିବା ଆଶଙ୍କା ବି ରହିଛି ।

ଅନ୍ୟପଟେ ଶେଷ ହେଉଛି ପାର୍ବଣ ଆଉ ମେଲାଣି ନେଉଛନ୍ତି ମା । ଜୟପୁରରେ ପାରମ୍ପରିକ ରିତିନୀତିରେ ଆୟୋଜିତ ହୋଇଛି ଦଶହରା ପୂଜା । ଗତକାଲି ରାବଣ ପୋଡି କରାଯାଇ ଶେଷ ହୋଇଛି ଦଶହରା । ରାବଣ ପୋଡ଼ି ଉତ୍ସବରେ ଜିଲ୍ଲାପାଳଙ୍କ ସହ ବିଧାୟକ ଓ ଦେବତ୍ତୋର ଅଧିକାରୀ ଉପସ୍ଥିତ ଥିଲେ । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବିନା କଟକଣାରେ ରାବଣପୋଡି ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଶତାଧିକ ଲୋକଙ୍କ ଭିଡ଼ ଜମି ଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ ଉଆସରୁ ବିରାଟ ପଟୁଆରରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସିଥିବା ଲାଠିଧାରୀଙ୍କୁ ଦଶହରା ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।